ଏକାଦଶାହ ଭୋଜି ଖାଇବା ପରେ ଝାଡ଼ାବାନ୍ତି; ୨ ମୃତ, ୨୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ଆଲବନ୍ଧ ଗାଁକୁ ଯାଇ ସ୍ଥିତି ପରଖିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗାଁରେ ଏକାଦଶାହ ଭୋଜି ଖାଇବା ପରେ ଝାଡ଼ାବାନ୍ତି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେହିଭଳି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଗାଁର ୨୦ରୁ ଅଧିକ ଲୋକଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି।
ଗତକାଲି ଗାଁରେ ଏକ ଏକାଦଶାହ ଭୋଜି ହୋଇଥିଲା। ଏହି ଭୋଜି ଖାଇବା ପରେ ଗାଁର ତଥା ଗାଁ ବାହାରୁ ଆସିଥିବା କିଛି ଲୋକଙ୍କର ଝାଡ଼ାବାନ୍ତି ହୋଇଥିଲା। ତେଣୁ ସେମାନଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର କରଞ୍ଜିଆ ଗାଁରେ ମୃତ୍ୟୁ ଘଟିଛି।
ମୃତକ ଦ୍ୱୟ ହେଉଛନ୍ତି, ରାଜକିଶୋର ନାଏକ (୬୨) ଓ ନିଦ୍ରାବତୀ ନାଏକ (୫୦)। ନିଦ୍ରାବତୀଙ୍କ ଘର କରଞ୍ଜିଆରେ। ସେ ଆଲବନ୍ଧର ଉକ୍ତ ଏକାଦଶାହ ଭୋଜି ଖାଇବାକୁ ଆସିଥିଲେ।
ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଭୟ କୁମାର ଦାଶ ସ୍ପଷ୍ଟ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ଆଲବନ୍ଧ ଗାଁକୁ ଯାଇ ସ୍ଥିତି ପରଖିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିବା ସେ କହିଛନ୍ତି।