ଇପିଏଫ୍ଓରେ ବଡ଼ ପରିବର୍ତ୍ତନ ଲାଗି କେନ୍ଦ୍ରର ପ୍ରସ୍ତୁତି, ପିଏଫ୍ ଉଠାଣ ପାଇଁ ମିଳିବ ଏଟିଏମ୍ ଭଳି କାର୍ଡ
ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍ଓ)ରେ କେନ୍ଦ୍ର ସରକାର ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଏଥିପାଇଁ ଇପିଏଫ୍ଓ ୩.୦ର ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇସାରିଥିବା ସୂଚନା ମିଳିଛି। ଏହା ଅଧୀନରେ କର୍ମଚାରୀଙ୍କୁ ଏଟିଏମ୍ ଭଳି କାର୍ଡ ପ୍ରଦାନ କରାଯିବ। ଏହାକୁ ଇପିଏଫଓ ୱିଥ୍ଡ୍ରାଲ କାର୍ଡ କୁହାଯିବ। ଏହା ମାଧ୍ୟମରେ ଏଟିଏମ୍ରୁ ସିଧାସଳଖ ଭାବେ ପିଏଫ୍ ଖାତାରୁ ଟଙ୍କା ଉଠାଇ ହେବ। ଆସନ୍ତା ବର୍ଷ ଜୁନ୍ରୁ ଏହି ସେବା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି। […]

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍ଓ)ରେ କେନ୍ଦ୍ର ସରକାର ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଏଥିପାଇଁ ଇପିଏଫ୍ଓ ୩.୦ର ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇସାରିଥିବା ସୂଚନା ମିଳିଛି। ଏହା ଅଧୀନରେ କର୍ମଚାରୀଙ୍କୁ ଏଟିଏମ୍ ଭଳି କାର୍ଡ ପ୍ରଦାନ କରାଯିବ। ଏହାକୁ ଇପିଏଫଓ ୱିଥ୍ଡ୍ରାଲ କାର୍ଡ କୁହାଯିବ। ଏହା ମାଧ୍ୟମରେ ଏଟିଏମ୍ରୁ ସିଧାସଳଖ ଭାବେ ପିଏଫ୍ ଖାତାରୁ ଟଙ୍କା ଉଠାଇ ହେବ। ଆସନ୍ତା ବର୍ଷ ଜୁନ୍ରୁ ଏହି ସେବା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି। ତେବେ ଏହା ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ରାଶି ବାହାର କରିହେବ। କର୍ମଚାରୀ ଜରୁରୀ ସ୍ଥିତିରେ ଟଙ୍କା ଉଠାଇ ପାରିବେ। ମାତ୍ର ଆକାଉଣ୍ଟରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଅବସର ପରେ ମଧ୍ୟ ଆକାଉଣ୍ଟରେ ପର୍ଯ୍ୟାପ୍ତ ରାଶି ସୁନିଶ୍ଚିତ ରହିବ। ସେହିପରି ଇପିଏଫ କର୍ମଚାରୀଙ୍କ ଯୋଗଦାନକୁ ୧୨ ପ୍ରତିଶତରୁ ବୃଦ୍ଧି କରିବାକୁ ମଧ୍ୟ ବିଚାର କରାଯାଉଛି। ବର୍ତ୍ତମାନ କର୍ମଚାରୀ ନିଜ ମୂଳ ଦରମା, ମହଙ୍ଗା ଭତ୍ତା ଏବଂ ରିଟେନିଂ ଭତ୍ତାର ୧୨ ପ୍ରତିଶତ ଯୋଗଦାନ ଦେଇଥାନ୍ତି। ଏଥିରୁ ୮.୩୩ ପ୍ରତିଶତ ପେନ୍ସନ୍ ଫଣ୍ଡକୁ ଏବଂ ୩.୬୭ ପ୍ରତିଶତ ଇପିଏଫ୍କୁ ଯାଇଥାଏ।
କେନ୍ଦ୍ର ସରକାର ପେନ୍ସନ୍ ଯୋଜନା (ଇପିଏସ-୯୫)ରେ ମଧ୍ୟ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଏହା ଅଧିନରେ ୮.୩୩ ପ୍ରତିଶତ ଯୋଗଦାନକୁ କର୍ମଚାରୀ ବୃଦ୍ଧି କରିପାରିବେ। ତେବେ କମ୍ପାନୀ ଯୋଗଦାନରେ କୌଣସି ପରିବର୍ତ୍ତନ ହେବ ନାହିଁ। କର୍ମଚାରୀଙ୍କ ଯେକୌଣସି ସମୟରେ ଯୋଗଦାନ ଏବଂ ପେନ୍ସନ୍ ପାଣ୍ଠିର ରାଶିକୁ ବଢ଼ାଇ ପାରିବେ। କର୍ମଚାରୀଙ୍କୁ ପିଏଫ୍ ସୁବିଧା ପ୍ରତି ସଚେତନ କରିବା ପାଇଁ ପୋର୍ଟାଲକୁ ଅଧିକ ଲୋକାଭିମୁଖୀ କରାଯିବ। ଉଠାଣ ନିୟମ ଅନୁଯାୟୀ ଯଦି କୌଣସି ସଦସ୍ୟ ଚାକିରି ହରାନ୍ତି ତେବେ ସେ ମାସେ ପରେ ପିଏଫ୍ ଆକାଉଣ୍ଟରୁ ୭୫ ପ୍ରତିଶତ ଟଙ୍କା ଉଠାଇ ପାରିବେ। ଏହା ଦ୍ବାରା ସେ ବେରୋଜଗାର ଥିବା ସମୟରେ ନିଜର ଆବଶ୍ୟକତା ପୂରଣ କରିପାରିବେ। ପିଏଫ୍ରେ ଜମା ଥିବା ବାକି ୨୫ ପ୍ରତିଶତ ଅଂଶଧନକୁ ଚାକିରି ହରାଇବାର ଦୁଇ ମାସ ପରେ ଉଠାଇ ପାରିବେ।
ଅନ୍ୟପକ୍ଷରେ ଇପିଏଫଓ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ କିଛି ଲୋକଙ୍କୁ ଆଧାର କାର୍ଡ ଲିଙ୍କ୍ ବିନା ଟଙ୍କା ଉଠାଇବାର ସୁବିଧା ପ୍ରଦାନ କରାଯାଇଛି। ନୂଆ ନିୟମ ଅନୁଯାୟୀ ପିଏଫ୍ ସମ୍ବନ୍ଧିତ ସମସ୍ତ ନିୟମ ପୂରଣ କରି ବିଦେଶ ଚାଲି ଯାଇଥିବା କର୍ମଚାରୀ ଆଧାର ଲିଙ୍କ୍ ବିନା ଟଙ୍କା ଉଠାଇ ପାରିବେ। ସେହିପରି ଭାରତ ଛାଡ଼ି ଅନ୍ୟ ଦେଶର ନାଗରିକତା ନେଇଥିବା ଲୋକେ ମଧ୍ୟ ଏହି ସୁବିଧା ପାଇବେ। ତେବେ ଚୂଡ଼ାନ୍ତ ଉଠାଣ ପାଇଁ ନାଗରିକତା ପ୍ରମାଣପତ୍ର ଜରୁରୀ। ଭାରତୀୟ କମ୍ପାନୀରେ କାମ କରୁଥିବା ନେପାଳ ଏବଂ ଭୂଟାନ ଲୋକ ମଧ୍ୟ ଏହି ସୁବିଧାର ଲାଭ ଉଠାଇ ପାରିବେ।
ବକେୟା ପାଣ୍ଠି ଜମାରେ ଲାଗିବନି ଜରିମାନା
ଇପିଏଫ୍ଓ ପକ୍ଷରୁ ଶନିବାର ବଡ଼ ନିଷ୍ପତ୍ତି ନିଆଯାଇଛି। ନିଯୁକ୍ତିଦାତାଙ୍କ ଲାଗି ‘କ୍ଷମା ଯୋଜନା-୨୦୨୪’କୁ ମଞ୍ଜୁରି ଦିଆଯାଇଛି। ଏହା ଅଧିନରେ ଏବେ ବିନା କୌଣସି ଜରିମାନାରେ ପୂର୍ବ ଭବିଷ୍ୟ ନିଧି ବକେୟାକୁ ଜମା କରିବା ପାଇଁ ଅନୁମତି ମିଳିବ। ଏହି ଯୋଜନାର ଲାଭ ଉଠାଇବା ପାଇଁ ନିଯୁକ୍ତିଦାତାଙ୍କୁ ଅନ୍ଲାଇନରେ ଏକ ସାଧାରଣ ଘୋଷଣା କରିବାକୁ ହେବ। ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଏକ ଅଧ୍ୟକ୍ଷତାରେ ବସିଥିବା ଇପିଏଫ୍ଓର ସିବିଟି ବୈଠକରେ କ୍ଷମା ଯୋଜନାକୁ ମଞ୍ଜୁରି ଦେବା ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି। ଏହି ଯୋଜନାରେ ନିଯୁକ୍ତିଦାତାଙ୍କୁ ବିନା ଦଣ୍ଡ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ବିନା ପୂର୍ବ ତଥ୍ୟର ଘୋଷଣା କରି ବକେୟା ଜମା କରିବାକୁ ପ୍ରୋତ୍ସାହିତ କରାଯିବ। ଅଧିକରୁ ଅଧିକ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷାର ଲାଭ ପ୍ରଦାନ, ନିଯୁକ୍ତିଦାତାଙ୍କ ଭରସାକୁ ବଜାୟ ରଖିବା ଏହାର ଉଦ୍ଦେଶ୍ୟ।