ଏଜବାଷ୍ଟନ ବିଜୟର ହିରୋ ଆକାଶ ଦୀପଙ୍କ ଭଉଣୀଙ୍କୁ କ୍ୟାନସର, ଜିତିବା ପରେ କହିଲେ ଏମିତି

ଆକାଶ ଦୀପଙ୍କ ପ୍ରଦର୍ଶନ ଯୋଗୁ ଭାରତ ୩୩୬ ରନରେ ବିଜୟୀ ହୋଇଛି। ଇଂଲଣ୍ଡର ବାଜବଲ ଯୁଗରେ ଏହା ସବୁଠାରୁ ବଡ଼ ପରାଜୟ।

ଏଜବାଷ୍ଟନ ବିଜୟର ହିରୋ ଆକାଶ ଦୀପଙ୍କ ଭଉଣୀଙ୍କୁ କ୍ୟାନସର, ଜିତିବା ପରେ କହିଲେ ଏମିତି

ଇଂଲଣ୍ଡର ଏଜବାଷ୍ଟନରେ ଭାରତ ହାସଲ କରିଥିବା ଐତିହାସିକ ବିଜୟର ଅନ୍ୟତମ ନାୟକ ହେଉଛନ୍ତି ଦ୍ରୁତ ବୋଲର ଆକାଶ ଦୀପ। ଏହି ଯୁବ ଦ୍ରୁତ ବୋଲର ଜଣଙ୍କ ମ୍ୟାଚ୍‌ରେ ୧୦ ୱିକେଟ (ପ୍ରଥମ ଇନିଂସରେ ୪ ଓ ଦ୍ୱିତୀୟ ଇନିଂସରେ ୬) ନେଇ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଭାରତ ମଧ୍ୟ ବିଜୟ ହାସଲ କରି ୫ ମ୍ୟାଚ୍‌ ବିଶିଷ୍ଟ ଆଣ୍ଡରସନ-ତେନ୍ଦୁଲକର ଟେଷ୍ଟ ସିରିଜକୁ ୧-୧ ସ୍ଥିତିକୁ ନେଇ ଆସିଛି। ମ୍ୟାଚ୍‌ ପରେ ଆକାଶ ଦୀପ ବଡ଼ ଖୁଲାସା କରିବା ସହ ତାଙ୍କର ବଡ଼ ଭଉଣୀ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ବୋଲି କହିଛନ୍ତି। ସେ ତାଙ୍କ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନକୁ ତାଙ୍କ ଭଉଣୀଙ୍କୁ ଉତ୍ସର୍ଗ କରିଛନ୍ତି।

ଆକାଶ ଦୀପ କହିଛନ୍ତି ଯେ ତାଙ୍କ ଭଉଣୀ ୨ ମାସ ହେଲା କ୍ୟାନସର ସହ ଲଢ଼େଇ କରୁଛନ୍ତି। ସେ ତାଙ୍କ ଭଉଣୀଙ୍କ ମୁହଁରେ ହସ ଫୁଟାଇବାକୁ ଚାହୁଁଥିଲେ ଓ ଭଉଣୀ କରୁଥିବା ସଂଘର୍ଷକୁ ସେ ପ୍ରତି ଥର ଭଲ ଧରିବା ବେଳେ ମନେ ପକାଉଥିଲେ ବୋଲି ଆକାଶ କହିଛନ୍ତି।

ଆକାଶ ଦୀପଙ୍କ ପ୍ରଦର୍ଶନ ଯୋଗୁ ଭାରତ ୩୩୬ ରନରେ ବିଜୟୀ ହୋଇଛି। ଇଂଲଣ୍ଡର ବାଜବଲ ଯୁଗରେ ଏହା ସବୁଠାରୁ ବଡ଼ ପରାଜୟ। ଆକାଶ ଦ୍ୱିତୀୟ ଇନିଂସରେ ୬ ସଫଳତା ସହ ମୋଟ ୧୦ଟି ୱିକେଟ ଦଖଲ କରିଛନ୍ତି। ଇଂଲଣ୍ଡରେ ସେ ଚେତନ ଶର୍ମାଙ୍କ ପରେ ଦ୍ୱିତୀୟ ଭାରତୀୟ ୧୦ ୱିକେଟ ନେବାର କୀର୍ତ୍ତିମାନ ହାସଲ କରିଛନ୍ତି।

ମ୍ୟାଚ୍‌ ପରେ ଆକାଶ ଦୀପ କହିଛନ୍ତି, “ମୁଁ ଏକଥା କାହାକୁ କହି ନଥିଲି। ମୋ ବଡ଼ ଭଉଣୀ ୨ ମାସ ହେଲା କ୍ୟାନସର ସହ ସଂଘର୍ଷ କରୁଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ସୁସ୍ଥ ଅଛନ୍ତି। ମୋ ପ୍ରଦର୍ଶନ ଦେଖି ସେ ସବୁଠାରୁ ବେଶୀ ଖୁସି ହୋଇଥିବେ। ଏହି ମ୍ୟାଚ୍‌କୁ ମୁଁ ତାଙ୍କୁ ଉତ୍ସର୍ଗ କରିବାକୁ ଚାହୁଁଛି। ମୁଁ ତାଙ୍କ ମୁହଁରେ ହସଲ ଦେଖିବାକୁ ଚାହୁଁଥିଲି। ଏହା ତୁମ ପାଇଁ। ମୁଁ ଯେତେବେଳେ ବି ବଲ ହାତରେ ଧରୁଥିଲି ସେତେବେଳେ ତାଙ୍କ ମୁହଁ ମୋ ମୁଣ୍ଡରେ ଆସୁଥିଲା। ମୁଁ ତୁମ ମୁହଁରେ ଖୁସି ଦେଖିବାକୁ ଚାହୁଁଛି। ଆମେ ସମସ୍ତେ ତୁମ ସହ ରହିଛୁ।”

୨୦୨୪ ଫେବୃଆରୀରେ ଡେବ୍ୟୁ କରିଥିବା ଅକାଶ ଗତବର୍ଷ ୭ଟି ଟେଷ୍ଟ କରିଥିଲେ। ନିଜ ଟେଷ୍ଟ କ୍ୟାରିୟରରେ ସେ ପ୍ରଥମଥର ପାଇଁ ବ୍ରିସବେନ ଓ ମେଲବର୍ଣ୍ଣ ଖେଳିଥିଲେ ହେଁ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ହେଲେ ଇଂଲଣ୍ଡରେ ଲେନ୍ଥରେ ପରିବର୍ତ୍ତନ କରି ଆକାଶ ଦମଦାର ସଫଳତା ହାସଲ କରିଛନ୍ତି।

ଆକାଶ ଦୀପ ମ୍ୟାଚ୍‌ ପରେ ବଡ଼ ଭଉଣୀଙ୍କ କ୍ୟାନସର କଥା ପୂରା ବିଶ୍ୱକୁ ଜଣାଇଛନ୍ତି। ଏକଥା ଶୁଣି ଓ ସାନ ଭାଇର ପ୍ରଦର୍ଶନକୁ ଦେଖି ଆକାଶଙ୍କ ଭଉଣୀ ଅଖଣ୍ଡ ଜ୍ୟୋତି ସିଂହ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଜ୍ୟୋତି କହିଛନ୍ତି ଯେ ଇଂଲଣ୍ଡ ଟୁରର ଗୋଟିଏ ଦିନ ପୂର୍ବରୁ ସେ ଆକାଶଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ ଆକାଶଙ୍କୁ ନିଜ ଖେଳ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଏବେ ସେ ନିଜର ପ୍ରଦର୍ଶନ ଦ୍ୱାରା ପୂରା ପରିବାର ପାଇଁ ଖୁସି ଆଣି ଦେଇଛନ୍ତି।

ଜ୍ୟୋତିଙ୍କ କହିବା କଥା ଯେ ତାଙ୍କ କ୍ୟାନସର ଏବେ ତୃତୀୟ ଷ୍ଟେଜରେ ରହିଛନ୍ତି। ଏଥିପାଇଁ ଚିକିତ୍ସା ଆହୁରି ୬ ମାସ ଧରି ଚାଲିବ। ସେ କହିଛନ୍ତି, “ଏହା ଭାରତ ପାଇଁ ଗୋଟିଏ ଗର୍ବର କଥା। ଆକାଶ ୧୦ ୱିକେଟ ନେଇଛି। ଇଂଲଣ୍ଡ ଟୁର ପୂର୍ବରୁ ଆମେ ତାକୁ ଏୟାରପୋର୍ଟରେ ଭେଟିବାକୁ ଯାଇଥିଲୁ। ତା’କୁ କହିଥିଲି ଯେ ମୁଁ ପୂରା ଠିକ ଅଛି। ମୋ ପାଇଁ ବ୍ୟସ୍ତ ହେବୁନି। ଦେଶ ପାଇଁ କେବଳ ଭଲ କରେ। ଆକାଶ ୱିକେଟ ନେବା ବେଳେ ବହୁତ ଖୁସି ଲାଗୁଥିଲା। ସେ ୱିକେଟ ନେବା କ୍ଷଣି ଆମେ ଉତ୍ସବ ମନାଉଥିଲୁ।”

ମ୍ୟାଚ୍‌ ପରେ ଆକାଶ ଯେ କ୍ୟାମେରା ସାମ୍ନାରେ ବଡ଼ ଭଉଣୀଙ୍କ କ୍ୟାନସର କଥା ସମସ୍ତଙ୍କୁ କହିଛନ୍ତି, ସେକଥା ଜ୍ୟୋତି ଜାଣି ନଥିଲେ। ଆଇପିଏଲ ଚାଲିଥିବା ବେଳେ ଆକାଶଙ୍କ ଭଉଣୀ ହସ୍ପିଟାଲରେ ଆଡମିଟ ହୋଇଥିଲେ। ଏହି ସମୟରେ ଆକାଶ ଦୀପ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିଲେ। ଆଇପିଏଲ ସମୟରେ ମଧ୍ୟ ସେ ଭଉଣୀଙ୍କୁ ଦେଖା କରିବାକୁ ହସ୍ପିଟାଲ ଯାଉଥିଲେ। ଆଇପିଏଲ ୨୦୨୫ରେ ଆକାଶ ଦୀପ ୬ଟି ମ୍ୟାଚ ଖେଳି ୩ଟି ୱିକେଟ ନେଇଛନ୍ତି।