ଇଟାଲୀ ଗସ୍ତରେ ମୋଦି, ଜି୭ ସମ୍ମିଳନୀରେ ଯୋଗଦେବେ

ମୋଦି ଏହି ସମ୍ମିଳନୀରେ ଯୋଗ ଦେବା ସହ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମୋଲୋନିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବା ସମ୍ଭାବନା ରହିଛି।

ଇଟାଲୀ ଗସ୍ତରେ ମୋଦି, ଜି୭ ସମ୍ମିଳନୀରେ ଯୋଗଦେବେ

ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜି୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲି ଗସ୍ତରେ ବାହାରିଛନ୍ତି। ଇଟାଲୀର ଅପୁଲିଆ ଅଞ୍ଚଳରେ ଥିବା ବୋର୍ଗୋ ଏଗ୍‌ନାଜିଆ ରିସର୍ଟରେ ୫୦ତମ ଜି୭ ସମିଟ୍‌ ଅନୁଷ୍ଠିତ ହେବ। ଏହା ଜୁନ୍‌ ୧୫ ପର୍ଯ୍ୟନ୍ତ ଚାଲିବ।

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମୋଲୋନିଙ୍କ ନିମନ୍ତ୍ରଣକ୍ରମେ ଉକ୍ତ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ଆଜି ଇଟାଲୀ ଗସ୍ତ କରିବେ ବୋଲି ବୈଦେଶିକ ସଚିବ ବିନୟ ମୋହନ୍‌ କ୍ୱାତ୍ରା ସୂଚନା ଦେଇଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ମୋଦିଙ୍କର ପ୍ରଥମ ବୈଦେଶିକ ଗସ୍ତ। ଏହି ଶିଖର ସମ୍ମିଳନୀରେ ମୁଖ୍ୟତ ବିଶ୍ୱ ଭୂ-ରାଜନୈତିକ ଅଶାନ୍ତିର ମୁକାବିଲା ଉପରେ ଧ୍ୟାନ ରହିବ।

ମୋଦି ଏହି ସମ୍ମିଳନୀରେ ଯୋଗ ଦେବା ସହ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମୋଲୋନିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ଆଶା କରାଯାଉଛି। ଏହି ବୈଠକରେ ଦୁଇ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର ସମୀକ୍ଷା କରିବେ ଏବଂ ପରବର୍ତ୍ତୀ ପଦକ୍ଷେପ ପାଇଁ ନିର୍ଦ୍ଦେଶ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ଏଥିସହ ମୋଦି ଅନ୍ୟ କିଛି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବାର ସମ୍ଭାବନା ରହିଛି ବୋଲି ବୈଦେଶିକ ସଚିତ କ୍ୱାତ୍ରା କହିଛନ୍ତି।

ତେବେ ଜ୭ ସମ୍ମିଳନୀ ପୂର୍ବରୁ ଖଲିସ୍ତାନୀ ସମର୍ଥକମାନେ ବୁଧବାର ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ସେମାନେ ପ୍ରତିମୂର୍ତ୍ତି ଅନବାରଣର କିଛି ଘଣ୍ଟା ପରେ ସେଠାରେ ଏହାକୁ ଭାଙ୍ଗିଦେବା ସହ ନିହତ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ସମର୍ଥନରେ ସ୍ଲୋଗାନ ଲେଖିଛନ୍ତି। ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ପ୍ରସଙ୍ଗ ଇଟାଲୀ କର୍ତ୍ତୃପକ୍ଷଙ୍କ ଆଗରେ ଉଠାଯାଇଛି ବୋଲି କ୍ୱାତ୍ରା କହିଛନ୍ତି। ଗତବର୍ଷ କାନାଡାର ବ୍ରିଟିଶ୍‌ କଲମ୍ବିଆରେ ମଧ୍ୟ ଖଲିସ୍ତାନୀ ଆତଙ୍କବାଦୀମାନେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ।