ଆସ୍ଥାର ଦୋଳନ
ସ୍ୱାଧୀନତାର ୭୮ ବର୍ଷର ଦୀର୍ଘଯାତ୍ରାରେ ଭାରତ ଆଜି ଏକ ସଫଳ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ବଜାୟ ରଖିବା ପଛରେ ରହିଛି ଏହାର ସାମ୍ବିଧାନିକ ଲକ୍ଷ୍ମଣରେଖା ଓ ଗଣତାନ୍ତ୍ରିକ ସ୍ତମ୍ଭ ପ୍ରତି ପାରିସ୍ପାରିକ ସମ୍ମାନବୋଧ। ଏହି କାରଣରୁ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସାମ୍ବିଧାନିକ ମୂଲ୍ୟବୋଧ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବିଶେଷକରି ଲକ୍ଷ୍ମଣରେଖା, ଆତ୍ମମର୍ଯ୍ୟାଦା, ଦାୟିତ୍ୱବୋଧ ଓ ନିରପେକ୍ଷତା ଯୋଗୁଁଁ ଭାରତୀୟ ନ୍ୟାୟପାଳିକା ପ୍ରତି ୧୪୫ କୋଟି ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସ ଅତୁଟ […]

ସ୍ୱାଧୀନତାର ୭୮ ବର୍ଷର ଦୀର୍ଘଯାତ୍ରାରେ ଭାରତ ଆଜି ଏକ ସଫଳ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ବଜାୟ ରଖିବା ପଛରେ ରହିଛି ଏହାର ସାମ୍ବିଧାନିକ ଲକ୍ଷ୍ମଣରେଖା ଓ ଗଣତାନ୍ତ୍ରିକ ସ୍ତମ୍ଭ ପ୍ରତି ପାରିସ୍ପାରିକ ସମ୍ମାନବୋଧ। ଏହି କାରଣରୁ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସାମ୍ବିଧାନିକ ମୂଲ୍ୟବୋଧ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବିଶେଷକରି ଲକ୍ଷ୍ମଣରେଖା, ଆତ୍ମମର୍ଯ୍ୟାଦା, ଦାୟିତ୍ୱବୋଧ ଓ ନିରପେକ୍ଷତା ଯୋଗୁଁଁ ଭାରତୀୟ ନ୍ୟାୟପାଳିକା ପ୍ରତି ୧୪୫ କୋଟି ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସ ଅତୁଟ ରହିଛି। ଶାସନ ବ୍ୟବସ୍ଥାର ସର୍ବୋଚ୍ଚ ସ୍ତରରୁ ସମାଜର ସର୍ବନିମ୍ନ ବର୍ଗ ପର୍ଯ୍ୟନ୍ତ ଧନୀ-ଗରିବ, ପ୍ରତିପତ୍ତି-ଅବହେଳିତ, ଜାତି-ସମ୍ପ୍ରଦାୟ ନିର୍ବିଶେଷରେ ନ୍ୟାୟପାଳିକା ‘ନ୍ୟାୟମନ୍ଦିର’ ଏବଂ ବିଚାରପତିମାନେ ‘ନ୍ୟାୟମୂର୍ତ୍ତି’ ରୂପେ ଆତ୍ମସ୍ଥ ହୋଇସାରିଛନ୍ତି। ଭାରତୀୟଙ୍କ ମନରେ ନ୍ୟାୟାଳୟ ପ୍ରତି ଥିବା ଏହି ପବିତ୍ର ଓ ଶାଶ୍ୱତ ଭାବନା ବିଚାରପତିମାନଙ୍କୁ ସମାଜ ଓ ବ୍ୟବସ୍ଥାରେ ଏକ ସ୍ୱତନ୍ତ୍ର ସ୍ଥାନ, ସମ୍ମାନ, ଅଧିକାର ଓ ମର୍ଯ୍ୟାଦା ଦେଇଛି ଏବଂ ସାଧାରଣ ଜନଜୀବନରୁ ଉଚ୍ଚତର ଓ ସ୍ୱତନ୍ତ୍ର ସୋପାନରେ ଅଧିଷ୍ଠିତ କରିଛି। କିନ୍ତୁ ବେଳେ ବେଳେ ନ୍ୟାୟମନ୍ଦିରମାନଙ୍କରେ ଏଭଳି କିଛି ଅବାଞ୍ଛିତ ଘଟଣାମାନ ଘଟୁଛି, ଯାହା କୋଟି କୋଟି ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସରେ ଦୋଳନ ସୃଷ୍ଟି କରୁଛି; ନିରପେକ୍ଷତା ନେଇ ପ୍ରଶ୍ନବାଚୀଟିଏ ଆଙ୍କି ହୋଇଯାଉଛି ଏବଂ ବିଶ୍ୱାସ-ଅବିଶ୍ୱାସର ଦ୍ୱନ୍ଦ୍ୱଟିଏ ଜନ୍ମନେଉଛି।
ସେହିଭଳି ଏକ ଘଟଣା ସମ୍ପ୍ରତି ଜାତୀୟସ୍ତରରେ ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ପାଲିଟିଛି। ଆସ୍ଥା ଓ ବିଶ୍ୱାସର ମନ୍ଦିରରେ ଏଭଳି ଅବାଞ୍ଛିତ ବାତାବରଣ ବିଷୟରେ ଆଲୋଚନା କରିବା ପୂର୍ବରୁ ଘଟଣା ସମ୍ପର୍କରେ ଚୁମ୍ବକରେ ଅବତାରଣା କରିବା ଉଚିତ ହେବ। ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ବିଚାରପତି ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନକୁ ଘେରି ରହିଥିବା ପ୍ରାଚୀର ଭିତରେ ଥିବା ଏକ ଆଉଟହାଉସ୍ ବା ଷ୍ଟୋରରୁମ୍ରେ ମାର୍ଚ୍ଚ ୧୪ ରାତି ୧୧.୩୦ରେ ଅଗ୍ନକାଣ୍ଡ ଘଟେ। ସେତେବେଳେ ବିଚାରପତି ବର୍ମା ଦିଲ୍ଲୀରେ ଅନୁପସ୍ଥିତ ଥିବା ବେଳେ ତାଙ୍କ ଝିଅ ଦିଲ୍ଲୀ ପୁଲିସ୍କୁ ଅଗ୍ନିକାଣ୍ଡ ସମ୍ପର୍କରେ ବିଚାରପତି ବର୍ମାଙ୍କ ବ୍ୟକ୍ତିଗତ ସଚିବଙ୍କ ଜରିଆରେ ସୂଚନା ଦିଅନ୍ତି। ଏହି ସାଧାରଣ ଘଟଣା ଅସାଧାରଣ ହୋଇ ନଥା’ନ୍ତା ଯଦି ଗଣମାଧ୍ୟରେ ସେ ସମ୍ପର୍କିତ ଭିଡିଓ ଚିତ୍ର ତଥ୍ୟସମ୍ବଳିତ ଏକ ଖବର ପ୍ରକାଶ ପାଇ ନଥା’ନ୍ତା, ଯେଉଁଥିରେ ବିଚାରପତି ବର୍ମାଙ୍କ ସେହି ଆଉଟ୍ହାଉସ୍ରୁ ପ୍ରାୟ ୧୫ କୋଟି ଟଙ୍କାର ନୋଟ୍ ବିଡ଼ା ଉଦ୍ଧାର ହୋଇଥିବା କଥା ଉଲ୍ଲେଖ ହୋଇ ନଥା’ନ୍ତା। ସେହିଭଳି ନ୍ୟାୟମନ୍ଦିର ପ୍ରତି ଥିବା ଆସ୍ଥା ଓ ବିଶ୍ୱାସ ଉପରେ ପ୍ରଶ୍ନଚିହ୍ନଟିଏ ଲାଗି ନ ଥା’ନ୍ତା ଯଦି ଏହି ଘଟଣା ସମ୍ପର୍କିତ ତଥ୍ୟ ପ୍ରଘଟ ହେବାରେ ଦୃଷ୍ଟିକଟୁ ବିଳମ୍ବ ହୋଇ ନଥା’ନ୍ତା। ଯେହେତୁ ଏହି ଘଟଣା ଭାରତବର୍ଷର ସାମଗ୍ରିକ ଭାବେ ନ୍ୟାୟ ବ୍ୟବସ୍ଥା ସହିତ ଜଡ଼ିତ, ସେଥିପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ ବିଚାରବନ୍ତ, ଯତ୍ନ ଓ ସତର୍କତାର ସହିତ ନ୍ୟାୟିକ, ବିଧିବଦ୍ଧ ଓ ପ୍ରକ୍ରିୟା ଅନୁମୋଦିତ ପଦକ୍ଷେପମାନ ଯେ ନେଇଥିବେ – ଏହାକୁ ନିଶ୍ଚୟ ଅସ୍ୱୀକାର କରାଯାଇପାରିବ ନାହିଁ। ବିଚାରପତି ବର୍ମା ତାଙ୍କ ପକ୍ଷ ରଖି ଯେଉଁକେତେକ ଯୁକ୍ତି ଉପସ୍ଥାପନ କରିଛନ୍ତି ତାହାକୁ ମଧ୍ୟ ଆମ ନ୍ୟାୟବ୍ୟବସ୍ଥା ଯଥାର୍ଥ ସମ୍ମାନ ଦେଇ ଗ୍ରହଣ କରିଛି ଏବଂ ବିଚାରପତି ବର୍ମା ସ୍ୱଚ୍ଛ ନ୍ୟାୟିକ ତଦନ୍ତକୁ ସ୍ୱାଗତ କରିଛନ୍ତି।
ଏବେ କିନ୍ତୁ ଯେଉଁ କେତେକ ପ୍ରଶ୍ନ ବିଭିନ୍ନ ମହଲକୁ ଆନ୍ଦୋଳିତ କରୁଛି ତାହା ହିଁ ଘଟଣାକୁ ସ୍ପର୍ଶକାତର କରିବାରେ ଇନ୍ଧନ ଯୋଗାଉଛି। ଯଦି ବିଚାରପତି ବର୍ମା ଉତ୍କୋଚ ବଦଳରେ ରାୟ ଦେଇଥିବା ତଦନ୍ତରୁ ପ୍ରମାଣିତ ହୁଏ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ହେବ; କିନ୍ତୁ ତାଙ୍କ ଲେଖନୀମୁନରୁ ବାହାରି ଥିବା ରାୟ ନିରପେକ୍ଷ ବୋଲି ଧରାଯିବ କେମିତି? ସବୁଜାଣିବା ଓ ଦୁର୍ନୀତି ପ୍ରମାଣିତ ହେବା ପରେ ମଧ୍ୟ ପ୍ରଭାବିତ ବାଦୀ-ପ୍ରତିବାଦୀମାନଙ୍କୁ ଉପେକ୍ଷିତ କରାଯିବ କି? କଲିକତା ଉଚ୍ଚ ନ୍ୟାୟାଳୟର ବିଚାରପତି ସୌମିତ୍ର ସେନ୍, ସିକ୍ମିମ୍ ଉଚ୍ଚ ନ୍ୟାୟାଳୟର ବିଚାରପତି ପି ଡି ଦିନାକରନ୍ଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗ ଏବଂ ସେମାନେ ସେଥିଯୋଗୁଁଁ ଇସ୍ତଫା ଦେବା ଆଦି ଘଟଣା ଆଧାରରେ ଏହି ପ୍ରଶ୍ନଗୁଡ଼ିକୁ ହଠାତ୍ ଅପ୍ରାସଙ୍ଗିକ ବୋଲି କହିହେଉନାହିଁ। ଆହ୍ଲାବାଦ୍ ଉଚ୍ଚ ନ୍ୟାୟାଳୟର ବାର ଆସୋସିଏସନ୍ ପକ୍ଷରୁ ବିଚାରପତି ବର୍ମାଙ୍କ ବଦଳିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯିବା ପରେ ଘଟଣା ଅଧିକ ବିବାଦୀୟ ଓ ବିତର୍କିତ ହୋଇପଡ଼ିଛି। ଘଟଣାର ପୁଙ୍ଖାନୁପୁଙ୍ଖ ନିରପେକ୍ଷ ତଦନ୍ତ କରିବାରେ ବିଳମ୍ବ କେଉଁଠି ରହିଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ବିଚାର, ନ୍ୟାୟ ଓ ରାୟକୁ ପକ୍ଷପାତୀ କରିବା ପାଇଁ ବିଚାରପତି ବର୍ମା ଉତ୍କୋଚ ନେଇଥାଇପାରନ୍ତି ବୋଲି ଯେଉଁ ଗୁରୁତର ଅଭିଯୋଗ ଉଠିଛି ତାହାର ନିରପେକ୍ଷ ତଦନ୍ତ ପାଇଁ ଇତିମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ତିନିଜଣିଆ ଆନ୍ତଃକମିଟି ଗଠନ କରିଛନ୍ତି। ବିଚାରପତି ବର୍ମାଙ୍କୁ ନ୍ୟାୟିକ ପ୍ରକ୍ରିୟା ବା କର୍ତ୍ତବ୍ୟ ସମ୍ପାଦନରୁ ସାମୟିକ ଅବ୍ୟାହତି ଦିଆଯାଇଛି। ଭାରତୀୟ ନ୍ୟାୟବ୍ୟବସ୍ଥାର ମୌଳିକତା ଅକ୍ଷୁଣ୍ଣ ରହିଛି ଏବଂ ଭାବମୂର୍ତ୍ତି ନିଷ୍କଳଙ୍କ ଅଛି ତାହାର ପ୍ରମାଣ ସ୍ୱରୂପ ସର୍ବୋଚ୍ଚ ନ୍ୟାୟାଳୟ ଏ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ, ଅନ୍ତରୀଣ ଆଦେଶ, କାର୍ଯ୍ୟାନୁଷ୍ଠାନ ଓ ସମ୍ପୃକ୍ତ ପ୍ରଘଟ ଭିଡିଓକୁ ସାର୍ବଜନୀନ କରିଛନ୍ତି।
ଘଟଣା ସହିତ ସମ୍ପୃକ୍ତ ଅଭିଯୋଗର ସତ୍ୟାସତ୍ୟ ତଦନ୍ତ କମିଟି ରିପୋର୍ଟ ପରେ ସ୍ପଷ୍ଟ ହେବ। ତେଣୁ ତା’ ପୂର୍ବରୁ ଆମେ କହିରଖୁଛୁ ଯେ ଗଣମାଧ୍ୟମର ମର୍ଯ୍ୟାଦା ଓ ଲକ୍ଷ୍ମଣରେଖା ସମ୍ପର୍କରେ ଆମେ ସଚେତନ ଓ ଅବଗତ ଅଛୁ ଏବଂ ନ୍ୟାୟାଳୟ କିମ୍ବା ତଦନ୍ତ ପ୍ରକ୍ରିୟାକୁ ନେଇ କୌଣସି ଟିପ୍ପଣୀ ଦେବାର କିମ୍ବା ନିଷ୍କର୍ଷରେ ପହଞ୍ଚିବାର ଧୃଷ୍ଟତା କରୁନାହୁଁ। କେବଳ ଜନମାନସର ସଂଶୟ ଓ ଆସ୍ଥାର ଦୋଳନକୁ ସୂଚିତ କରିବାର ପ୍ରଚେଷ୍ଟା କରୁଛୁ। ଏକ ଦାୟିତ୍ୱସମ୍ପନ୍ନ ଗଣମାଧ୍ୟମ ସଂସ୍ଥା ଭାବରେ ଆମେ ବ୍ୟବସ୍ଥା ଓ ସମାଜ ଭିତରେ ଏକ ସେତୁ ଓ ଦର୍ପଣର ଭୂମିକା ନିର୍ବାହ କରୁଛୁ। ଏଠାରେ ଆମେ ଉଲ୍ଲେଖ କରିବା ଉଚିତ ମଣୁଛୁ ଯେ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ହିସାବରେ ଆମର ପ୍ରତିଟି ସମ୍ବେଦନଶୀଳ ଘଟଣା ଉପରେ ବିଶ୍ୱର ଦୃଷ୍ଟି ନିରନ୍ତର ନିବଦ୍ଧ ରହିଛି। ଉପରୋକ୍ତ ଘଟଣା ସହିତ କେବଳ ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସ ନୁହେଁ, ବରଂ ଭାରତୀୟ ସମ୍ବିଧାନ ଏବଂ ଶାସନବ୍ୟବସ୍ଥାର ମର୍ଯ୍ୟାଦା ଓ ପ୍ରତିଷ୍ଠାର ପ୍ରଶ୍ନ ମଧ୍ୟ ଜଡ଼ିତ ରହିଛି। ଆମର ଏହି ବିଶ୍ୱାସ ମଧ୍ୟ ରହିଛି ଯେ ନିରପେକ୍ଷ ତଦନ୍ତ ଜରିଆରେ ଖୁବ୍ଶୀଘ୍ର ସତ୍ୟାସତ୍ୟ ସାର୍ବଜନୀନ ହେବ ଏବଂ ଏହି ଅଗ୍ନିପରୀକ୍ଷାରେ ବିଶ୍ୱ ଦରବାରରେ ଭାରତ ଓ ତା’ର ନ୍ୟାୟିକ ବ୍ୟବସ୍ଥା ଚିରଶାଶ୍ୱତ ବୋଲି ପୁଣି ଥରେ ପ୍ରମାଣିତ କରିବ।