ଉପଭୋକ୍ତା ଅଧିକାର ଓ ଉପଭୋକ୍ତା ସଚେତନତା

ନିକଟ ଅତୀତରେ ‘ଗ୍ୟାସ ସିଲିଣ୍ଡରରେ ଓଜନ ଠକେଇ’ ଶୀର୍ଷକ ଏକ ଖବର ଉପଭୋକ୍ତାମାନଙ୍କ ପାଇଁ ଉଦ୍‌‌ବେଗଜନକ ହୋଇଥିଲା। ଘଟଣାଟି ଥିଲା ଏହିପରି – ସାଧାରଣତଃ ଫାଙ୍କା ଘରୋଇ ଗ୍ୟାସ ସିଲିଣ୍ଡରର ଓଜନ ୧୫.୫ କିଲୋଗ୍ରାମ ସହିତ ଗ୍ୟାସର ଓଜନ ୧୪.୨ କିଗ୍ରା ମିଶାଇ ମୋଟ ୨୯.୭ କିଗ୍ରା ହୋଇଥିବା ବେଳେ କେତେଜଣ ଉପଭୋକ୍ତା ଗ୍ୟାସ କିଣିବା ସମୟରେ ଏହି ଓଜନଠାରୁ ପାଖାପାଖି ୨ କିଲୋଗ୍ରାମ ଓଜନ କମ ଥିବା ଜାଣିବାକୁ ପାଇଥିଲେ। ଯାହାର ଅର୍ଥ ସିଲିଣ୍ଡରରେ ଉକ୍ତ […]

ଉପଭୋକ୍ତା ଅଧିକାର ଓ ଉପଭୋକ୍ତା ସଚେତନତା
sakala article

ନିକଟ ଅତୀତରେ ‘ଗ୍ୟାସ ସିଲିଣ୍ଡରରେ ଓଜନ ଠକେଇ’ ଶୀର୍ଷକ ଏକ ଖବର ଉପଭୋକ୍ତାମାନଙ୍କ ପାଇଁ ଉଦ୍‌‌ବେଗଜନକ ହୋଇଥିଲା। ଘଟଣାଟି ଥିଲା ଏହିପରି – ସାଧାରଣତଃ ଫାଙ୍କା ଘରୋଇ ଗ୍ୟାସ ସିଲିଣ୍ଡରର ଓଜନ ୧୫.୫ କିଲୋଗ୍ରାମ ସହିତ ଗ୍ୟାସର ଓଜନ ୧୪.୨ କିଗ୍ରା ମିଶାଇ ମୋଟ ୨୯.୭ କିଗ୍ରା ହୋଇଥିବା ବେଳେ କେତେଜଣ ଉପଭୋକ୍ତା ଗ୍ୟାସ କିଣିବା ସମୟରେ ଏହି ଓଜନଠାରୁ ପାଖାପାଖି ୨ କିଲୋଗ୍ରାମ ଓଜନ କମ ଥିବା ଜାଣିବାକୁ ପାଇଥିଲେ। ଯାହାର ଅର୍ଥ ସିଲିଣ୍ଡରରେ ଉକ୍ତ ପରିମାଣର ଗ୍ୟାସ କମ୍‌‌ ଥିଲା। ଗ୍ୟାସ ଏଜେନ୍ସି ମଧ୍ୟ ଏହାକୁ ଏକ ଅତି ମାମୁଲି ତ୍ରୁଟି ବୋଲି ଖାମଖିଆଲି ମନ୍ତବ୍ୟ ଦେଇଥିଲେ। ସିଲିଣ୍ଡରରେ ୧୫୦ଗ୍ରାମ ଓଜନର ଗ୍ୟାସ କମ୍‌‌ ବା ବେଶି ହେଲେ ଚଳିବ। ମାତ୍ର ୨ କିଲୋଗ୍ରାମ ଗ୍ୟାସର ମୂଲ୍ୟ ପାଖାପାଖି ୧୨୫ଟଙ୍କାର କ୍ଷତି ଉପଭୋକ୍ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ। କେତେକ ସଚେତନ ଉପଭୋକ୍ତାଙ୍କ ନିମିତ୍ତ ଏ ଘଟଣାଟି ଲୋକଲୋଚନକୁ ଆସିପାରିଲା। ମାତ୍ର ପ୍ରତିଦିନ କେତେ ଯେ ଉପଭୋକ୍ତା ଏହିପରି ଠକେଇର ଶିକାର ହେଉଛନ୍ତି ତାହାର ହିସାବ ନାହିଁ। କେବଳ ଏହି ଗୋଟିଏ ଘଟଣା ନୁହେଁ, ବିଭିନ୍ନ କ୍ଷେତ୍ରରେ ଉପଭୋକ୍ତାଟିଏ ପ୍ରତି ମୂହୂର୍ତ୍ତରେ ଠକେଇ, ଗୁଣବତ୍ତା ବିହୀନ ଦ୍ରବ୍ୟ ଓ ସେବା ଏବଂ ଶୋଷଣର ଶିକାର ହୋଇଚାଲୁଛି। ଏହାର ପ୍ରମୁଖ କାରଣ ଉପଭୋକ୍ତା ଅଧିକାର ସମ୍ପର୍କରେ ସଚେତନତାର ଅଭାବ।

ଉପଭୋକ୍ତା ହେଉଛନ୍ତି ଜଣେ ବ୍ୟକ୍ତି କିମ୍ୱା ଏକ ଗୋଷ୍ଠୀ, ଯିଏ ମୁଖ୍ୟତଃ ବ୍ୟକ୍ତିଗତ, ସାମାଜିକ, ପାରିବାରିକ, ଘରୋଇ ଏବଂ ଏହିପରି ସମାନ ଆବଶ୍ୟକତା ପାଇଁ ଦ୍ରବ୍ୟ ବା ଉତ୍ପାଦ କିଣନ୍ତି କିମ୍ୱା ସେବା ବ୍ୟବହାର କରନ୍ତି। ସେମାନେ ସିଧାସଳଖ ଉଦ୍ୟୋଗୀ କିମ୍ୱା ବ୍ୟବସାୟିକ କାର୍ଯ୍ୟକଳାପ ସହିତ ଜଡ଼ିତ ନୁହନ୍ତି। ଏବେ ମଧ୍ୟ ଆମ ଭିତରେ ଏମିତି ଉପଭୋକ୍ତା ଅଛନ୍ତି, ଯେଉଁମାନେ ପ୍ରାପ୍ତ ଦ୍ରବ୍ୟ ଓ ସେବାକୁ ସରଳ ବିଶ୍ୱାସରେ ସଠିକ୍‌‌ ବୋଲି ଗ୍ରହଣ କରି ନେଇଥା’ନ୍ତି। ବସ୍ତୁଟିର ଗୁଣବତ୍ତା କିପରି, ଏହା ଧାର୍ଯ୍ୟ ମାନକ ଅନୁସାରେ ପ୍ରସ୍ତୁତ ହୋଇଛି କି ନାହିଁ, କ୍ରୟକରିବା ପୂର୍ବରୁ ଏହାର କ’ଣ ସବୁ ଯାଞ୍ଚ କରିବାକୁ ହେବ ଏବଂ ବ୍ୟବହାର କରିବା ପୂର୍ବରୁ କେଉଁସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ ସେ ସମ୍ପର୍କରେ ଅନେକ ଉପଭୋକ୍ତା ସଚେତନ ନୁହନ୍ତି। ଏହି ଉଦ୍ଦେଶ୍ୟରେ ୧୯୮୩ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ପ୍ରଥମ ଥର ପାଇଁ ‘ବିଶ୍ୱ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଇଥିଲା। ମିଳିତ ଜାତିସଂଘର ସ୍ୱୀକୃତି ଓ ସମର୍ଥନରେ ୧୯୮୫ ପରେ ବିଶ୍ୱର ସମସ୍ତ ଦେଶ ଠକେଇ, ଅନୁଚିତ ବ୍ୟବସାୟ କାର୍ଯ୍ୟପ୍ରଣାଳୀ, ଭ୍ରମାତ୍ମକ ବିଜ୍ଞାପନ ଏବଂ ଅସୁରକ୍ଷିତ ଉତ୍ପାଦରୁ ଉପଭୋକ୍ତାଙ୍କୁ ସୁରକ୍ଷା ଦେବା ପାଇଁ ସଚେତନତା ଉେଦ୍ଦଶ୍ୟରେ ଏବଂ ଶୋଷଣ ବିରୁଦ୍ଧରେ ଲଢ଼ିବା ପାଇଁ ସାମୂହିକ ପ୍ରୟାସ ରୂପେ ଏହି ଦିବସ ପାଳନ କରିଆସୁଛନ୍ତି। ଏହାକୁ ଆନ୍ତର୍ଜାତୀୟ ମାନକ ସଂଗଠନ, ବିଶ୍ୱ ଶକ୍ତି ପରିଷଦ, ମୋଜିଲା ଫାଉଣ୍ଡେସନ, ଓସେନ କଞ୍ଜରଭେନ୍ସି, ଅର୍ଥନୈତିକ ବିକାଶ ଏବଂ ସହଯୋଗ ସଂଗଠନ, ୟୁରୋପୀୟ କମିଶନ ଏବଂ ଆହୁରି ଅନେକ ସଂଗଠନ ଦ୍ୱାରା ସମର୍ଥନ କରାଯାଇଛି।

ଉପଭୋକ୍ତା ଅଧିକାରକୁ ନିଶ୍ଚିତ କରିବା, ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ ଦୃଢ଼ ଉପଭୋକ୍ତା ସୁରକ୍ଷା ପାଇଁ ସମର୍ଥନ କରିବା ଲକ୍ଷ୍ୟ ନେଇ ଭାରତରେ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଦ୍ୱାରା ଏହାକୁ ସଞ୍ଚାଳନ କରାଯାଇଥିଲା। ଏଥିରେ ଉପଭୋକ୍ତା ଆଇନର ଗୁରୁତ୍ୱ, ଆଇନଗତ ସଂସ୍ଥା ଓ ଉପଭୋକ୍ତା ମଞ୍ଚର ସମ୍ପୃକ୍ତି ସହିତ ଏହାର କାର୍ଯ୍ୟକାରିତା ବିଷୟରେ ସଚେତନ କରାଯାଉଛି। ଭାରତର ଉପଭୋକ୍ତା ସୁରକ୍ଷା ଆଇନରେ ଉପଭୋକ୍ତାମାନଙ୍କୁ ନିରପେକ୍ଷ କିଣାବିକା ଅଧିକାର ଏବଂ ଶୋଷଣରୁ ରକ୍ଷା କରିବା ପାଇଁ ପ୍ରାବଧାନ ରହିଛି। ବିପଦପୂର୍ଣ୍ଣ ସାମଗ୍ରୀ ଓ ସେବାରୁ ସୁରକ୍ଷା ପ୍ରଦାନ ନିମିତ୍ତ ସୁରକ୍ଷା ଅଧିକାର, ଉତ୍ପାଦ ଓ ସେବା ବିଷୟରେ ସଠିକ୍‌‌ ଓ ସ୍ୱଚ୍ଛ ବିବରଣୀ ପାଇବା ପାଇଁ ସୂଚନା ଅଧିକାର, ପ୍ରତିଯୋଗିତାମୂଳକ ମୂଲ୍ୟରେ ବିଭିନ୍ନ ସାମଗ୍ରୀ ଓ ସେବା ଚୟନ କରିବାର ଅଧିକାର, ଠକେଇ ବିରୋଧରେ ଅଭିଯୋଗ କରିବାର ଅଧିକାର, କ୍ଷତିପୂରଣ ପାଇବା ନିମିତ୍ତ ଆଇନଗତ ଅଧିକାର, ଦାୟିତ୍ୱ ବିଷୟରେ ସଚେତନତା ପାଇଁ ଉପଭୋକ୍ତା ଶିକ୍ଷା ଅଧିକାର ଇତ୍ୟାଦି ସେଥିମଧ୍ୟରୁ ଅନ୍ୟତମ।

ଭାରତ ସରକାର ଉପଭୋକ୍ତାମାନଙ୍କୁ ସଶକ୍ତ କରିବା, ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ଦୃଢ଼ କରିବା ଏବଂ ଉପଭୋକ୍ତା ଅଧିକାରକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଏହିକ୍ରମରେ ଉପଭୋକ୍ତା ସୁରକ୍ଷା ଆଇନ-୨୦୧୯ ଉପଭୋକ୍ତା ଅଧିକାରକୁ ସୁରକ୍ଷିତ କରିବା ସହିତ ଭ୍ରମାତ୍ମକ ବିଜ୍ଞାପନ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ସେହିପରି ଇ-ଦାଖିଲ ପୋର୍ଟାଲ୍‌‌ ଉପଭୋକ୍ତାଙ୍କୁ ଅନଲାଇନରେ ଅଭିଯୋଗ ଦାଖଲ ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଭିଯୋଗଗୁଡ଼ିକର ଶୁଣାଣି କରିବାର ସୁଯୋଗ ଦିଏ। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଉପଭୋକ୍ତାଙ୍କ ଅଧିକାରକୁ ପ୍ରୋତ୍ସାହିତ ଓ ସୁରକ୍ଷିତ କରିବା ସହିତ ଅନୈତକ କାରବାରକୁ ନିୟନ୍ତ୍ରଣ, ଆଇନ ଉଲ୍ଲଂଘନର ତଦନ୍ତ କରିବା ସହିତ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସମସ୍ୟାର ସମାଧାନ କରେ। ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍‌‌ (୧୮୦୦-୧୧-୪୦୦୦) ହେଉଛି ଉପଭୋକ୍ତା ଅଭିଯୋଗ ଏବଂ ସହାୟତା ପାଇଁ ନିଃଶୁଳ୍କ ଅଭିଯୋଗ ବ୍ୟବସ୍ଥା। ସେହିପରି ‘ଜାଗୋ ଉପଭୋକ୍ତା ଜାଗୋ’ ଅଭିଯାନ ହେଉଛି ସରକାରୀ ସଂସ୍ଥା ଓ ଉପଭୋକ୍ତା ସଂଗଠନଗୁଡ଼ିକ ଉପଭୋକ୍ତାମାନଙ୍କୁ ସେମାନଙ୍କ ଅଧିକାର ଏବଂ ଦାୟିତ୍ୱ ବିଷୟରେ କର୍ମଶାଳା, ଆଲୋଚନାଚକ୍ର ଓ ପ୍ରଦର୍ଶନୀ ମାଧ୍ୟମରେ ଶିକ୍ଷା ଦେଉଥିବା ଏକ ଦୀର୍ଘକାଳୀନ ସଚେତନତା କାର୍ଯ୍ୟକ୍ରମ। ଏହାଛଡ଼ା ଭାରତୀୟ ମାନକ ବ୍ୟୁରୋ ଉପଭୋକ୍ତା ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଗୁଣାତ୍ମକ ମାନ ସୁନିଶ୍ଚିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ‘ବିଆଇଏସ କେୟାର ଆପ’ ନାମକ ଆପ୍‌‌ ଉପଭୋକ୍ତାମାନଙ୍କୁ ଆଇଏସ୍‌‌ଆଇ, ଏଚୟୁଆଇଡି ସିଏମ୍‌‌ଏଲ୍‌‌, ସିଏମ୍‌‌ଆର୍‌‌ ସଂଖ୍ୟାପ୍ରାପ୍ତ ଦ୍ରବ୍ୟର ମାନକୁ ଯାଞ୍ଚ କରିବାରେ ସହାୟକ ହେଉଛି।

ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରତି ଚିନ୍ତା ଉପଭୋକ୍ତା ସକ୍ରିୟତାକୁ ଜନ୍ମ ଦେଇଛି, ଯେଉଁଠାରେ ସଂଗଠିତ କର୍ମୀମାନେ ଉତ୍ପାଦ ଏବଂ ସେବା ପ୍ରଦାନକୁ ଉନ୍ନତ କରିବା ପାଇଁ ଅଧିକ ଗବେଷଣା ଆରମ୍ଭ କରିଛନ୍ତି। କିଛି ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ଉପଭୋକ୍ତା ଶିକ୍ଷାକୁ ସାମିଲ କରାଯାଇଛି। ସାମ୍ପ୍ରତିକ ସମୟରେ ଭାରତରେ ଉପଭୋକ୍ତା ସୁରକ୍ଷା କ୍ଷେତ୍ରରେ କେତେକ ପଦକ୍ଷେପ ଗ୍ରହଣ କରିବାର ଦୃଷ୍ଟାନ୍ତ ରହିଛି। ଯେପରିକି ଅନିୟନ୍ତ୍ରିତ ଋଣ ପ୍ରଦାନ ଉପରେ କଟକଣା, ଡିଜିଟାଲ ପ୍ଲାଟଫର୍ମର ନିୟନ୍ତ୍ରଣ ଇତ୍ୟାଦି।
ଉପଭୋକ୍ତା ଅଧିକାରର ଲକ୍ଷ୍ୟ ହେଉଛି ଏକ ବିଶ୍ୱ ନିର୍ମାଣ କରିବା, ଯେଉଁଠାରେ ଉପଭୋକ୍ତାମାନଙ୍କୁ ମୂଲ୍ୟବାନ ମନେ କରାଯାଏ ଏବଂ ସେମାନଙ୍କ ଅଧିକାରକୁ ସୁରକ୍ଷିତ କରାଯାଏ। ସୁସ୍ଥ ପ୍ରତିଯୋଗିତା ଓ ଉପଭୋକ୍ତା ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବା ସହିତ ବ୍ୟବସାୟଗୁଡ଼ିକୁ ଉପଭୋକ୍ତା ଅଧିକାର ବଜାୟ ରଖିବା ପାଇଁ ଉତ୍ସାହିତ କରିବା ଦ୍ୱାରା ଏହା ସମ୍ଭବ ହୋଇଥାଏ।

ଉପଭୋକ୍ତା ଅଧିକାର ହେଉଛି ମାନବ ଅଧିକାର!। ଉପଭୋକ୍ତାଙ୍କର ପସନ୍ଦ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥାଏ। ଏ ସମ୍ପର୍କରେ ମହାତ୍ମା ଗାନ୍ଧୀ କହିଥିଲେ ‘ଉପଭୋକ୍ତାମାନେ ଆମ ପରିସରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଦର୍ଶକ, ସେମାନେ ଆମ ଉପରେ ନିର୍ଭରଶୀଳ ନୁହନ୍ତି, ଆମେ ସେମାନଙ୍କ ଉପରେ ନିର୍ଭରଶୀଳ।’ କୌଣସି ଦ୍ରବ୍ୟର ଉତ୍ପାଦନକାରୀଙ୍କର ଉତ୍ପାଦ ଉପଭୋକ୍ତାଙ୍କ ବିନା ମୂଲ୍ୟହୀନ। ତେଣୁ ପ୍ରତ୍ୟେକ ଉପଭୋକ୍ତା ନିଜର ଅଧିକାର ସମ୍ପର୍କରେ ସଚେତନ ହେବା ଅତ୍ୟନ୍ତ ଜରୁରୀ। ଉପଭୋକ୍ତାମାନେ କ’ଣ କିଣୁଛନ୍ତି ତାହା କିଣିବା ପୂର୍ବରୁ ଜାଣନ୍ତୁ, ଚିହ୍ନଟ କରିବାରେ ଭୁଲ୍‌‌ କରନ୍ତୁ ନାହିଁ, ଉପଭୋକ୍ତା ଅଧିକାର ସମ୍ପର୍କରେ ଜାଣନ୍ତୁ। ସୂଚନାପ୍ରାପ୍ତ ଉପଭୋକ୍ତା ହୋଇ ଏକ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନରେ ଆଗଧାଡ଼ିର ଜଣେ ସୈନିକ ହୁଅନ୍ତୁ।

ଭୁବନେଶ୍ୱର, ମୋ: ୯୪୩୮୧୩୩୬୧୨