ଆହତ ସାଂସଦଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା; କହିଲେ- କ୍ଲବ ବାଉନ୍ସର ପରି ଧକ୍କା ମାରିଲେ ବିରୋଧୀ ଦଳ ନେତା

ଗତକାଲି ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାରେ ଆହତ ହୋଇଥିବା ଦୁଇ ସାଂସଦଙ୍କୁ ଭେଟିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆଜି ଆରଏମଏଲ ହସ୍ପିଟାଲରେ ପହଞ୍ଚି ବୈଜୟନ୍ତ ପଣ୍ଡା ଉଭୟଙ୍କୁ ଭେଟିଛନ୍ତି। ଏଥିସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଆହତ ସାଂସଦଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା; କହିଲେ- କ୍ଲବ ବାଉନ୍ସର ପରି ଧକ୍କା ମାରିଲେ ବିରୋଧୀ ଦଳ ନେତା

ଗତକାଲି ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାରେ ଆହତ ହୋଇଥିବା ଦୁଇ ସାଂସଦଙ୍କୁ ଭେଟିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆଜି ଆରଏମଏଲ ହସ୍ପିଟାଲରେ ପହଞ୍ଚି ବୈଜୟନ୍ତ ପଣ୍ଡା ଉଭୟଙ୍କୁ ଭେଟିଛନ୍ତି। ଏଥିସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହି ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି ବୈଜୟନ୍ତ ପଣ୍ଡା। 

ଗତକାଲି ସଂସଦ ପରିସରରେ ହୋଇଥିବା ଅପ୍ରୀତିକର ଘଟଣାରେ ଦୁଇ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଉଭୟଙ୍କ ମୁଣ୍ଡରେ ଆଘାତ ଲାଗିଛି।

ଉଭୟଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ବୈଜୟନ୍ତ ପଣ୍ଡା କହିଛନ୍ତି, ଗତକାଲି ସଂସଦରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ। ଯେତେବେଳେ ବି ସଂସଦ ପରିସରରେ କେହି ଧାରଣା ଦିଅନ୍ତି, ଅନ୍ୟମାନଙ୍କ ଯିବା ପାଇଁ ବାଟ ଛଡ଼ା ଯାଇଥାଏ। ଗତକାଲି ବିରୋଧୀ ଦଳ ନେତା ସାଇଡରେ ନ ଯାଇ ଅନ୍ୟମାନଙ୍କୁ ଧକ୍କା ମାରି ଭିତରକୁ ଯିବାକୁ ଚେଷ୍ଟା କଲେ। ଏଥିରେ ଦୁଇ ସାଂସଦ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ବିରୋଧୀ ଦଳର ନେତା ହୋଇ ବି ସେ ଜଣେ କ୍ଲବ୍‌ ବାଉନ୍ସର ଭାବେ ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ। ଉଭୟଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସେମାନଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା ଚାଲିଛି। ସେମାନେ ଖୁବ୍‌ ଶୀଘ୍ର ସୁସ୍ଥ ହେବା ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।

 ଉଭୟ ଦଳର ସାଂସଦଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଆରୋପ ପ୍ରତ୍ୟାରୋପ ଘଟଣା ଏବେ ଥାନାରେ ପହଞ୍ଚିଛି। ଉଭୟ ବିଜେପି ଓ କଂଗ୍ରେସ ଦଳର ସାଂସଦ ପରସ୍ପର ବିରୋଧରେ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି।