ଉତ୍ତମ ମହାନ୍ତି: କିଛି ଜଣା, କିଛି ଅଜଣା କଥା
ଭୁବନେଶ୍ବର: ଓଲିଉଡର ଏଭରଗ୍ରୀନ ଷ୍ଟାର ଉତ୍ତମ ମହାନ୍ତି ଆଉ ନାହାନ୍ତି । ୬୭ ବର୍ଷ ବୟସରେ ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶାର ଘରେ ଘରେ ପରିଚିତ ଉତ୍ତମ ମହାନ୍ତିଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା କିଛି ଜଣା ଓ […] The post ଉତ୍ତମ ମହାନ୍ତି: କିଛି ଜଣା, କିଛି ଅଜଣା କଥା appeared first on Odisha.News.
ଭୁବନେଶ୍ବର: ଓଲିଉଡର ଏଭରଗ୍ରୀନ ଷ୍ଟାର ଉତ୍ତମ ମହାନ୍ତି ଆଉ ନାହାନ୍ତି । ୬୭ ବର୍ଷ ବୟସରେ ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶାର ଘରେ ଘରେ ପରିଚିତ ଉତ୍ତମ ମହାନ୍ତିଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା କିଛି ଜଣା ଓ ଅଜଣା କଥା ।
ଚାର୍ଟର୍ଡ ଆକାଉଣ୍ଟ ପାଠ ଭଲ ଲାଗି ନଥିଲା
ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ସମସ୍ତଙ୍କ ପରି ପାଠ ପଢ଼ି ଭଲ ଚାକିରି କରିବାକୁ ପରିବାର ଲୋକେ ଚାହୁଁଥିଲେ । ଏଥିପାଇଁ ଗ୍ରାଜୁଏସନ ପରେ ଚାର୍ଟାର୍ଡ ଆକାଉଣ୍ଟାନ୍ସି କରିବାକୁ ଲୁଧିଆନା ଯାଇଥିଲେ ଉତ୍ତମ । ପରେ କଲିକତାରେ ଭାଇଙ୍କ ସହ କିଛିଦିନ ରହିଥିଲେ । ହେଲେ ଚାର୍ଟାର୍ଡ ପାଠରେ ତାଙ୍କର ମନ ଲାଗି ନଥିଲା । ଏହାପରେ ସେ ବାରିପଦା ଫେରି ଆସିଥିଲେ । ପରେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ ।
‘ଅଭିମାନ’ରୁ ଆରମ୍ଭ ହୋଇଥିଲା ଦଣ୍ଡା ବାଳୁଙ୍ଗାଙ୍କ ଫିଲ୍ମ କ୍ୟାରିୟର
୧୯୭୭ ମସିହାରେ ବାରିପଦାରେ ପ୍ରସିଦ୍ଧ ଚଳଚିତ୍ର ନିର୍ଦ୍ଦେଶକ ସାଧୁ ମେହେର ‘ଅଭିମାନ’ ନାମକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଥିଲେ । ଏଥିରେ ଉତ୍ତମ ମହାନ୍ତି ହିରୋ ଭାବେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ । ସେତେବେଳେ ଏହି ଫିଲ୍ମ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା । ଆଉ ଏହାସହ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଡେବ୍ୟୁ କରିଥିଲେ ଉତ୍ତମ । ବାସ୍ ତା’ପରେ ସେ ଆଉ ପଛକୁ ଫେରିନାହାନ୍ତି ।
ହିଟ୍ ମାଷ୍ଟର ଉତ୍ତମ ମହାନ୍ତି
ଅଭିମାନ ଫିଲ୍ମ ପରେ ଆଉ ପଛକୁ ଫେରି ଚାହିଁ ନଥିଲେ ଉତ୍ତମ ମହାନ୍ତି । ଗୋଟିଏ ପରେ ଗୋଟିଏ ହିଟ୍, ସୁପରହିଟ୍ ଫିଲ୍ମ ଭେଟି ଦେଇ ଚାଲିଲେ। ରାମାୟଣ, ଫୁଲ ଚନ୍ଦନ, ଝିଅଟି ସୀତା ପରି, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ସମୟ ବଡ ବଳବାନ, ପୂଜାଫୁଲ, ତୁଣ୍ଡ ବାଇଦ, ସରପଞ୍ଚ ବାବୁ, ଭୀଷ୍ମ ପ୍ରତିଜ୍ଞା, କପାଳ ଲିଖନ, ଯଶୋଦା, ଲକ୍ଷ୍ଣଣ ରେଖା, ସୁହାଗ ସିନ୍ଦୂର ଓ ପୁଅ ମୋର ଭୋଳାଶଙ୍କର ଭଳି ସୁପରହିଟ୍ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିଥିଲା ।
ବଲିଉଡ଼ରେ ବି କାମ କରିଛନ୍ତି ଉତ୍ତମ
ପ୍ରାୟ ୧୩୫ଟି ଚଳଚ୍ଚିତ୍ରରେ ଅଭିନୟ କରି ନିଜ ପାଇଁ ଅଗଣିତ ଦର୍ଶକ ସୃଷ୍ଟି କରିଥିଲେ ଉତ୍ତମ । ଏଥିମଧ୍ୟରେ ୩୦ଟି ବଙ୍ଗଳା ଏବଂ ନୟା ଜହର ନାମକ ଏକ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ରହିଛି ।
୮୦ ଦଶକର ରୋମାଣ୍ଟିକ ହିରୋ
ଓଲିଉଡରେ ୮୦ ଦଶକର ରୋମାଣ୍ଟିକ ହିରୋ ଭାବେ ଘରେ ଘରେ ପରିଚିତ ଥିଲେ ଉତ୍ତମ । ସେ ମୁଖ୍ୟ ଚରିତ୍ର ହେଉ ଅବା ସହ ଅଭିନେତା, ସବୁଥିରେ ଥିଲା ଉତ୍ତମଙ୍କ ଅଭିନୟର ପରାକାଷ୍ଠା । ନିଖୁଣ ଅଭିନୟ ପାଇଁ ଉତ୍ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଏବଂ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।
The post ଉତ୍ତମ ମହାନ୍ତି: କିଛି ଜଣା, କିଛି ଅଜଣା କଥା appeared first on Odisha.News.