ଏକକ ନାଗରିକ ସଂହିତାର ଆବଶ୍ୟକତା

ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ବହୁଚର୍ଚ୍ଚିତ ଏକକ ନାଗରିକ ସଂହିତା(ୟୁନିଫର୍ମ ସିଭିଲ୍‌‌ କୋଡ) ପ୍ରଣୟନ କରିସାରିବା ପରେ ଗୁଜୁରାଟ ସରକାର ଏହି ଆଇନ ପ୍ରଣୟନ କରିବାକୁ ଘୋଷଣା କରିଛି। ସମ୍ବିଧାନର ଅନୁଚ୍ଛେଦ ୪୪ରେ ଉଲ୍ଲେଖ ରହିଛି ଯେ ରାଜ୍ୟମାନେ ଦେଶର ନାଗରିକମାନଙ୍କ ପାଇଁ ଏକକ ନାଗରିକ ସଂହିତା ପ୍ରଣୟନ ସୁନିଶ୍ଚିତ କରିବାର ପ୍ରୟାସ କରିବେ। ଅର୍ଥାତ ନାଗରିକମାନଙ୍କ ହିତ ପାଇଁ ରାଜ୍ୟଗୁଡ଼ିକୁ ଆଇନ ତିଆରି କରିବାର କ୍ଷମତା ପ୍ରଦାନ କରାଯାଇଛି। ତେବେ ଏହାକୁ ଲାଗୁ କରିବାରେ […]

ଏକକ ନାଗରିକ ସଂହିତାର ଆବଶ୍ୟକତା
sakala article

ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ବହୁଚର୍ଚ୍ଚିତ ଏକକ ନାଗରିକ ସଂହିତା(ୟୁନିଫର୍ମ ସିଭିଲ୍‌‌ କୋଡ) ପ୍ରଣୟନ କରିସାରିବା ପରେ ଗୁଜୁରାଟ ସରକାର ଏହି ଆଇନ ପ୍ରଣୟନ କରିବାକୁ ଘୋଷଣା କରିଛି। ସମ୍ବିଧାନର ଅନୁଚ୍ଛେଦ ୪୪ରେ ଉଲ୍ଲେଖ ରହିଛି ଯେ ରାଜ୍ୟମାନେ ଦେଶର ନାଗରିକମାନଙ୍କ ପାଇଁ ଏକକ ନାଗରିକ ସଂହିତା ପ୍ରଣୟନ ସୁନିଶ୍ଚିତ କରିବାର ପ୍ରୟାସ କରିବେ। ଅର୍ଥାତ ନାଗରିକମାନଙ୍କ ହିତ ପାଇଁ ରାଜ୍ୟଗୁଡ଼ିକୁ ଆଇନ ତିଆରି କରିବାର କ୍ଷମତା ପ୍ରଦାନ କରାଯାଇଛି। ତେବେ ଏହାକୁ ଲାଗୁ କରିବାରେ ଏତେ ବାଦବିବାଦ କ’ଣ ପାଇଁ?

ଏହାର ଇତିହାସ ତର୍ଜମା କଲେ ଜଣାଯାଏ ଯେ ବ୍ରିଟ୍ରିଶ ଶାସନକାଳରେ ସର୍ବପ୍ରଥମେ ଭାରତବର୍ଷରେ ଧର୍ମ ଆଧାରରେ ଶାସନ ବ୍ୟବସ୍ଥା ଲାଗୁ କରବା ପାଇଁ ୧୮୩୫ ମସିହାରେ ଲର୍ଡ ମକାଉଲଙ୍କ ଅଧ୍ୟକ୍ଷତାରେ ଏକ ଆୟୋଗ ଗଠନ ହୋଇଥÒଲା। ଆୟୋଗ ଅାପରାଧିକ ମାମଲାଗୁଡ଼ିକର ବିଚାର ପାଇଁ ସବୁ ଧର୍ମର ଲୋକମାନଙ୍କ ହିତରେ ଗୋଟିଏ ଆଇନ ପ୍ରଣୟନ କରିବା ପାଇଁ ସୁପାରିସ କରିଥିବା ବେଳେ ବିବାହ, ଛାଡ଼ପତ୍ର, ପୋଷ୍ୟସନ୍ତାନ ଗ୍ରହଣ, ଉତ୍ତରାଧିକାରୀ ସୂତ୍ରେ ପୈତୃକ ସମ୍ପତ୍ତି ପାଇବା ଆଦି ନିୟମ ଅଲଗା ଅଲଗା ଥିବାରୁ ହିନ୍ଦୁ ଓ ମୁସଲମାନ ଧର୍ମାବଲମ୍ବୀ ଲୋକମାନଙ୍କ ପାଇଁ ଗୋଟିଏ ଆଇନ ପ୍ରଣୟନ କରିବା ସମ୍ଭବ ହୋଇ ନଥିଲା। ତେଣୁ ଧର୍ମଭିତ୍ତିକ ନାଗରିକ ଆଇନ ଲାଗୁ କରିବା ପାଇଁ ଆୟୋଗ ସୁପାରିସ କରିଥିଲେ। ପରବର୍ତ୍ତୀ ସମୟରେ ଜନସଂଖ୍ୟା ବୃଦ୍ଧି, ପ୍ରଶାସନିକ ଆବଶ୍ୟକତାକୁ ଉପଲବ୍ଧି କରି ୧୯୩୫ ମସିହାରେ ବ୍ରିଟିଶ ସରକାର ଏକ ରିପୋର୍ଟ ପ୍ରସ୍ତୁତ କରି ଅପରାଧ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ନୂଆ ଆଇନ ପ୍ରସ୍ତୁତ କରିଥିଲେ। ଏପରିକି ହିନ୍ଦୁ ଓ ମୁସଲମାନମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାର ପ୍ରୟାସ କରିଥିଲେ। ୧୯୩୭ ମସିହାରେ ସରିୟାତ ଆଇନ ଅନୁସରଣ କରି ‘ମୁସଲିମ ପର୍ସନାଲ୍‌ ଲ’ ପ୍ରଣୟନ କରା ଯାଇଥଲା, ଯାହା ଅଦ୍ୟାବଧି ବଳବତ୍ତର ରହିଛି। ୧୯୪୧ ମସିହାରେ ବି.ଏନ.ରାୟଙ୍କ ଅଧ୍ୟକ୍ଷତାରେ ଏକ ଆୟୋଗ ଗଠନ କରି ସରକାର ସବୁ ନାଗରିକମାନଙ୍କ ପାଇଁ ଗୋଟିଏ ଆଇନ ଲାଗୁ କରିବା ପାଇଁ ମତ ରଖିଥିଲେ।

ସ୍ୱାଧୀନତା ପରେ ଅନୁଷ୍ଠିତ ୧୯୪୮ ମସିହାରେ ପ୍ରଥମ ସମ୍ବିଧାନ ସଭାରେ ହିନ୍ଦୁ ସଂହିତା ପାଇଁ ବିଧେୟକ ଅଣାଗଲା। ଏହି ଆଇନର ଲକ୍ଷ୍ୟ ଥିଲା ମହିଳାମାନଙ୍କ ବାଲ୍ୟ ବିବାହ, ସତୀଦାହ ପରି କୁପ୍ରଥାଗୁଡ଼ିକ ଉଚ୍ଛେଦ କରିବା। ମାତ୍ର ସେତେବେଳର ଜନସଂଘ ନେତାମାନଙ୍କ ମଧ୍ୟରେ ଶ୍ୟାମା ପ୍ରସାଦ ମୁଖାର୍ଜି, କରପାତ୍ରୀ ମହାରାଜ ପ୍ରମୁଖ ବିରୋଧ କରିବାରୁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା। ୧୯୫୧ ମସିହା ଅଗଷ୍ଟ ୧୦ ତାରିଖରେ ଡ. ବାବା ସାହେବ ଆମ୍ବେଦକର ତତ୍‌‌କାଳୀନ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଚିଠି ଲେଖି ଅନୁରୋଧ କରିବା ପରେ ୧୯୫୫ ମସିହାରେ ଧର୍ମ, ଚାଲିଚଳଣ, ସାମାଜିକ ବ୍ୟବସ୍ଥାକୁ ନେଇ ‘ହିନ୍ଦୁ ବିବାହ ଆଇନ’, ‘ହିନ୍ଦୁ ଉତ୍ତରାଧିକାରୀ ଆଇନ’, ‘ହିନ୍ଦୁ ଆଡପ୍‌‌ସନ ଆଣ୍ଡ ମେଣ୍ଟେନାନ୍ସ ଆଇନ’, ‘ହିନ୍ଦୁ ମାଇନରିଟି ଆଣ୍ଡ ଗାର୍ଡିଆନସିପ ଆଇନ’ ପ୍ରଣୟନ ହେଲା, ଯାହା ଅଦ୍ୟାବଧି କାର୍ଯ୍ୟ କରିଆସୁଛି। ସେହିପରି ପ୍ରାକ-ସ୍ୱାଧୀନତା କାଳରେ ମୁସଲମାନମାନଙ୍କ ପାଇଁ ପ୍ରଣୀତ ‘ମୁସଲିମ ପର୍ସନାଲ ଲ’, ୧୮୭୨ ମସିହାରୁ ପ୍ରଚଳିତ ‘ଈସାଇ ବିବାହ ଅଧିନିୟମ’, ‘ପାର୍ସି ବିବାହ ବିଚ୍ଛେଦ ଆଇନ ୧୯୩୮’ ଓ ଶିଖ୍‌‌ମାନଙ୍କ ପାଇଁ ସଂଶୋଧିତ ‘ଆନନ୍ଦ ବିବାହ ଆଇନ ୨୦୧୨’ ପ୍ରଚଳିତ ହୋଇଆସୁଛି।

ଦେଶ ସ୍ୱାଧୀନ ହେବା ପରେ ଡ. ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ପ୍ରଣୟନ ସଭା ଗଠିତ ହେଲା। ସେ ଏକକ ନାଗରରିକ ସଂହିତା ପାଇଁ ଆଇନ ପ୍ରଣୟନ ଲାଗି ମତ ଦେଇଥିବା ବେଳେ ଅନେକେ ଏହାକୁ ବିରୋଧ କରିଥିଲେ। ଫଳରେ ସମ୍ବିଧାନର ଭାଗ ୪ ଅନୁଚ୍ଛେଦ ୪୪ରେ ଡାଇରେକ୍ଟିଭ ପ୍ରିନ୍ସିପିଲ ଅଫ ଷ୍ଟେଟ ପଲିସି ଅନୁଯାୟୀ ରାଜ୍ୟମାନଙ୍କୁ ଏକକ ନାଗରିକ ସଂହିତା ଆଇନ ଆଣିବା ପାଇଁ କ୍ଷମତା ପ୍ରଦାନ କରାଗଲା। ଅନ୍ୟପକ୍ଷରେ ଅନୁଚ୍ଛେଦ ୨୫ରେ ନାଗରିକମାନଙ୍କୁ ଧାର୍ମିକ ସ୍ୱାଧୀନତା ପ୍ରଦାନ କରାଯାଇ ନିଜ ରୁଚି ଅନୁଯାୟୀ ଧର୍ମ ଗ୍ରହଣ, ପାଳନ, ପୂଜନ ଇତ୍ୟାଦି ଧାର୍ମିକ କାର୍ଯ୍ୟ କରିବାକୁ ମୌଳିକ ଅଧିକାର ପ୍ରଦାନ କରାଗଲା। ସେହିପରି ସମ୍ବିଧାନର ଅନୁଚ୍ଛେଦ ୧୪-୧୫ରେ ଲିଙ୍ଗଗତ ବୈଷମ୍ୟ, ଅନୁଚ୍ଛେଦ ୨୧ରେ ମହିଳାମାନଙ୍କ ଉପଯୁକ୍ତ ସମ୍ମାନ ରକ୍ଷା ପାଇଁ ବ୍ୟବସ୍ଥା କରାଯିବାରୁ ଏକକ ନାଗରିକ ସଂହିତା ପ୍ରଣୟନ କରିବାରେ ବାଧକ ହେଲା।

ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୧୨୫ ସବୁ ଧର୍ମର ମହିଳାମାନଙ୍କ ପାଇଁ ପ୍ରଯୁଜ୍ୟ ଥିବାରୁ ୧୯୮୫ ମସିହାରେ ‘ସାହା ବାନୋ’ ମାମଲାରେ ସର୍ବୋଚ୍ଚ ଅଦାଲତ ଇସ୍‌‌ଲାମ୍‌‌ ଆଇନର ତିନି ତଲାକ ବା ବିବାହ ବିଚ୍ଛେଦ ସର୍ତ୍ତକୁ ଅଗ୍ରାହ୍ୟ କରି ତାଙ୍କ ସ୍ୱାମୀ ମହମ୍ମଦ ଅହମ୍ମଦ ଖାନଙ୍କୁ ମାସିକ ଭରଣପୋଷଣ ଦାୟିତ୍ୱ ନେବା ପାଇଁ ଆଦେଶ ଦେଲେ। ଏହାପରେ ସମ୍ପୃକ୍ତ ସମ୍ପ୍ରଦାୟ ପକ୍ଷରୁ ପ୍ରତିବାଦ ଉଠିଥିଲା। ସମ୍ବିଧାନର ମୁଖବନ୍ଧରେ ସମସ୍ତ ନାଗରିକ ସମାନ ହୋଇଥିବା ଉଲ୍ଳେଖ ଥିବାରୁ ଏକକ ନାଗରିକ ସଂହିତା ପ୍ରଣୟନ କରିବା ପାଇଁ ସେହି ରାୟରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ପରିସ୍ଥିତିର ସମ୍ବେଦନଶୀଳତା ଦୃଷ୍ଟିରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମୁସଲିମ ଓମେନ(ପ୍ରୋଟେକସନ ଅଫ ରାଇଟ ଅନ ଡାଇଭର୍ସ) ୧୯୮୬ ପ୍ରଣୟନ କରିଥିଲେ। ଏହି ସ୍ୱତନ୍ତ୍ର ଆଇନ ବଳରେ ତଲାକ ସମୟରେ ସ୍ୱାମୀ କେବଳ ଇଦତ୍‌‌ ପାଇଁ ଭରଣପୋଷଣ ଦେବାକୁ ନିୟମ ପ୍ରଣୟଣ କରାଗଲା। କିନ୍ତୁ ଏହି ଆଇନ ସଂଖ୍ୟାଲଘୁ ମହିଳାମାନଙ୍କର ଅଧିକାର କ୍ଷୁଣ୍ଣ କରୁଥିବା ଅଭିଯୋଗରେ ଉଭୟ ହିନ୍ଦୁ ଓ ମୁସଲମାନ ମହିଳାମାନେ ଆପତ୍ତି ଉଠାଇଥିଲେ। ସେହିପରି ୧୯୯୫ ମସିହାରେ ସାରଳା ମୁଦଗଲ ମାମଲା, ୧୯୮୮ ମସିହାରେ ମିନୁ ମାଥୁର ମାମଲା, ୨୦୦୩ ମସିହାରେ ଜନ୍‌‌ ବଲବନ୍ତ ମାମଲା ଓ ୨୦୧୭ ମସିହାରେ ‘ସାଏରା ବାନୋ’ ମାମଲାରେ ତିନି ତଲାକକୁ ଅସାମ୍ବିଧାନିକ କହି ଏକକ ନାଗରିକ ସଂହିତା ପ୍ରଣୟନ ପାଇଁ ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରି ଅନେକ ମାମଲାରେ ସର୍ବୋଚ୍ଚ ଅଦାଲତ ସବୁ ନାଗରିକମାନଙ୍କ ପାଇଁ ଗୋଟିଏ ଆଇନ ପ୍ରଣୟନ ପାଇଁ କେନ୍ଦ୍ରସରକାରଙ୍କୁ କହି ଆସୁଛନ୍ତି।

ଅନୁମାନ କରାଯାଉଛି ଏକକ ନାଗରିକ ସଂହିତା ଲାଗୁ କରାଗଲେ ସାଧାରଣତଃ ୧୦ ଗୋଟି ସମାନ ଆଇନ ଲାଗୁ ହେବାର ସମ୍ଭାବନା ରହିଛି। ସବୁ ନାଗରିକମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ସୀମା ଧାର୍ଯ୍ୟ, ବିବାହ ବିଚ୍ଛେଦର ଆଧାର ଓ ପ୍ରଣାଳୀ, ପତ୍ନୀକୁ ଭରଣପୋଷଣ ଦେବାର ନିୟମ, ପୋଷ୍ୟସନ୍ତାନ ଗ୍ରହଣ କରିବାର ଆଧାର ଓ ପ୍ରଣାଳୀ, ଉତ୍ତରାଧିକାରୀ ଚୟନର ପ୍ରଥା ଓ ପ୍ରଣାଳୀ, ବହୁ ବିବାହ ଉପରେ ପ୍ରତିବନ୍ଧକ ଇତ୍ୟାଦି ମୁଖ୍ୟ ଆଇନ ହେବାର ସମ୍ଭାବନା ରହିଛି। ‘ମୁୁସଲମାନ ପର୍ସନାଲ ଲ’ ସରିୟାତ ଆଇନ ଆଧାରିତ, ଯାହାକି ଦୀର୍ଘ ୧୪ ଶହ ବର୍ଷର ପୁରୁଣା। ଏହା ଆସ୍ଥା ତଥା ବିଶ୍ୱାସ ଉପରେ ପର୍ଯ୍ୟବସିତ। ତେଣୁ ଏକକ ନାଗରିକ ସଂହିତା ଗ୍ରହଣୀୟ ହେବ ନାହିଁ ବୋଲି ମତ ପ୍ରକାଶ ପାଉଛି। ହିନ୍ଦୁୁମାନଙ୍କ ମଧ୍ୟରେ ମଧ୍ୟ କିଛି ସମ୍ପ୍ରଦାୟ ଏହି ଆଇନକୁ ବିରୋଧ କରିବାର ସମ୍ଭାବନା ରହିଛି। ଆମ ଦେଶରେ ପ୍ରାୟ ୭୦୫ ପ୍ରକାରର ଆଦିବାସୀ ବା ଉପଜାତି ବସବାସ କରନ୍ତି, ଯାହାକି ଦେଶର ଜନସଂଖ୍ୟାର ୮.୫ %। ଆଦିବାସୀ ପରମ୍ପରା ଅନୁଯାୟୀ ସେମାନଙ୍କର ଏକାଧିକ ପତ୍ନୀ ଗ୍ରହଣ କରିବାର ପ୍ରଥା ରହିଛି। ଯଦି ଏକକ ନାଗରିକ ସଂହିତା ପ୍ରଣୟନ ହୁଏ, ସେମାନେ ଏହି ଆଇନକୁ ବିରୋଧ କରିବାର ସମ୍ଭାବନା ରହିଛି। ସେହିପରି ହିନ୍ଦୁ ଯୌଥ ପରିବାର ମଧ୍ୟରେ ହେଉଥିବା ଆୟରେ ସମସ୍ତ ସଦସ୍ୟଙ୍କର ସମାନ ଅଂଶ ବାବଦରେ ଯଦି ନିୟମ ହୁଏ, ତେବେ ଏହି ଆଇନକୁ ସେମାନେ ନିଶ୍ଚିୟ ବିରୋଧ କରିବେ ବୋଲି ମତ ପ୍ରକାଶ ପାଉଛି।

୨୦୧୫ ମସିହାରେ ଜାରି ଏକ ସରାକାରୀ ପରିସଂଖ୍ୟାନରୁ ଜଣାଯାଏ ଯେ ଦକ୍ଷିଣ ଭାରତରେ ହିନ୍ଦୁ ମହିଳାମାନେ ନିଜ ପିତାଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ୧୦.୫ %, ମାତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ୧୩.୦୨% ଓ ନିଜ ପିଉସା ବା ମାମୁଁଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ୩.୫% ବିବାହ କରିଥା’ନ୍ତି। ତେଣୁ ଏହି ଆଇନ ଲାଗୁ ହେଲେ ସେମାନେ ବିଶେଷ ଭାବେ ପ୍ରଭାବିତ ହେବାକୁ ଥିବାରୁ ଏହାକୁ ବିରୋଧ କରିପାରନ୍ତି। ତେବେ ସମ୍ବିଧାନର ମୁଖବନ୍ଧରେ ଉଲ୍ଲିଖିତ ‘ସମାନତା’ ଆଧାରରେ ଏକକ ଆଇନ ମଧ୍ୟରେ ଦେଶର ସମସ୍ତ ନାଗରିକ ପରିଚାଳିତ ହେବା ଉଚିତ ବୋଲି ମତ ପ୍ରକାଶ ପାଉଛି। ଏହି ଆଇନ ଲାଗୁ ହେଲେ ସଂଖ୍ୟାଲଘୁ ମୁସଲମାନ ମହିଳାମାନେ ନିଜର ପୈତୃୃକ ସମ୍ପତ୍ତିରୁ ନିଜର ଭାଇମାନଙ୍କ ପରି ସମାନ ଭାଗ ପାଇପାରିବେ। ଗୋଟିଏ ଧର୍ମର ଲୋକ ଅନ୍ୟ ଧର୍ମରେ ବିବାହ କଲେ ଛାଡ଼ପତ୍ର ମଧ୍ୟ ସମାନ ନିୟମରେ ହେବ ଏବଂ ସ୍ୱତନ୍ତ୍ର ବିବାହ ଆଇନ ଉଚ୍ଛେଦ ହୋଇଯିବ। ସର୍ବୋପରି ନାଗରିକମାନଙ୍କ ମଧ୍ୟରେ ସମାନତାର ସନ୍ତୁଳନ ରଖିବାରେ ଏହି ଆଇନ ସହାୟକ ହେଇ ପାରିବ।

ଗଦାଧର ବଳ
ଆଇନଜୀବୀ, ଭଦ୍ରକ, ୯୪୩୭୧୨୮୮୪୧