ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ; ରହିବ ସମ୍ବଲପୁରୀ ଛିଟ

ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି।

ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ; ରହିବ ସମ୍ବଲପୁରୀ ଛିଟ

ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନର୍ସଙ୍କ ଡ୍ରେସ କୋଡ୍। ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ। ଆଉ ସେଥିରେ ରହିବ ସମ୍ବଲପୁରୀ ଛିଟ। ଲାଭେନଣ୍ଡର୍ ବା ହାଲୁକା ବାଇଗଣୀ ରଙ୍ଗର ଡ୍ରେସ୍ ପିନ୍ଧିବେ ନର୍ସମାନେ। ଉଭୟ ପୁରୁଷ ଓ ମହିଳା ନର୍ସମାନେ ଈଷତ୍ ବାଇଗଣୀ ରଙ୍ଗର ପ୍ୟାଣ୍ଟ୍ ସର୍ଟ ପିନ୍ଧିବେ।

ଆସିଷ୍ଟାଣ୍ଟ୍ ନର୍ସିଂ ସୁପରିଟେଣ୍ଡଣ୍ଟ୍ ମାନେ ସାୟନ୍ ବ୍ଲୁ ଅର୍ଥାତ ଲାଇଟ୍ ନୀଳ ରଙ୍ଗର ଡ୍ରେସ୍ ପିନ୍ଧିବେ। ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଧଳା ଶାଢ଼ୀ ଓ ଡ୍ରେସ୍ ପିନ୍ଧିବେ। ସେଥିରେ ଥିବା ଆର୍ପନର କଲାରରେ ସମ୍ବଲପୁରୀ ଛିଟ୍ ରହିବ।

ସେହିପରି ପୁରୁଷ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଧଳା ଜାକେଟ୍‌ର କଲାରରେ ରହିବ ସମ୍ବଲପୁରୀ ଛିଟ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି।

ରାଜ୍ୟ ନସିଂ ମହାସଂଘର ସଂପାଦକ ଅଶ୍ୱିନୀ କୁମାର ଦାସ କହିଛନ୍ତି, ଡ୍ରେସ କୋଡ୍ ପରିବର୍ତ୍ତନ କରିଥିବାରୁ ଆମେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ଓ ସରକାରଙ୍କର ଏହି ନିଷ୍ପତ୍ତିକୁ  ସ୍ୱାଗତ କରୁଛୁ। ଆମେ ଯେଉଁ ୧୦ ଦଫା ଦାବି ସରକାରଙ୍କ ନିକଟରେ ରଖିଥିଲୁ, ଏହା ମଧ୍ୟ ଏକ ପ୍ରମୁଖ ଦାବି ଥିଲା। ସରକାର ଆଜି ଏହାକୁ ପୂରଣ କରିଛନ୍ତି। ଓଡ଼ିଶାରେ ୧୫ରୁ ହଜାରରୁ ଅଧିକ କର୍ମଚାରୀ ଉପକୃତ ହେବେ। ସରକାର ଆମର ଏହି ଦାବି ପୂରଣ କରିଥିବା ବେଳେ ଅନ୍ୟ ନାର୍ଯ୍ୟ ଦାବି ଗୁଡ଼ିକ ମଧ୍ୟ ପୂରଣ କରିବେ ବୋଲି ଆମେ ଭାବୁଛୁ। ସରକାର ଆମ ସହ  ଆଲୋଚନା କରିବା ପରେ ଏହି ଡ୍ରେସ କୋଡ୍‌ କରିଛନ୍ତି।