ଇଣ୍ଡିଆ ମେଣ୍ଟ ଜନସଭାରେ ଦଳାଚକଟା; ଭାଷଣ ନଦେଇ ଫେରିଆସିଲେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବ
ଉତ୍ତରପ୍ରଦେଶରେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବଙ୍କ ସମାବେଶରେ ଦଳଚକଟା ହୋଇ ଏକାଧିକ ଲୋକ ଆହତ ହୋଇଛନ୍ତି।
ଉତ୍ତରପ୍ରଦେଶରେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବଙ୍କ ନିର୍ବାଚନ ରାଲି ଅଧାରେ ଅଟକି ଯାଇଛି। ଏହି ଦୁଇ ନେତା ମଞ୍ଚ ଉପରେ ପହଞ୍ଚି ସାରିଥିଲେ ବି ଭାଷଣ ଦେଇନପାରି ଫେରି ଆସିଛନ୍ତି।
ଆଜି ଫୁଲପୁର ଅଞ୍ଚଳରେ ଇଣ୍ଡିଆ ମେଣ୍ଟର ନିର୍ବାଚନ ରାଲି ଥିଲା। ମଞ୍ଚ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସମେତ ଏକାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଅଖିଳେଶ ଯାଦବ ଭାଷଣ ଦେବା ଆରମ୍ଭ କରିବା ସମୟରେ ହଠାତ୍ କିଛି ଲୋକ ବ୍ୟାରିକେଡ ଭାଙ୍ଗି ମଞ୍ଚ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ।
ଏହି ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ମିଡିଆ ବ୍ୟକ୍ତିବିଶେଷଙ୍କ କ୍ୟାମେରା ଓ ଷ୍ଟାଣ୍ଡ ମଧ୍ୟ ଭାଙ୍ଗି ଯାଇଥିଲା। ଫଳରେ ସଭାକୁ ସମ୍ବୋଧିତ କରିନପାରି ଫେରି ଆସିଛନ୍ତି ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବ। ଏହି ଦଳାଚକଟାରେ ଏକାଧିକ ଲୋକ ମଧ୍ୟ ଆହତ ହୋଇଥିବା କୁହାଯାଉଛି।
ଫୁଲପୁର ପରେ ରାହୁଲ ଓ ଅଖିଳେଶ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଉ ଏକ ରାଲିରେ ପହଞ୍ଚିଥିଲେ। ଏହି ରାଲିରେ ମଧ୍ୟ ସମାନ ଭାବେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଠାରେ ମଧ୍ୟ କିଛି ଲୋକ ବ୍ୟାରିକେଡ ଭାଙ୍ଗି ମଞ୍ଚ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୁରକ୍ଷାକର୍ମୀ ଓ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପରେ ଭାଷଣ ଦେଇଥିଲେ ରାହୁଲ ଓ ଅଖିଳେଶ।