ଉଦାରବାଦୀ ପ୍ରଧାନମନ୍ତ୍ରୀ

ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ଥାଇଲାଣ୍ଡରେ ବିଗତ କିଛି ବର୍ଷ ହେବ ରାଜନୈତିକ ସଙ୍କଟ ଲାଗିରହିଛି। ଦୁଇ ଦିନ ତଳେ ଏକ ଲାଞ୍ଚ ମାମଲାରେ ଦେଶର ଏକ କୋର୍ଟ ପ୍ରଧାନମନ୍ତ୍ରୀ ଥିବା ସ୍ରେଟ୍‌ଥା ଥାଭିସିନ୍‌ଙ୍କୁ ପଦବୀରୁ ହଟାଇଦେଇଥିଲେ। ଫଳରେ ୧୬ ଅଗଷ୍ଟରେ ୩୭ ବର୍ଷୀୟା ପାଏତାଙ୍ଗତାର୍ନ ଶିନାଓ୍ବାତ୍ରା ଥାଇଲାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଥାକ୍‌ସିନ୍‌ ସିନାଓ୍ବାତ୍ରାଙ୍କ କନିଷ୍ଠ କନ୍ୟା ଓ ପରିବାରର ଚତୁର୍ଥ ସଦସ୍ୟ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ […] The post ଉଦାରବାଦୀ ପ୍ରଧାନମନ୍ତ୍ରୀ appeared first on Dharitri Odia News.

ଉଦାରବାଦୀ ପ୍ରଧାନମନ୍ତ୍ରୀ

ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ଥାଇଲାଣ୍ଡରେ ବିଗତ କିଛି ବର୍ଷ ହେବ ରାଜନୈତିକ ସଙ୍କଟ ଲାଗିରହିଛି। ଦୁଇ ଦିନ ତଳେ ଏକ ଲାଞ୍ଚ ମାମଲାରେ ଦେଶର ଏକ କୋର୍ଟ ପ୍ରଧାନମନ୍ତ୍ରୀ ଥିବା ସ୍ରେଟ୍‌ଥା ଥାଭିସିନ୍‌ଙ୍କୁ ପଦବୀରୁ ହଟାଇଦେଇଥିଲେ। ଫଳରେ ୧୬ ଅଗଷ୍ଟରେ ୩୭ ବର୍ଷୀୟା ପାଏତାଙ୍ଗତାର୍ନ ଶିନାଓ୍ବାତ୍ରା ଥାଇଲାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଥାକ୍‌ସିନ୍‌ ସିନାଓ୍ବାତ୍ରାଙ୍କ କନିଷ୍ଠ କନ୍ୟା ଓ ପରିବାରର ଚତୁର୍ଥ ସଦସ୍ୟ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଧାରଣ କରିଛନ୍ତି। ନିକଟ ଇତିହାସ ଦେଖିଲେ ୨୦୦୬ରେ ସାମରିକ ବଳପ୍ରୟୋଗ କରାଯାଇ ଥାକ୍‌ସିନ୍‌ଙ୍କୁ ଗାଦିଚ୍ୟୁତ କରାଯାଇଥିଲା। ପାଏତାଙ୍ଗତାର୍ନଙ୍କ ପିଇସା ସୋମଚାଇ ଓ୍ବଙ୍ଗସାଓ୍ବାତଙ୍କୁ ସାମ୍ବିଧାନିକ କୋର୍ଟ ୨୦୦୮ରେ ବରଖାସ୍ତ କରିଥିବାବେଳେ ତାଙ୍କ ସାନମା’ ୟାଙ୍ଗଲକ୍‌ ସିନାଓ୍ବାତ୍ରାଙ୍କୁ ମଧ୍ୟ ସମାନ କୋର୍ଟ ବହିଷ୍କାର କରିଥିଲେ। ରାଜନୀତିରେ ଅନଭିଜ୍ଞ ଥିଲେ ମଧ୍ୟ ପାଏତାଙ୍ଗତାର୍ନ ସ୍ଥିର ସରକାର ବଜାୟ ରଖିବା ସହ ଦେଶର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବେ ବୋଲି କହିଛନ୍ତି। ଏଥିରେ ତାଙ୍କ ପିତା ଥାକ୍‌ସିନ୍‌ ସହଯୋଗ କରିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ପାଏତାଙ୍ଗତାର୍ନ ୨୧ ଅଗଷ୍ଟ ୧୯୮୬ରେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ସେଣ୍ଟ ଯୋଶେଫ୍‌ କନ୍‌ଭେଣ୍ଟ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ହାଇସ୍କୁଲ ଶିକ୍ଷା ପାଇଁ ମାଟେର ଡେଇ ସ୍କୁଲ ଯାଇଥିଲେ। ୨୦୦୮ରେ ଚୁଲାଲଙ୍ଗକୋର୍ନ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନ, ସମାଜବିଜ୍ଞାନ, ନୃତତ୍ତ୍ୱ ବିଷୟ ରଖି ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଏହା ପରେ ସେ ଇଂଲଣ୍ଡର ୟୁନିଭର୍ସିଟି ଅଫ୍‌ ସୁରେରୁ ଇଣ୍ଟରନ୍ୟାଶନାଲ ହୋଟେଲ ମ୍ୟାନେଜମେଣ୍ଟରେ ଏମ୍‌ଏସ୍‌ସି ଡିଗ୍ରୀ ହାସଲ କରିଥିଲେ। ଉଚ୍ଚଶିକ୍ଷା ପରେ ସେ କର୍ପୋରେଟ୍‌ ଜଗତ ପ୍ରତି ଆକର୍ଷିତ ହୋଇଥିଲେ। ବର୍ତ୍ତମାନ ତାଙ୍କର ଏସ୍‌ସି ଆସେଟ୍‌ କର୍ପୋରେଶନରେ ସର୍ବାଧିକ ଅଂଶଧନ ରହିଛି। ୨୦୨୨ର ତଥ୍ୟ ଅନୁଯାୟୀ ପାଏତାଙ୍ଗତାର୍ନଙ୍କ ଅଧୀନରେ ୨୧ଟି କମ୍ପାନୀ ଥିବା ବେଳେ ତାହାର ମୂଲ୍ୟ ପାଖାପାଖି ୨ ବିଲିୟନ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି।
ପିତା ଜଣେ ବରିଷ୍ଠ ରାଜନେତା ହୋଇଥିବାରୁ ପାଏତାଙ୍ଗତାର୍ନ ଅନେକ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ପାଇଥିଲେ। ଫିୟୁ ଥାଇ ପାର୍ଟିରେ ଥରେ ସେ ସାରଗର୍ଭକ ଭାଷଣ ଦେବା ପରେ ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲେ। ୨୦ ମାର୍ଚ୍ଚ ୨୦୨୨ରେ ଫିୟୁ ଥାଇ ପରିବାରର ମୁଖ୍ୟ ଭାବେ ସେ ନିର୍ବାଚିତ ହୋଇଥିଲେ। ସେହି ବର୍ଷ ଏପ୍ରିଲରେ ପାର୍ଟିର ବାର୍ଷିକ ସାଧାରଣ ବୈଠକରେ ସେ ଶାସନରେ ପରିବର୍ତ୍ତନ ଚାହୁଁଥିବା ବିଷୟରେ ଇସାରା ଦେଇଥିଲେ। ଏଥିସହିତ ରାଜନୀତିରେ ଅଧିକ ଅଭିଜ୍ଞତା ଅର୍ଜନ ସକାଶେ ପ୍ରଧାନମନ୍ତ୍ରୀ ପଦବୀରେ ଲଢ଼ିବା ପାଇଁ ମଧ୍ୟ ଇଚ୍ଛାବ୍ୟକ୍ତ କରିଥିଲେ। ଏପରିକି ପାଏତାଙ୍ଗତାର୍ନଙ୍କ ନାମ ଓପିନିୟନ୍‌ ପୋଲ୍‌ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସର୍ବାଗ୍ରେ ରହିଥିଲା। ୨୦୨୩ ସାଧାରଣ ନିର୍ବାଚନ ଲାଗି ଫିୟୁ ଥାଇ ପାର୍ଟିର ଯେଉଁ ତିନି ଜଣ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ସେଥିରେ ସେ ମଧ୍ୟ ସ୍ଥାନ ପାଇଥିଲେ। ଅନ୍ୟ ଦୁଇ ଜଣ ଥିଲେ ସ୍ରେଟ୍‌ଥା ଥାଭିସିନ୍‌ ଓ ଚାଇକାସେମ୍‌ ନିତିସିରି। ତେବେ ମେ’ରେ ହୋଇଥିବା ସାଧାରଣ ନିର୍ବାଚନରେ ଫିୟୁ ଥାଇ ପାର୍ଟି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ଦ୍ୱିତୀୟ ସ୍ଥାନରେ ରହିଯାଇଥିଲା। ମୁଭ୍‌ ଫରଓ୍ବାର୍ଡ ପାର୍ଟି ଆଗରେ ରହିଯିବାରୁ ପାଏତାଙ୍ଗତାର୍ନ ହତାଶ ହୋଇଯାଇଥିଲେ। ଏହାସତ୍ତ୍ୱେ ସେ ମୁଭ୍‌ ଫରଓ୍ବାର୍ଡ ପାର୍ଟି ଓ ଅନ୍ୟ ଦଳ ସହ ମିଶି ମିଳିତ ସରକାର ଗଢ଼ିବା ଲାଗି ଉଦ୍ୟମ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ମୁଭ୍‌ ଫରଓ୍ବାର୍ଡ ପାର୍ଟି ସମ୍ମତି ଦେଇଥିଲେ ହେଁ ପରେ ବୁଝାମଣାରୁ ଓହରି ଯାଇଥିଲା। ଫଳରେ ଫିୟୁ ଥାଇ ପାର୍ଟି ପରବର୍ତ୍ତୀ ସମୟରେ ପାଲାଙ୍ଗ ପ୍ରାଚାର୍ଥ ପାର୍ଟିକୁ ନେଇ ସରକାର ଗଢ଼ିଥିଲା। କିନ୍ତୁ ସପ୍ତାହବ୍ୟାପୀ ବିତର୍କ ହେବା ପରେ ପାଏତାଙ୍ଗତାର୍ନଙ୍କ ବଦଳରେ ଫିୟୁ ଥାଇ ପାର୍ଟିର ସ୍ରେଟ୍‌ଥା ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ତେବେ ୧୩ ସେପ୍ଟେମ୍ବର ୨୦୨୩ରେ ଅନୁଷ୍ଠିତ ୬୩ତମ ଥାଇ କ୍ୟାବିନେଟ ବୈଠକରେ ସ୍ରେଟ୍‌ଥା ନ୍ୟାଶନାଲ ସଫ୍ଟ ପାଓ୍ବାର ଷ୍ଟ୍ରଟେଜି କମିଟି ଗଢ଼ି ପାଏତାଙ୍ଗତାର୍ନଙ୍କୁ ତା’ର ଉପାଧ୍ୟକ୍ଷ କରିଥିଲେ। ସମୟକ୍ରମେ ପାଏତାଙ୍ଗତାର୍ନ ନ୍ୟାଶନାଲ ହେଲ୍‌ଥ ସିଷ୍ଟମ୍‌ ଡେଭଲପ୍‌ମେଣ୍ଟ କମିଟିର ମଧ୍ୟ ଉପାଧ୍ୟକ୍ଷ ହୋଇଥିଲେ। ୨୭ ଅକ୍ଟୋବର ୨୦୨୩ରେ ସେ ଫିୟୁ ଥାଇ ପାର୍ଟିର କୋର୍‌ କମିଟିର ସଦସ୍ୟ ହୋଇଥିଲେ। ଏହା ପରେ ଦଳ ଭିତରେ ହୋଇଥିବା ନିର୍ବାଚନରେ ସେ ସର୍ବାଧିକ ଭୋଟ ପାଇ ନୂଆ ନେତା ହୋଇଥିଲେ। ‘ବିରାଡ଼ି କପାଳକୁ ଶିକା ଛିଡ଼ିବା’ ପରି ନିକଟରେ ସ୍ରେଟ୍‌ଥା ବିବାଦୀୟ ହୋଇ ପଦବୀ ହରାଇବା ପରେ ପାଏତାଙ୍ଗତାର୍ନ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି।
ପାଏତାଙ୍ଗତାର୍ନ ବିଭିନ୍ନ ସାମାଜିକ ପ୍ରସଙ୍ଗରେ ଉଦାରଭାବ ପ୍ରଦର୍ଶନ କରିଆସିଛନ୍ତି। ଏଲ୍‌ଜିବିଟିଙ୍କ ଅଧିକାରକୁ ସେ ସମର୍ଥନ କରିବା ସହ ଅର୍ଥନୈତିକ ଉଦାରୀକରଣ ସପକ୍ଷବାଦୀ ଭାବେ ଜଣାଶୁଣା। ଏକ ସାକ୍ଷାତ୍‌କାରରେ ସେ ନିଜକୁ ଜଣେ ‘ସାମାଜିକ ଉଦାରବାଦୀ ପୁଞ୍ଜିପତି’ ଭବେ ଅଭିହିତ କରିଥିଲେ। ଥାଇଲାଣ୍ଡକୁ ଆଗକୁ ନେବାକୁ ହେଲେ ତାଙ୍କର ଏଭଳି ଚିନ୍ତାଧାରା କାମ ଦେବ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଲେଣି।
ପାଏତାଙ୍ଗତାର୍ନଙ୍କ ସଂସାର କହିଲେ ଥାଇ ବ୍ୟବସାୟୀ ପିଟାକା ସୁକ୍‌ସାଓ୍ବତ ତାଙ୍କ ସ୍ବାମୀ। ୨୦୨୧ ଜାନୁଆରୀରେ ତାଙ୍କର ପ୍ରଥମେ ଝିଅ ଜନ୍ମ ହୋଇଥିବା ବେଳେ ୨୦୨୩ ସାଧାରଣ ନିର୍ବାଚନର ଦୁଇ ସପ୍ତାହ ପୂର୍ବରୁ ମେ’ ୨୦୨୩ରେ ପୁଅ ଭୂମିଷ୍ଠ ହୋଇଥିଲା।

The post ଉଦାରବାଦୀ ପ୍ରଧାନମନ୍ତ୍ରୀ appeared first on Dharitri Odia News.