ଉଜୁଡ଼ିବାକୁ ବସିଛି କୋରାବନ୍ଦୀ ଶାଳ ଜଙ୍ଗଲ
କୋରେଇ,୫।୩(ଚନ୍ଦ୍ରକାନ୍ତ ପତି):ରାଜ୍ୟରେ ନୁତନ ଜଙ୍ଗଲ ସୃଷ୍ଟି ତଥା ବନୀକରଣ ମାଧ୍ୟମରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ବାସ୍ତବରେ ଏହି ଯୋଜନା କର୍ମଚାରୀ ଓ ଠିକାଦାର ପୋଷଣ ନୀତିରେ ପରିଣତ ହୋଇଛି । ବିଭିନ୍ନ ଜାଗାରେ ବନୀକରଣ ନାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆରଇଜିଏସ୍) ମାଧ୍ୟମରେ ପ୍ରଚୁର ଅର୍ଥ ହରିଲୁଟ ହେଉଛି । ବନବିଭାଗ ଅଧିକାରୀମାନେ ନିଜର ମୂଳ ଦାୟିତ୍ୱ […] The post ଉଜୁଡ଼ିବାକୁ ବସିଛି କୋରାବନ୍ଦୀ ଶାଳ ଜଙ୍ଗଲ appeared first on Dharitri Odia News.
କୋରେଇ,୫।୩(ଚନ୍ଦ୍ରକାନ୍ତ ପତି):ରାଜ୍ୟରେ ନୁତନ ଜଙ୍ଗଲ ସୃଷ୍ଟି ତଥା ବନୀକରଣ ମାଧ୍ୟମରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ବାସ୍ତବରେ ଏହି ଯୋଜନା କର୍ମଚାରୀ ଓ ଠିକାଦାର ପୋଷଣ ନୀତିରେ ପରିଣତ ହୋଇଛି । ବିଭିନ୍ନ ଜାଗାରେ ବନୀକରଣ ନାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆରଇଜିଏସ୍) ମାଧ୍ୟମରେ ପ୍ରଚୁର ଅର୍ଥ ହରିଲୁଟ ହେଉଛି । ବନବିଭାଗ ଅଧିକାରୀମାନେ ନିଜର ମୂଳ ଦାୟିତ୍ୱ ଭୁଲି ଠିକାଦାରୀ ରାଜନୀତିରେ ଲିପ୍ତ ରହୁଛନ୍ତି ।
ସୂଚନା ଅନୁଯାୟୀ, କଟକ ବନଖଣ୍ଡ ଯାଜପୁର ରୋଡ଼ ରେଞ୍ଜ ଅଧୀନ ପଛିକୋଟ ଡିମାର୍କେଟେ ପ୍ରୋଟେକ୍ଟ ଫରେଷ୍ଟ(ଡିପିଏଫ୍) ଅଧୀନ କୋରାବନ୍ଦୀ ଓ ମଲାରିଆ ମଧ୍ୟ ଭାଗରେ ଥିବା ୧୪୮ ହେକ୍ଟର ଏକମାତ୍ର ଶାଳ ଜଙ୍ଗଲ ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଯାଜପୁର ରୋଡ଼ ବନବିଭାଗ ଏହାକୁ ସୁରକ୍ଷା ଦେବା ବଦଳରେ କାଠ ବ୍ୟବସାୟୀଙ୍କ ସହଯୋଗୀ ସାଜିଥିବା ପରି ମନେ ହେଉଛି । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଏହି ଜଙ୍ଗଲରୁ ମୂଲ୍ୟବାନ ଶାଳ,ଅଶନ,ମହୁଲ, ଚାର ଆଦି ପ୍ରାକୃତିକ ବୃକ୍ଷ ବିଲୁପ୍ତ ହେବାକୁ ବସିଛି । ଏହି ଜଙ୍ଗଲର ସୁରକ୍ଷା ପାଇଁ ରଗ ଛକରେ ଏକ ନୂତନ ବିଟ୍ ହାଉସ ନିର୍ମାଣ କରାଯାଇଥିଲା । ଜଣେ ଫରେଷ୍ଟର ସେଠାରେ ସ୍ଥାୟୀ ହୋଇ ରହିବା ସହିତ କେତେଜଣ କର୍ମଚାରୀ ମଧ୍ୟ ସେଠାରେ ରୀତିମତ ନିୟୋଜିତ ରହିବା କଥା । ହେଲେ ପ୍ରାୟ ଦେଢ଼ ବର୍ଷ ହେବ ସେଠାରେ ତାଲା ଝୁଲୁଛି । କେତେବେଳେ କେମିତି ସରକାରୀ ଅଧିକାରୀମାନେ ଆସୁଛନ୍ତି ପୁଣି ତାଲା ବନ୍ଦ କରି ଚାଲିଯାଉଛନ୍ତି । ଯେଉଁ ଉଦ୍ଦେଶ୍ୟରେ ବନବିଭାଗ ପକ୍ଷରୁ ଏହି ବିଟ୍ ହାଉସ ନିର୍ମାଣ ହୋଇଥିଲା ତାହା ଲକ୍ଷ୍ୟଚ୍ୟୁତ ହୋଇଛି । ବନଖଣ୍ଡ ଅଧିକାରୀଙ୍କୁ ପ୍ରଶ୍ନ କଲେ କର୍ମଚାରୀ ଅଭାବ କହି ଏଡାଇ ଯାଉଛନ୍ତି । ଯାଜପୁର ରୋଡ଼ ବନବିଭାଗର ଅଧିକାଂଶ କର୍ମଚାରୀ ଏବେ ଦାନଗଦି ବ୍ଲକ ତେଲିବାହାଳି ଅଞ୍ଚଳରେ ନିର୍ମାଣ ଚାଲୁଥିବା ପାର୍କରେ ନିଜର କାର୍ଯ୍ୟ ସୀମିତ ରଖିଛନ୍ତି । ଏଭଳି ସ୍ଥିତିରେ କୋରବନ୍ଦୀ ଶାଳ ଜଙ୍ଗଲଟି ରକ୍ଷଣାବେକ୍ଷଣ ଅଭାବରୁ ସଫା ହେବାକୁ ବସିଲାଣି । ବର୍ତ୍ତମାନ ଧାନ ଉଷାଇବା ପାଇଁ ବହୁ ଲୋକ ଶାଳ ଗଛ କାଟି ନେଉଛନ୍ତି । ଜାଳେଣି କାଠ ପାଇଁ ମଧ୍ୟ ବ୍ୟବସାୟୀମାନେ ଶାଳ ଗଛ କାଟି ବିକ୍ରି କରୁଛନ୍ତି । ପୂର୍ବରୁ ଗ୍ରାମବାସୀମାନଙ୍କ ଦ୍ୱାରା ସଂରକ୍ଷିତ ଥିବା ଏହି ଜଙ୍ଗଲର ରକ୍ଷଣାବେକ୍ଷଣ ଦାୟିତ୍ୱ ଗତ କିଛି ବର୍ଷ ତଳେ ଯାଜପୁର ରୋଡ଼ ବନବିଭାଗ ହାତରେ ନ୍ୟସ୍ତ କରାଯାଇଥିଲା । ସେବେଠୁ ଜଙ୍ଗଲର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନ୍ୟଜନ୍ତୁମାନେ ମଧ୍ୟ ଜଙ୍ଗଲରେ ନିଜକୁ ଅସୁରକ୍ଷିତ ମଣି ଜନବସତି ମୁହାଁ ହେଉଥିବା ସହ ବିଭିନ୍ନ ସମୟରେ ଭାଲୁମାନେ ରାସ୍ତା ପାରି ହେଉଥିବା ସମୟରେ ଗାଡ଼ି ଧକ୍କାରେ ମୃତ୍ୟୁବରଣ କରୁଛନ୍ତି । ଜଙ୍ଗଲ ମଧ୍ୟରେ ପଶୁପକ୍ଷୀମାନଙ୍କ ପାଇଁ ପିଇବା ପାଣିର କୌଣସି ସୁବିଧା କରାଯାଇନାହିଁ । ଗତବର୍ଷ କିଛି ଦିନ ତଳେ ଏକ ହରିଣ ଛୁଆ ରାସ୍ତା କଡ଼ରେ ଥିବା ଏକ ପଥର ଛଇକୁ ପାଣି ପିଇବା ପାଇଁ ଯାଇ ବୁଲା କୁକୁରଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିଲା। ସେହିପରି ୨୦୨୦ରେ ଜାତୀୟ ରାଜପଥ ପାରି ହେଉଥିବା ସମୟରେ ଟ୍ରକ ଧକ୍କାରେ ୨ ଟି ମା ଓ ଛୁଆ ଭାଲୁର ମୃତ୍ୟୁ ହୋଇଥିଲା । ସେହିପରି କିଛି ଦିନ ତଳେ ରେଙ୍ଗାଲୀ ଷ୍ଟକୟାର୍ଡ ନିକଟରେ ଏକ ଛୁଆ ଭାଲୁର ମୃତ୍ୟୁ ଘଟିଥିଲା । ଏହି ଜଙ୍ଗଲରେ ବାସ କରୁଥିବା ବନ୍ୟପ୍ରାଣୀ ଯଥା ଭାଲୁ, ଠେକୁଆ, ହରିଣ, କୁଟାରୀ,ବାରହା ଆଦି ବନ୍ୟପ୍ରାଣୀ ଉକ୍ତ ଜଙ୍ଗଲରେ ନିଜକୁ ଅସୁରକ୍ଷିତ ମଣି ଗ୍ରାମାଞ୍ଚଳ ମୁହାଁ ହେଉଥିବା ପରିଲକ୍ଷିତ ହେଉଛି । କେତେବେଳେ ଭାଲୁ ଆକ୍ରମଣରେ ଲୋକେ ମୃତ୍ୟୁ ହେଉଛି ତ ଆଉ କେତେବେଳେ ଭାଲୁ ଲୋକଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଏନେଇ ଯାଜପୁର ରୋଡ଼ ବନଖଣ୍ଡ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ପଚାରିବାରେ କର୍ମଚାରୀ ଅଭାବରୁ ଏପରି ହେଉଥିବା ବେଳେ ଆଗକୁ ଏଥିପ୍ରତି ଆମେ ଯତ୍ନବାନ ହେବୁ ବୋଲି କହିଛନ୍ତି ।
The post ଉଜୁଡ଼ିବାକୁ ବସିଛି କୋରାବନ୍ଦୀ ଶାଳ ଜଙ୍ଗଲ appeared first on Dharitri Odia News.