‘ଏକ୍ସ’ରେ ଟ୍ରେଣ୍ଡିଂ କରୁଛି ‘ବାଏ ବାଏ ପାଣ୍ଡିଆନ’: ବିଜେପି ଦେଲା ପାଣ୍ଡିଆନଙ୍କୁ ଡେମୋ ବିମାନ ଟିକେଟ୍

ପାଣ୍ଡିଆନଙ୍କୁ ଟାର୍ଗେଟ ପାଇଁ ବିଜେପି ଆପଣାଇଥିବା ଏହି କୌଶଳକୁ ନେଇ ବିଜେଡି ଓ ବିଜେପି ସମର୍ଥକମାନଙ୍କ ମଧ୍ୟରେ ସୋସିଆଲ ମିଡିଆୱାର ଆରମ୍ଭ ହୋଇଛି ।

‘ଏକ୍ସ’ରେ ଟ୍ରେଣ୍ଡିଂ କରୁଛି ‘ବାଏ ବାଏ ପାଣ୍ଡିଆନ’: ବିଜେପି ଦେଲା ପାଣ୍ଡିଆନଙ୍କୁ ଡେମୋ ବିମାନ ଟିକେଟ୍

ଚଳିତ ନିର୍ବାଚନ ରଣାଙ୍ଗନରେ ‘ଓଡ଼ିଆ ଅସ୍ମିତା’କୁ ମୁଖ୍ୟ ପ୍ରସଙ୍ଗ କରିଥିବା ବିଜେପି ଆଜି ସିଧାସଳଖ ବିଜେଡିର ଦ୍ୱିତୀୟ ପ୍ରଭାବଶାଳୀ ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛି । ବିଜେପି ଓଡ଼ିଶା ଶାଖା ନିଜର ‘ଏକ୍ସ’ ହ୍ୟାଣ୍ଡଲରେ(ଟ୍ୱିଟର) ‘ #ByeByePandian ’ ‘ବାଏବାଏପାଣ୍ଡିଆନ’ ହ୍ୟାସଟ୍ୟାଗ୍ ସହ ଏକ ଡେମୋ ବିମାନ ଟିକେଟ୍ ଅପଲୋଡ୍ କରିଛି । ଯାହାକି ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ରହିଛି । ୨୦୨୪ ଜୁନ୍ ୪ତାରିଖରେ ଭୁବନେଶ୍ୱରରୁ ଚେନ୍ନାଇ ଯିବା ପାଇଁ ଇକୋନୋମି କ୍ଲାସରେ ଏହି ବିମାନ ଟିକେଟ୍ ପ୍ରସ୍ତୁତ କରାଯାଇଛି । ପାଣ୍ଡିଆନଙ୍କୁ ଟାର୍ଗେଟ ପାଇଁ ବିଜେପି ଆପଣାଇଥିବା ଏହି କୌଶଳକୁ ନେଇ ବିଜେଡି ଓ ବିଜେପି ସମର୍ଥକମାନଙ୍କ ମଧ୍ୟରେ ସୋସିଆଲ ମିଡିଆୱାର ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଆଜି ଭାରତରେ ‘ଏକ୍ସ’ ହ୍ୟାଣ୍ଡଲରେ ଟ୍ରେଣ୍ଡିଂ କରୁଥିବା ହ୍ୟାସଟ୍ୟାଗ୍ ମଧ୍ୟରେ ‘ #ByeByePandian ’ ଆଗରେ ରହିଛି । ଓଡ଼ିଶା ବିଜେପି ମଧ୍ୟ ନିଜ ଅଫିସିଆଲ ‘ଏକ୍ସ’ ଆକାଉଣ୍ଟରେ ଏହି ହ୍ୟାସଟ୍ୟାଗକୁ ଉପଯୋଗ କରି ଏକ ଡେମୋ ବିମାନ ଟିକେଟ୍ ଅପଲୋଡ୍ କରିଛି । ଯାହାକି ଭିକେ ପାଣ୍ଡିଆନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏହି ଡୋମୋ ବିମାନ ଟିକେଟ୍ ପାଣ୍ଡିଆନଙ୍କ ନାଁରେ ଜୁନ୍ ୪ତାରିଖ ସନ୍ଧ୍ୟା ୭ଟାରେ ଭୁବନେଶ୍ୱରରୁ ଚେନ୍ନାଇ ଯାତ୍ରା ନିମନ୍ତେ ଉଲ୍ଲେଖ ରହିଛି । ରାଜ୍ୟ ବିଜେପିର ଏଭଳି ସିଧାସଳଖ ହାମଲା ପରେ ବିଜେଡି ଶିବିରରେ କମ୍ପନ ଖେଳିଯାଇଛି । ସୋସିଆଲ ମିଡିଆରେ ‘#ByeByePandian  ବହୁଳ ଭାବେ ଟ୍ରେଣ୍ଡିଂ କରିବାପରେ ବିଜେଡିର ସାଇବର ସେଲ୍ ଏକ ନୂଆ ହ୍ୟାସଟ୍ୟାଗ ‘#OdishaLovesPandian’ ଆରମ୍ଭ କରିଥିଲା । ନିଜର ସାଇବର ଆର୍ମିଙ୍କୁ ମୁତୟନ କରିଥିଲେ ମଧ୍ୟ ବିଜେପିର  ହ୍ୟାସଟ୍ୟାଗକୁ ମୁକାବିଲା କରିବାରେ ସକ୍ଷମ ହୋଇପାରିନି ।

ଆଜି ସନ୍ଧ୍ୟା ୭ଟା ସୁଦ୍ଧା ବିଜେଡିର ହ୍ୟାସଟ୍ୟାଗ  ‘#OdishaLovesPandian’ କୁ ମାତ୍ର ୩୦୭୮ଟି ପୋଷ୍ଟରେ ଉପଯୋଗ କରାଯାଇଛି । ଅନ୍ୟପକ୍ଷରେ ଏହି ଅବଧି ମଧ୍ୟରେ ବିଜେପିର ହ୍ୟାସଟ୍ୟାଗ୍ ‘#ByeByePandian’ ଏକ୍ସ’ରେ ସର୍ବାଧିକ ଟ୍ରେଣ୍ଡିଂ ହେଉଥିବା ହ୍ୟାସଟ୍ୟାଗ ପାଲଟିଛି । ଏହି ହ୍ୟାସଟ୍ୟାଗକୁ ପ୍ରାୟ ୧୫୯୦୦ରୁ ଅଧିକ ପୋଷ୍ଟରେ ଶେୟାର କରାଯାଇଛି। ଏହି ହ୍ୟାସଟ୍ୟାଗ୍ ରାତି ସାଢ଼େ ଆଠଟା ସୁଦ୍ଧା ୧୬୫୦୦ରୁ ଅଧିକ ପୋଷ୍ଟରେ ଉପଯୋଗ ହୋଇଛି।

BJPBJP ଦେଇଥିବା ଡେମୋ ଟିକଟ

ଉଲ୍ଲେଖଯୋଗ୍ୟ, ଚଳିତ ନିର୍ବାଚନରେ ବିଜେଡି ନିଜର ଏକମାତ୍ର ଷ୍ଟାର ପ୍ରଚାରକ ଭାବେ ପାଣ୍ଡିଆନଙ୍କୁ ମଇଦାନକୁ ଓହ୍ଲାଇଛି । ଆଜି ସନ୍ଧ୍ୟାରେ ରାଜ୍ୟରେ ୨ଟି ପର୍ଯ୍ୟାୟର ପ୍ରଚାର ଶେଷ ହୋଇଥିଲେ ମଧ୍ୟ ବିଜେଡି ନିଜର କୌଣସି ବରିଷ୍ଠ ନେତା କିମ୍ବା ଷ୍ଟାର ପ୍ରଚାରକଙ୍କୁ ପ୍ରଚାର ନିମନ୍ତେ ମଇଦାନକୁ ଓହ୍ଲାଇ ନାହିଁ । କେବଳ ପାଣ୍ଡିଆନ ଏକମାତ୍ର ବ୍ୟକ୍ତି ଭାବେ ରାଜ୍ୟତମାମ ବୁଲି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି । ନବୀନଙ୍କୁ ମଧ୍ୟ ଚଳିତ ନିର୍ବାଚନ ପ୍ରଚାରରେ ଖୁବ୍ କମ୍ ଦେଖିବାକୁ ମିଳୁଛି । ଅଣଓଡ଼ିଆ ଅଫିସରରୁ ରାଜନେତା ପାଲଟିଥିବା ପାଣ୍ଡିଆନ ଏବେ ଉଭୟ ବିଜେଡି ଓ ରାଜ୍ୟ ସରକାରର ସର୍ବେସର୍ବା ହୋଇଥିବାରୁ ଓଡ଼ିଆ ଅସ୍ମିତା ଓ ଓଡ଼ିଆଙ୍କ ସମ୍ମାନ କଥା କହି ବିଜେପି ଏବେ ଆକ୍ରମଣାତ୍ମକ ଶୈଳୀରେ ସମାଲୋଚନା କରୁଥିବା ଜଣାପଡ଼ିଛ।