ଇନଷ୍ଟାଗ୍ରାମ ଲାଇଭରେ କମେଣ୍ଟମରାକୁ ନେଇ ଦୁଇ ଯୁବକଙ୍କୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ ଘଟଣା, ୩ଗିରଫ
ବ୍ରହ୍ମପୁର: ଇନଷ୍ଟାଗ୍ରାମ ଲାଇଭରେ କମେଣ୍ଟମରାକୁ ନେଇ ଦୁଇ ଯୁବକଙ୍କୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ବୈଦ୍ୟନାଥପୁର ପୁଲିସ ୩ ଜଣକୁ ଗିରଫ କରିଛି। କାର୍ତ୍ତିକ ରାଓ ଓ ସିଦ୍ଧାନ୍ତ ଦାଶ ନାମକ ଦୁଇ ଯୁବକକୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ ୩ଜଣକୁ କାବୁ କରିଥିବା ବେଳେ ଏକାଧିକ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ବୈଦ୍ୟନାଥପୁର ଥାନା ଅଞ୍ଚଳର ଶୁଭମ ଲେଙ୍କା(୧୯)କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା […]

ବ୍ରହ୍ମପୁର: ଇନଷ୍ଟାଗ୍ରାମ ଲାଇଭରେ କମେଣ୍ଟମରାକୁ ନେଇ ଦୁଇ ଯୁବକଙ୍କୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ବୈଦ୍ୟନାଥପୁର ପୁଲିସ ୩ ଜଣକୁ ଗିରଫ କରିଛି। କାର୍ତ୍ତିକ ରାଓ ଓ ସିଦ୍ଧାନ୍ତ ଦାଶ ନାମକ ଦୁଇ ଯୁବକକୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ ୩ଜଣକୁ କାବୁ କରିଥିବା ବେଳେ ଏକାଧିକ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ବୈଦ୍ୟନାଥପୁର ଥାନା ଅଞ୍ଚଳର ଶୁଭମ ଲେଙ୍କା(୧୯)କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଅନ୍ୟ ଦୁଇଜଣ ନାବାଳକକୁ ଜେଜେବିରେ ହାଜର କରିଛି। ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉଭୟ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।
ଏହି ଘଟଣାରେ ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି। ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢଉ ଜାରି ରଖିଛି। ଖୁବଶୀଘ୍ର ସମସ୍ତଙ୍କୁ ଧରିବାରେ ସଫଳ ହେବ ବୋଲି ପୁଲିସ ଆଶା ରଖିଛି। ଇନଷ୍ଟାଗ୍ରାମ ଲାଇଭରେ କମେଣ୍ଟମରାକୁ ନେଇ ପ୍ରଥମେ ବଚସା ଓ ପରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ପୁଲିସ ତଦନ୍ତରେ ଜଣାପଡିଥିଲା। ସୂଚନାଯୋଗ୍ୟ ଯେ, ଗତ ୨୯ତାରିଖରେ ବିଜିପୁରର ଏନ. କାର୍ତ୍ତିକ ରାଓ ଓ ସିଦ୍ଧାନ୍ତ କୁମାର ଦାଶ ଉଭୟେ ଇନଷ୍ଟାଗ୍ରାମରେ ଲାଇଭରେ ଆସିଥିଲେ। ଏହି ସମୟରେ ବାପୁଜୀ ନଗର ଅଞ୍ଚଳର ଦୁଇ ନାବାଳକ ଖରାପ ଭାଷାରେ କମେଣ୍ଟ କରିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଉକ୍ତ ଦିନ ସନ୍ଧ୍ୟାରେ ବିଜିପୁର କାଳୀମନ୍ଦିର ନିକଟରେ କାର୍ତ୍ତିକ ଓ ସିଦ୍ଧାନ୍ତ ଚାଲିଚାଲି ଯାଉଥିବା ବେଳେ ସୁନିଲ, ଅରମନ, ଶୁଭମ ଲେଙ୍କା, ରାଜ୍, ସ୍ୱାଧୀନଙ୍କ ସମେତ ପ୍ରାୟ ୧୦ଜଣ ଯୁବକ ଗାଳିଗୁଲଜ କରିଥିଲେ। ପରେ ସୁନିଲ ଓ ସ୍ୱାଧୀନ ସେମାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ପୁଲିସ ନିକଟ ଆହତ କାର୍ତ୍ତିକ ଅଭିଯୋଗ କରିଛନ୍ତି।
ଆକ୍ରମଣରେ ସିଦ୍ଧାର୍ଥ ଓ କାର୍ତ୍ତିକ ଗୁରୁତର ଆହତ ହୋଇଥିଲେ। ଘଟଣାପରେ ଆକ୍ରମଣକାରୀ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ସ୍ଥାନୀୟ ଲୋକେ ସିଦ୍ଧାର୍ଥ ଓ କାର୍ତ୍ତିକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବରପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଥିବା ତଦନ୍ତ ଅଧିକାରୀ ସୁଜାତା କହଁର ସୂଚନା ଦେଇଛନ୍ତି।