ଏକାତ୍ମ ମାନବବାଦରେ ବିଶ୍ୱାସ

ଭାରତୀୟ ଜନତା ପାର୍ଟି (ଭାଜପା)ର ସମ୍ବିଧାନ (ଧାରା-୩) କହେ, ‘ଏକୀକୃତ ବା ଏକାତ୍ମ ମାନବବାଦ ପାର୍ଟିର ଦର୍ଶନ ହେବ’। ପାର୍ଟିର ସଦସ୍ୟତା ଫର୍ମରେ ସଦସ୍ୟମାନଙ୍କୁ ଏକ ସଙ୍କଳ୍ପ ନେବା ଦରକାର ପଡ଼େ, ଯାହାର ପ୍ରଥମ ଧାଡ଼ି ହେଉଛି,”ଭାରତୀୟ ଜନତା ପାର୍ଟିର ମୂଳ ଦର୍ଶନ ଇଣ୍ଟିଗ୍ରାଲ ହ୍ୟୁମାନିଜମ୍‌ ବା ଏକାତ୍ମ ମାନବବାଦରେ ମୁଁ ବିଶ୍ୱାସ କରେ“। ଏହି ଏକାତ୍ମ ମାନବବାଦ ହେଉଛି ମୁମ୍ବାଇରେ ୨୨ରୁ ୨୫ ଏପ୍ରିଲ ୧୯୬୫ରେ ଦୀନ୍‌ଦୟାଲ ଉପାଧ୍ୟାୟ ଦେଇଥିବା ୪ଟି ଅଭିଭାଷଣର ବିଷୟବସ୍ତୁ। ଉପାଧ୍ୟାୟ […] The post ଏକାତ୍ମ ମାନବବାଦରେ ବିଶ୍ୱାସ appeared first on Dharitri Odia News.

ଏକାତ୍ମ ମାନବବାଦରେ ବିଶ୍ୱାସ

ଭାରତୀୟ ଜନତା ପାର୍ଟି (ଭାଜପା)ର ସମ୍ବିଧାନ (ଧାରା-୩) କହେ, ‘ଏକୀକୃତ ବା ଏକାତ୍ମ ମାନବବାଦ ପାର୍ଟିର ଦର୍ଶନ ହେବ’। ପାର୍ଟିର ସଦସ୍ୟତା ଫର୍ମରେ ସଦସ୍ୟମାନଙ୍କୁ ଏକ ସଙ୍କଳ୍ପ ନେବା ଦରକାର ପଡ଼େ, ଯାହାର ପ୍ରଥମ ଧାଡ଼ି ହେଉଛି,”ଭାରତୀୟ ଜନତା ପାର୍ଟିର ମୂଳ ଦର୍ଶନ ଇଣ୍ଟିଗ୍ରାଲ ହ୍ୟୁମାନିଜମ୍‌ ବା ଏକାତ୍ମ ମାନବବାଦରେ ମୁଁ ବିଶ୍ୱାସ କରେ“। ଏହି ଏକାତ୍ମ ମାନବବାଦ ହେଉଛି ମୁମ୍ବାଇରେ ୨୨ରୁ ୨୫ ଏପ୍ରିଲ ୧୯୬୫ରେ ଦୀନ୍‌ଦୟାଲ ଉପାଧ୍ୟାୟ ଦେଇଥିବା ୪ଟି ଅଭିଭାଷଣର ବିଷୟବସ୍ତୁ। ଉପାଧ୍ୟାୟ ଆର୍‌ଏସ୍‌ଏସ୍‌ ଦ୍ୱାରା ପ୍ରକାଶିତ ସାପ୍ତାହିକୀ ‘ପଞ୍ଚଜନ୍ୟ’ର ସାମ୍ବାଦିକ ଥିଲେ। ଏହି ଭାଷଣ ଦେବା ସମୟରେ ତାଙ୍କ ବୟସ ପାଖାପାଖି ୫୦ ଥିଲା ଏବଂ ଏହାର ଦୁଇ ବର୍ଷ ପରେ ସେ ଜନସଂଘର ସଭାପତି ହୋଇଥିଲେ। ଆସନ୍ତୁ ଭାଜପା ଦର୍ଶନର ବାର୍ତ୍ତାକୁ ଆଉଥରେ ସମୀକ୍ଷା କରିବା। ଉପାଧ୍ୟାୟ ତାଙ୍କ ଭାଷଣରେ ଯାହା କହିଛନ୍ତି ତାହା ହେଉଛି ଯୁକ୍ତିର ସାରାଂଶ। ସେ ଦର୍ଶାଇଥିଲେ, ଜାତୀୟ ପରିଚୟକୁ ଅଣଦେଖା କରିବା ଯୋଗୁ ଭାରତ ସମସ୍ୟାର ସାମ୍ନା କରୁଛି। ଦେଶ ହେଉଛି ଏକ ବ୍ୟକ୍ତିସତ୍ତା ଏବଂ ଏହାର ସ୍ବାଭାବିକ ପ୍ରବୃତ୍ତିଗୁଡ଼ିକୁ ଅଣଦେଖା କଲେ ତାହା ରୁଗ୍‌ଣ ହୋଇଯାଏ। ସ୍ବାଧୀନତା ସତ୍ତ୍ୱେ, କେଉଁ ଦିଗରେ ଗଲେ ଭାରତର ବିକାଶ ହେବ ତାହା ଏଯାବତ୍‌ ସ୍ଥିର ହୋଇନାହିଁ। ଭାରତ ଆର୍ଥିକ, ସାମାଜିକ ତଥା ରାଜନୈତିକ ସିଦ୍ଧାନ୍ତ ସହ ବିଜ୍ଞାନ କ୍ଷେତ୍ରରେ ପାଶ୍ଚାତ୍ୟ ଦୃଷ୍ଟିକୋଣକୁ ଆପଣାଇଥିବାରୁ ଏଠାରେ ଆର୍ଥିକ, ସାମାଜିକ ଓ ରାଜନୈତିକ ସମସ୍ୟା ଉପରେ ଧ୍ୟାନ ରହିଲା। ପ୍ରଗତି ପାଇଁ ପାଶ୍ଚାତ୍ୟକରଣ ଗୁରୁତ୍ୱପୂର୍ଣ୍ଣ ଥିଲା। ଜାତୀୟତାବାଦ, ଗଣତନ୍ତ୍ର ଏବଂ ସମାଜବାଦ ଆଣିବାରେ ପାଶ୍ଚାତ୍ୟ ବିଫଳ ହେଲା। ଏସବୁ ପାଶ୍ଚାତ୍ୟ ବିଚାରଧାରା ପରସ୍ପର ବିରୋଧୀ ଥିଲେ। ଆୟୁର୍ବେଦ ଘୋଷଣା କରିଥିଲା, ସ୍ଥାନୀୟ ରୋଗ ପାଇଁ ଆମକୁ ସ୍ଥାନୀୟ ଚିକିତ୍ସା ଖୋଜିବା ଦରକାର। ତେବେ ଭାରତୀୟ ସଂସ୍କୃତି ବିଶ୍ୱ ପାଇଁ ଏକ ସମାଧାନ ଦେଇପାରିଲା କି? ସାଧାରଣରେ ଧାରଣା ଅଛି, ଭାରତୀୟ ସଂସ୍କୃତି ଆତ୍ମାର ମୁକ୍ତି କଥା ଭାବେ; ଶରୀର, ବୁଦ୍ଧି ଓ ମନ ସମ୍ପର୍କରେ ମୁଣ୍ଡ ଖେଳାଏ ନାହିଁ। କିନ୍ତୁ ତାହା ମିଥ୍ୟା। ଭାରତୀୟ ସଂସ୍କୃତିରେ ଧର୍ମକୁ ସର୍ବାଗ୍ରେ ସ୍ଥାନ ଦିଆଯାଇଛି। ଧର୍ମ ହେଉଛି ପ୍ରାକୃତିକ ଆଇନ, ଯାହା ଶାଶ୍ୱତ ଏବଂ ବିଶ୍ୱସ୍ତରୀୟ। ବ୍ୟବସ୍ଥାପକ, କାର୍ଯ୍ୟନିର୍ବାହୀ ଓ ନ୍ୟାୟପାଳିକା ଏପରି କି ଲୋକଙ୍କଠାରୁ ଧର୍ମ ଊର୍ଦ୍ଧ୍ୱରେ। ଧର୍ମ ବିରୋଧରେ କାମ କରିବା ପାଇଁ ଲୋକଙ୍କର ଅଧିକାର ନାହିଁ। ଦେଶ ପାଇଁ ଧର୍ମ ଏକ ଆବଶ୍ୟକୀୟ ସର୍ତ୍ତ ହୋଇଥିବାରୁ ସମ୍ବିଧାନରେ ‘ସେକୁଲାରିଜମ୍‌’ ବା ‘ଧର୍ମନିରପେକ୍ଷ’ ଶବ୍ଦର ବ୍ୟବହାର ଭୁଲ୍‌। ଯାହା ଧର୍ମ ଉପରେ ଆଧାରି ନୁହେଁ ତାହା ଅଗ୍ରହଣୀୟ ଏବଂ ସେଥିପାଇଁ ଧର୍ମନିରପେକ୍ଷ କ୍ଷତିକାରକ ତଥା ତ୍ରୁଟିପୂର୍ଣ୍ଣ। ଜାତୀୟ ଏକତା ଭାରତର ଧର୍ମ, ବିବିଧତା ସମସ୍ୟାପୂର୍ଣ୍ଣ। ଏହି କାରଣ ପାଇଁ ଭାରତର ସମ୍ବିଧାନ ପରିବର୍ତ୍ତନ ଦରକାର କରେ, ଯେଉଁଥିରେ ସଂଘୀୟରୁ ଆରମ୍ଭ କରି ଏକକ ବ୍ୟବସ୍ଥାରେ ରାଜ୍ୟଗୁଡ଼ିକ ପାଇଁ କୌଣସି ବୈଧାନିକ କ୍ଷମତା ନ ଥିବ, କେବଳ କେନ୍ଦ୍ରର ରହିବ। ବ୍ୟକ୍ତି ଓ ସାମାଜିକ ବ୍ୟବସ୍ଥା ମଧ୍ୟରେ ବିଭେଦ ହେଉଛି ପତନ ଓ ବିକୃତିର ସଙ୍କେତ। ବ୍ୟକ୍ତି ଓ ବ୍ୟବସ୍ଥା ମଧ୍ୟରେ ଥିବା ବିରୋଧାତ୍ମକ ସମ୍ପର୍କକୁ ପ୍ରଗତିର କାରଣ ଭାବେ ଦେଖିବା ପାଶ୍ଚାତ୍ୟର ଭୁଲ୍‌ ଥିଲା। ଆତ୍ମା, ବୁଦ୍ଧି, ଶରୀର ଓ ମନକୁ ନେଇ ବ୍ୟକ୍ତି ଗଢ଼ା। ମଣିଷ ଆତ୍ମା ସହ ଜନ୍ମ ହୋଇଛି। ବ୍ୟକ୍ତିତ୍ୱ, ଆତ୍ମା ଓ ଚରିତ୍ର ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବ୍ୟକ୍ତିର ଆତ୍ମା ଉପରେ ବ୍ୟକ୍ତିଗତ ଇତିହାସର କୌଣସି ପ୍ରଭାବ ନାହିଁ। କିନ୍ତୁ ଇତିହାସ ଦ୍ୱାରା ଜାତୀୟ ସଂସ୍କୃତି ଲଗାତର ଭାବେ ପରିବର୍ତ୍ତନ ହୁଏ। ଯାହା ସବୁ ଭଲ ଓ ପ୍ରଶଂସନୀୟ ବିଷୟ ତାହା ସଂସ୍କୃତିରେ ଅଛି, କିନ୍ତୁ ସେସବୁ ଜାତୀୟ ଚେତନାକୁ ପ୍ରଭାବିତ କରେ ନାହିଁ।
ଭାରତର ଜାତୀୟ ଆତ୍ମା ହେଉଛି ମୌଳିକ ଓ ମୁଖ୍ୟ। ଚେତନା ସାଂସ୍କୃତିକ ପ୍ରଗତିର ଦିଗ ନିର୍ଣ୍ଣୟ କରେ। ସମାଜ ଚେତନଶୀଳ ଏବଂ ଗୋଟିଏ ସମାଜର କାୟ, ମନ, ବୁଦ୍ଧି ଓ ଆତ୍ମା ଅଛି। ଆରମ୍ଭରୁ କେତେକ ପାଶ୍ଚାତ୍ୟ ବ୍ୟକ୍ତି ଏହି ସତ୍ୟକୁ ଗ୍ରହଣ କରୁଥିଲେ। ସେମାନଙ୍କ ମଧ୍ୟରୁ ଓ୍ବିଲିୟମ ମ୍ୟାକଡୋଗାଲ କହିଥିଲେ, ଜଣେ ମଣିଷ ଭଳି ଗୋଟିଏ ଗୋଷ୍ଠୀର ଏକ ମନ ଓ ମନସ୍ତତ୍ତ୍ୱ, ନିଜସ୍ବ ବିଚାର ପଦ୍ଧତି ଏବଂ କାର୍ଯ୍ୟକ୍ଷମତା ଅଛି। ସମାଜଗୁଡ଼ିକର ଏକ ଜନ୍ମଗତ ପ୍ରକୃତି ଅଛି, ଯାହା ଇତିହାସ ଉପରେ ଆଧାରିତ ନୁହେଁ। ଘଟଣାଗୁଡ଼ିକ ଏହାକୁ ପ୍ରଭାବିତ କରେନାହିଁ। ଏହି ଗୋଷ୍ଠୀ (ସମାଜ) ପ୍ରକୃତି ଠିକ୍‌ ମଣିଷ ଆତ୍ମା ସଦୃଶ, ଯାହା ଇତିହାସ ଦ୍ୱାରା ପ୍ରଭାବିତ ହୋଇ ନ ଥାଏ। ଦେଶ ପାଖରେ ଉଭୟ ଏକ ଆଦର୍ଶ ଓ ଏକ ମାତୃଭୂମି ଭାବନା ରହିଲେ ହିଁ ତାହା ଏକ ଦେଶ ଭାବେ ଗଣାହେବ। ଆମେ ଧର୍ମ ହାସଲ କରିବା ଲାଗି ଶରୀରକୁ ଏକ ସାଧନ ଭାବେ ଗ୍ରହଣ କରୁ। ଏହା ଥିଲା ଭାରତ ଓ ପାଶ୍ଚାତ୍ୟ ମଧ୍ୟରେ ପ୍ରଭେଦ ବୋଲି ଦର୍ଶାଇଥିଲେ। ଆମର ପ୍ରଚେଷ୍ଟା ଧର୍ମ, ଅର୍ଥ (ଟଙ୍କା), କାମ (ଆନନ୍ଦ) ଓ ମୋକ୍ଷ(ମୁକ୍ତି) ପାଇଁ ଥିଲା। ଏହି ୪ଟିକୁ ଭିନ୍ନ ଭାବେ ଦେଖିବା ପାଶ୍ଚାତ୍ୟର ତ୍ରୁଟି ଥିଲା। ଫଳରେ ଭୋଟଦେବା ଅଧିକାର ପାଇପାରିଲୁ କିନ୍ତୁ ଖାଦ୍ୟ ପାଇଲୁ ନାହିଁ। ଆମେରିକାର ଉଭୟ ରାଜନୈତିକ ସ୍ବାଧୀନତା ଓ ଧନ ଥିଲେ ବି ଏହା ଆତ୍ମହତ୍ୟା ଓ ମାନସିକ ରୋଗୀଙ୍କ ସଂଖ୍ୟାରେ ବିଶ୍ୱରେ ଶୀର୍ଷରେ ରହିଲା। ଭୋଟଦେବା ଅଧିକାର ଓ ଖାଦ୍ୟ ଥାଇ ମଧ୍ୟ ସୁଖ କିମ୍ବା ଶାନ୍ତି ନ ଥିଲା। ଆମେରିକାରେ ସୁନିଦ୍ରାର ଅଭାବ ଥିଲା, କାରଣ ସେମାନେ ଏକୀକୃତ ମାନବବାଦ ବିଷୟରେ ଭାବି ନ ଥିଲେ। ଆମେରିକୀୟ କହନ୍ତି, ସାଧୁତା ହେଉଛି ସବୁଠୁ ଭଲ ବିଜ୍‌ନେସ୍‌ ନୀତି, କିନ୍ତୁ ଭାରତୀୟମାନେ କହନ୍ତି ସାଧୁତା ଏକ ନୀତି ନୁହେଁ, ବରଂ ଏକ ସିଦ୍ଧାନ୍ତ।
ଭାଜପା ତାହାର ମୂଳ ଦର୍ଶନରେ ଏକାତ୍ମ ମାନବବାଦ ଉପରେ ଯାହା କହୁଛି ତାହାର ମାନେ କ’ଣ ଏବଂ ଏହାର ଉଦ୍ଦେଶ୍ୟ କ’ଣ, ସେ ସମ୍ପର୍କରେ କିଭଳି ଭାଜପା ମନ୍ତ୍ରୀ କିମ୍ବା ସଦସ୍ୟମାନେ ବୁଝାଇପାରୁଛନ୍ତି, ତାହା ଦେଖିବା କୌତୂହଳର ବିଷୟ ହେବ। ସେମାନେ ଏଥିପାଇଁ ସଙ୍କଳ୍ପ ନେଉଛନ୍ତି ଏବଂ ଏଥିରେ କିଭଳି ବିଶ୍ୱାସ କରୁଛନ୍ତି ତାହା ଜାଣିବାକୁ ଜଣେ ଆଗ୍ରହୀ ହେବା ସ୍ବାଭାବିକ।

The post ଏକାତ୍ମ ମାନବବାଦରେ ବିଶ୍ୱାସ appeared first on Dharitri Odia News.