ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା:ଆନ୍ଦୋଳନ ପାଇଁ ବିରୋଧୀଙ୍କ ସଜବାଜ

ବରଗଡ଼,୨୪।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାଠାରେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆନ୍ଦୋଳନ ତେଜି ଉଠିଛି। ଗୁରୁବାର ସ୍ଥାନୀୟ କୋଶଲ ଛାତ୍ର ୟୁନିୟନ ଉକ୍ତ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖାର ଦୃଢ଼ ପ୍ରତିବାଦ କରିଥିଲା। କୋଶଲ ଛାତ୍ର ୟୁନିୟନର ପ୍ରତିନିଧିମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ସ୍ଥାନୀୟ ଶ୍ରମିକମାନେ ମଧ୍ୟ ସେଥିରେ ସାମିଲ ହୋଇଥିଲେ। ଆନ୍ଦୋଳନ […] The post ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା:ଆନ୍ଦୋଳନ ପାଇଁ ବିରୋଧୀଙ୍କ ସଜବାଜ appeared first on Dharitri Odia News.

ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା:ଆନ୍ଦୋଳନ ପାଇଁ ବିରୋଧୀଙ୍କ ସଜବାଜ

ବରଗଡ଼,୨୪।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାଠାରେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆନ୍ଦୋଳନ ତେଜି ଉଠିଛି। ଗୁରୁବାର ସ୍ଥାନୀୟ କୋଶଲ ଛାତ୍ର ୟୁନିୟନ ଉକ୍ତ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖାର ଦୃଢ଼ ପ୍ରତିବାଦ କରିଥିଲା। କୋଶଲ ଛାତ୍ର ୟୁନିୟନର ପ୍ରତିନିଧିମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ସ୍ଥାନୀୟ ଶ୍ରମିକମାନେ ମଧ୍ୟ ସେଥିରେ ସାମିଲ ହୋଇଥିଲେ। ଆନ୍ଦୋଳନ ଯୋଗୁ ଉକ୍ତ ପ୍ଲାଣ୍ଟରେ ସକାଳ ୮ଟାରୁ ପୂର୍ବାହ୍ନ ୧୦ଟା ଯାଏ ଦୀର୍ଘ ୨ଘଣ୍ଟା ଧରି ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ଏହି ସମୟ ଅବଧିରେ ପ୍ଲାଣ୍ଟରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। ପରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ସେମାନଙ୍କ ଦାବି ଉପରେ ବିହିତ ପଦକ୍ଷେପ ନିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପ୍ଲାଣ୍ଟରେ କାର୍ଯ୍ୟ ସ୍ବାଭାବିକଭାବେ ଚାଲିଥିଲା। ଅନ୍ୟପଟେ ସ୍ଥାନୀୟ ନିଯୁକ୍ତି ନେଇ ଉକ୍ତ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ଅଣଦେଖା ମନୋଭାବ ଯୋଗୁ ଜିଲାର ଅନେକ ସାମାଜିକ ଅନୁଷ୍ଠାନ ଏବଂ ବିଭିନ୍ନ ରାଜନୈତିକ ଦଳ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବରଗଡ଼ ଜିଲାରେ ଏକ ଇଥାନଲ ପ୍ଲାଣ୍ଟ ହେବା ନେଇ ଗତ ୨୦୧୯ ସାଧାରଣ ନିର୍ବାଚନ ପରେ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ସୂଚନା ଦେଇଥିଲେ। ତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟ ଉତ୍ସାହତ ଥିଲୋ। ସ୍ଥାନୀୟ ଲୋକେ ନିଯୁକ୍ତି ପାଇବା ସହିତ ଜିଲାର ଚାଷୀମାନେ ପ୍ଲାଣ୍ଟକୁ ଧାନ ଫସଲର ନଡ଼ା ପ୍ରଦାନ କରି ଲାଭାନ୍ବିତ ହେବେ ବୋଲି ଅଶା କରାଯାଇଥିଲା। ୨୦୨୨ରୁ ଭାରତୀୟ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌(ବିପିସିଏଲ୍‌) ପକ୍ଷରୁ ବାଉଲସିଂହାଠାରେ ଉକ୍ତ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଛି। ଆଉ କିଛିମାସ ପରେ ଏହାର ଶୁଭାରମ୍ଭ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ରାଜଅତିଥିଭାବେ ଯୋଗଦେବା ପରେ ଏହି ସୂଚନା ଦେଇ ସାରିଛନ୍ତି। ବରଗଡ଼ରେ ଉକ୍ତ ଇଥାନଲ ପ୍ଲାଣ୍ଟ ରହିଥିବାବେଳେ ଏହି ପ୍ଲାଣ୍ଟର ବିଭିନ୍ନ ପଦବୀ ପାଇଁ ଗତ କିଛିଦିନ ତଳେ ଝାରଖଣ୍ଡ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। ଏହି ସୂଚନା ପାଇବା ପରେ ଜିଲାରେ ଅସନ୍ତୋଷ ବଢ଼ି ଚାଲିଛି। ଏହି ସୂଚନା ପାଇ ପ୍ଲାଣ୍ଟ ପକ୍ଷରୁ ହାତଗଣତି କିଛି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ଆନ୍ଦୋଳନର ଦାନା ବାନ୍ଧି ବସିଛି। ବୁଧବାର ଏହି କ୍ରମରେ କୋଶଲ ଛାତ୍ର ୟୁନିୟନ ନେତୃତ୍ୱରେ ଶତାଧିକ ତାଲିମପ୍ରାପ୍ତ ଯୁବକ ଜିଲାପାଳଙ୍କୁ ଫେରାଦ ହୋଇ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅନୁରୂପଭାବେ ଆମ ଆଦମୀ ପାର୍ଟି ମଧ୍ୟ ପ୍ଲାଣ୍ଟର ନିଯୁକ୍ତି ପ୍ରକ୍ରିୟାକୁ ସନ୍ଦେହ କରି ଏଥିରେ ସିଧାସଳଖ ଭାଜପା ନେତୃତ୍ୱାଧୀନ ରାଜ୍ୟ, କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିଲା।
ଅନ୍ୟପଟେ ଗୁରୁବାର କୋଶଲ ଛାତ୍ର ୟୁନିୟନ ନେତୃତ୍ୱରେ ପ୍ଲାଣ୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକ ଏବଂ ବିଭିନ୍ନ ପଦବୀ ପାଇଁ ପ୍ଲାଣ୍ଟ କର୍ତ୍ତୃପକ୍ଷ ଅନୁଭବ ପ୍ରମାଣପତ୍ର(ଏକ୍ସପେରିଏନ୍ସ ସାର୍ଟିଫିକେଟ୍‌)କୁ ବାଧ୍ୟତାମୂଳକ କରିଥିବା ଯୋଗୁ ୟୁନିୟନ ତାକୁ ଦୃଢ଼ ବିରୋଧ କରିଥିଲା। ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ସହିତ ସେଥିରେ ସ୍ଥାନୀୟ ନିଯୁକ୍ତିକୁ ପ୍ରାଥମିକତା ଦେବାକୁ ୟୁନିୟନ ଦାବି କରି ପ୍ଲାଣ୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ସେ ନେଇ ନିର୍ଭର ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ହଟିଥିଲା। ଅନ୍ୟପଟେ ନିଯୁକ୍ତି ପ୍ରକ୍ରିୟାରେ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ବରୋଧୀ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଲାଇଥିବା ସୂଚନା ମିଳିଛି।

The post ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା:ଆନ୍ଦୋଳନ ପାଇଁ ବିରୋଧୀଙ୍କ ସଜବାଜ appeared first on Dharitri Odia News.