ଋତୁସ୍ରାବ ପରିଚ୍ଛନତା ବିଷୟରେ ଓଡ଼ିଶାରେ ବ୍ୟାପକ ସଚେତନତା ପାଇଁ ବିଶେଷ ଡିଜିଟାଲ କ୍ୟାମ୍ପେନ
ଭୁବନେଶ୍ୱର : ମାସିକ ଋତୁସ୍ରାବ ବା ପିରିୟଡ୍ସ ଜଣେ କିଶୋରୀ ବା ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ, ସଙ୍କୋଚ ରହିଥିବା ବେଳେ ଅନେକ କ୍ଷେତ୍ରରେ ସେମାନେ ବିଭିନ୍ନ ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି। ଋତୁସ୍ରାବ ବିଷୟରେ ଓଡ଼ିଶାର କିଶୋର, କିଶୋରୀ, ମହିଳା ତଥା ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଇଏଫ୍ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ […] The post ଋତୁସ୍ରାବ ପରିଚ୍ଛନତା ବିଷୟରେ ଓଡ଼ିଶାରେ ବ୍ୟାପକ ସଚେତନତା ପାଇଁ ବିଶେଷ ଡିଜିଟାଲ କ୍ୟାମ୍ପେନ appeared first on KNews Odisha.

ଭୁବନେଶ୍ୱର : ମାସିକ ଋତୁସ୍ରାବ ବା ପିରିୟଡ୍ସ ଜଣେ କିଶୋରୀ ବା ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ, ସଙ୍କୋଚ ରହିଥିବା ବେଳେ ଅନେକ କ୍ଷେତ୍ରରେ ସେମାନେ ବିଭିନ୍ନ ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି।
ଋତୁସ୍ରାବ ବିଷୟରେ ଓଡ଼ିଶାର କିଶୋର, କିଶୋରୀ, ମହିଳା ତଥା ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଇଏଫ୍ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି। ଏହାର ନାଁ ରହିଛି ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’। ପ୍ରତିବର୍ଷ ମେ’ ୨୮ ତାରିଖରେ ‘ବିଶ୍ୱ ଋତୁସ୍ରାବ ପରିଚ୍ଛନତା ଦିବସ’ ପାଳନ କରାଯାଉଛି । ଏହି ଅବସରରେ ଚଳିତ ବର୍ଷ ମେ’ ୨୨ରୁ ୩୧ ତାରିଖ ଯାଏଁ ୧୦ ଦିନ ବ୍ୟାପୀ ଏହି ଡିଜିଟାଲ କ୍ୟାମ୍ପେନ ଜାରି ରହିବ।
ଏହି ଅଭିଯାନ ଅଧୀନରେ ‘ମେନାର୍କିରୁ ମେନୋପଜ୍’ – ମହିଳାଙ୍କ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ବିଷୟ ଉପରେ ବିଭିନ୍ନ ତଥ୍ୟ ସହ ଡାକ୍ତରଙ୍କ ପରାମର୍ଶ ଆଦିକୁ ନେଇ ଏକ ଭିଡିଓ ସିରିଜ ପ୍ରସ୍ତୁତ କରାଯାଇଛି। ଏହାକୁ ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ ଏବଂ ଓଡ଼ିଶାଲାଇଭର ୟୁଟ୍ୟୁବ୍, ଫେସ୍ବୁକ, ଏକ୍ସ ଓ ଇନଷ୍ଟାଗ୍ରାମ ଭଳି ବିଭିନ୍ନ ସାମାଜିକ ଗଣମାଧ୍ୟମ ଚ୍ୟାନେଲ୍ରେ ପ୍ରସାରଣ କରାଯାଉଛି।
“ଗତ କିଛି ଦଶନ୍ଧି ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି। କିନ୍ତୁ ଚିନ୍ତାର ବିଷୟ ଯେ, ଆଜି ବି ପୃଥିବୀର ପ୍ରାୟ ୫୦ କୋଟିରୁ ଅଧିକ କିଶୋରୀ ଓ ମହିଳାଙ୍କ ପାଖରେ ଋତୁସ୍ରାବ ସ୍ୱାସ୍ଥ୍ୟ ବାବଦରେ ଆବଶ୍ୟକ ସୂଚନା, ବିଭିନ୍ନ ପିରିୟଡସ୍ ପ୍ରଡକ୍ଟ ଏବଂ ଋତୁସ୍ରାବ ପରିଚ୍ଛନତା ପରିଚାଳନା ପାଇଁ ଆବଶ୍ୟକ ସୁବିଧା ନାହିଁ। ବିଶେଷକରି, ଆର୍ଥିକ ସମସ୍ୟା, ପୁରୁଣାକାଳିଆ ସାମାଜିକ ପ୍ରଥାର ପ୍ରଭାବ ସହ ଋତୁସ୍ରାବ ଶିକ୍ଷା ଓ ସଚେତନତାର ଅଭାବ ଏହାର ପ୍ରମୁଖ କାରଣ,’’ କହିଛନ୍ତି କ୍ୟାମ୍ପେନର ସଂଯୋଜକ ତଥା ଆଇଏଫ୍ଆଇ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଦ୍ଧାର୍ଥ ରଥ।
“ବିଭିନ୍ନ ଦେଶ ଓ ରାଜ୍ୟରେ ଥିବା ସରକାର ଋତୁସ୍ରାବ ପରିଚ୍ଛନତା ବିଷୟକୁ ଅଗ୍ରାଧିକାର ଦେଇ ସ୍ୱତନ୍ତ୍ର ପଲିସି ଓ କାର୍ଯ୍ୟକ୍ରମ କରିବା ସହ ବ୍ୟାପକ ଜନସଚେତନତା ପାଇଁ ଆଜିର ଆଧୁନିକ ଗଣମାଧ୍ୟମ ପ୍ରମୁଖ ଭୂମିକା ନେଇପାରିବେ। ତେଣୁ ଏହି ଅଭିଯାନ ବେଳେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଯୋଡ଼ିବା ସହ ସୋସିଆଲ ମିଡିଆ ମାଧ୍ୟମରେ ସହରରୁ ଗାଁ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଂଚିବା ପାଇଁ ଆମେ ଉଦ୍ୟମ କରୁଛୁ,” ଓଡ଼ିଆ ଭାଷାରେ କରାଯାଉଥିବା ଏହି ବିଶେଷ କ୍ୟାମ୍ପେନ ବାବଦରେ ଅଧିକ ସୂଚନା ଦେଇ କହିଛନ୍ତି ସିଦ୍ଧାର୍ଥ।
ଏହି ମିଡିଆ ଅଭିଯାନ ମାଧ୍ୟମରେ ପ୍ରସ୍ତୁତ ବିଭିନ୍ନ ଭିଡିଓରେ ଋତୁସ୍ରାବ କ’ଣ ଓ କାହିଁକି, ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା, ଋତୁସ୍ରାବଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ତା’ର ଉପଚାର ସହିତ ବିଭିନ୍ନ ଅନ୍ଧବିଶ୍ୱାସର ମୁକାବିଲା ଲାଗି ସଚେତନତାର ବାର୍ତ୍ତା ଦିଆଯାଉଛି।
ବିଶେଷକରି, ଓଡ଼ିଶାର କିଶୋରୀମାନଙ୍କୁ ଋତୁସ୍ରାବ ସମ୍ପର୍କରେ ସଚେତନ କରିବା ସହ ଏ ବିଷୟରେ ଖୋଲି କଥା ହେବା ପାଇଁ ଉତ୍ସାହିତ କରାଯାଉଛି । ଏଥିପାଇଁ ପ୍ରମୁଖ ସାମାଜିକ କର୍ମୀ, ସେଲିବ୍ରିଟି ତଥା ଗଣମାଧ୍ୟମ ବ୍ୟକ୍ତିତ୍ୱଙ୍କ ପ୍ରଥମ ଋତୁସ୍ରାବ ଅନୁଭୂତିକୁ ଏହି କ୍ୟାମ୍ପେନରେ ଗୁରୁତ୍ୱ ଦିଆଯାଉଛି।
ଋତୁସ୍ରାବ ପରିଚ୍ଛନତା ବାବଦରେ ସଚେତନତା ଲକ୍ଷ୍ୟ ନେଇ ୧୦ ବର୍ଷ ତଳେ ‘ବିଶ୍ୱ ଋତୁସ୍ରାବ ପରିଚ୍ଛନତା ଦିବସ’ ଆରମ୍ଭ ହୋଇଥିଲା । ସ୍ୱେଚ୍ଛାସେବୀ ସଙ୍ଗଠନ ‘ୱାସ ୟୁନାଇଟେଡ୍’ ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଥିଲା। ଏହି ଅଭିଯାନର ଚଳିତ ବର୍ଷର ଥିମ୍ ରହିଛି ‘ଟୁଗେଦର ଫର ଏ ପିରିୟଡ୍ ଫ୍ରେଣ୍ଡଲି ୱାର୍ଲ୍ଡ’ ।
The post ଋତୁସ୍ରାବ ପରିଚ୍ଛନତା ବିଷୟରେ ଓଡ଼ିଶାରେ ବ୍ୟାପକ ସଚେତନତା ପାଇଁ ବିଶେଷ ଡିଜିଟାଲ କ୍ୟାମ୍ପେନ appeared first on KNews Odisha.