ଏଣିକି ସରକାରୀ ସାର୍ଟିଫିକେଟ୍ ପାଇଁ ‘ଆଧାର’ ବାଧ୍ୟତାମୂଳକ: ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର
ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସାଟିଁଫିକେଟର ଜାଲିଆତି ରୋକିବା ସହ ସରକାରୀ ସେବାରେ ପାରଦର୍ଶୀ ଆଣିବା ନିମନ୍ତେ ‘ଆଧାର’କୁ ସରକାରୀ ସେବା ନିମନ୍ତେ ଏକ ଦୃଢ଼ ପରିଚୟ ପ୍ରମାଣ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏଣିକି ବିଭିନ୍ନ ପ୍ରକାରର ସରକାରୀ ସାର୍ଟିଫିକେଟ୍ ପାଇଁ ‘ଆଧାର’ ବାଧ୍ୟତାମୂଳକ । ଜାତି, ଆୟ, ଆଇନଗତ ଉତ୍ତରାଧିକାରୀ, ଜମିଜମା ରେକର୍ଡ ଓ ରେଜିଷ୍ଟ୍ରେସନ ନିମନ୍ତେ ଆଧାର ନମ୍ବର ଦେବା ଅବା ଆଧାର ସତ୍ୟପାଠ କରିବା ବାଧ୍ୟତାମୂଳକ ହେବ । କେବଳ ସେତିକି ନୁହେଁ ସରକାରଙ୍କ ବିଭିନ୍ନ ଯୋଜନାରେ ସବସିଡି ଓ ଡିବିଟି ସୁବିଧାର ହିତାଧିକାରୀଙ୍କ ପାଇଁ ମଧ୍ୟ ଆଧାର ନମ୍ବରକୁ ବାଧ୍ୟତାମୂଳକ କରାଯାଇଛି ସରକାରୀ ସେବା ପ୍ରକ୍ରିୟାକୁ ସରଳ, ପାରଦର୍ଶୀ ଓ ବ୍ୟାପକ କରିବା ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ଶୁକ୍ରବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
କାହିଁକି ଆଧାର?
ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସାଟିଁଫିକେଟର ଜାଲିଆତି ରୋକିବା ସହ ସରକାରୀ ସେବାରେ ପାରଦର୍ଶୀ ଆଣିବା ନିମନ୍ତେ ‘ଆଧାର’କୁ ସରକାରୀ ସେବା ନିମନ୍ତେ ଏକ ଦୃଢ଼ ପରିଚୟ ପ୍ରମାଣ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ହିତାଧିକାରୀଙ୍କ ଯୋଗ୍ୟତା ଯାଂଚ କରିବାରେ ସାହାଯ୍ୟ କରିବ, ସେବା ବିତରଣକୁ ସରଳ କରିବ, ସ୍ୱଚ୍ଛତା ବୃଦ୍ଧି କରିବ ଏବଂ ଏକାଧିକ ପରିଚୟ ଦଲିଲ ଦାଖଲ କରିବାର ସମସ୍ୟାକୁ ମଧ୍ୟ ହ୍ରାସ କରିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜାରି କରାଯାଉଥିବା ଜାତି, ଆୟ, ଆଇନଗତ ଉତ୍ତରାଧିକାରୀ, ଜମି ରେକର୍ଡ, ରେଜିଷ୍ଟ୍ରେସନ ଆଦି ସମ୍ବନ୍ଧୀୟ ପ୍ରମାଣପତ୍ର ପ୍ରଦାନରେ ଏହି ‘ଆଧାର’ ବାଧ୍ୟତାମୂଳକ ହେବ । ୨୦୧୬ ଆଧାର ଆଇନର ଧାରା ୭ ଅନୁଯାୟୀ, ଏହା ମଧ୍ୟ ସରକାରୀ ସେବା ବିତରଣକୁ ସରଳ କରିବ,ପାରଦର୍ଶିତା ଆଣିବା ସହ ହିତାଧିକାରୀମାନଙ୍କୁ ସିଧାସଳଖ ଲାଭ ପହଂଚାଇବ ।
ନୂଆ ନିର୍ଦ୍ଦେଶ କ’ଣ କହୁଛି?
ଏହି ବିଜ୍ଞପ୍ତି ଅନୁଯାୟୀ, ପ୍ରମାଣପତ୍ର ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କୁ ଆଧାର ନମ୍ବର ଦାଖଲ କରିବାକୁ ହେବ କିମ୍ବା ଆଧାର ପ୍ରାମାଣୀକରଣ ପ୍ରକ୍ରିୟାରେ ଯିବାକୁ ହେବ । ଯେଉଁମାନଙ୍କର ଆଧାର ନମ୍ବର ନାହିଁ କିମ୍ବା ଆଧାର ନିମନ୍ତେ ପଞ୍ଜିକରଣ କରିନାହାନ୍ତି ସେମାନଙ୍କୁ ଯେକୌଣସି ସରକାରୀ ପ୍ରମାଣପତ୍ର ପାଇଁ ଆବେଦନ କରିବା ପୂର୍ବରୁ ଆଧାର ନିମନ୍ତେ ବିଧିବଦ୍ଧ ଆବେଦନ କରିବାକୁ ପଡ଼ିବ । ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ଆଧାର କେନ୍ଦ୍ରକୁ ଯାଇ ନିଜର ଆଧାର ପ୍ରସ୍ତୁତ କରିପାରିବେ ।
ଓକାକ୍ ଓ ଏନଆଇସିରେ ‘ଆଧାର’ ସୁବିଧା
ସମସ୍ତଙ୍କ ପାଇଁ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରସ୍ଥିତ ଓକାକ୍ ଓ ଏନଆଇସି କେନ୍ଦ୍ରରେ ‘ଆଧାର’ ପଞ୍ଜିକରଣର ସୁବିଧା ଉପଲବ୍ଧ କରାଯାଇଛି । ଯଦି କୌଣସି ବ୍ଲକ ଓ ତହସିଲରେ ‘ଆଧାର’ ପଞ୍ଜିକରଣ କେନ୍ଦ୍ର ନଥିବ ତେବେ ରାଜସ୍ୱ ବିଭାଗ ପକ୍ଷରୁ ୟୁଏଆଇଡିଏଆଇ ରେଜିଷ୍ଟ୍ରାରଙ୍କ ସହ ସମନ୍ୱୟ କରି ସୁବିଧାଜନକ ସ୍ଥାନରେ ଏହି ସୁବିଧା ଯୋଗାଇ ଦିଆଯିବ । ଆଧାର ନମ୍ବର ମିଳିବା ପର୍ଯ୍ୟନ୍ତ ଆବେଦନକାରୀମାନେ ଆଧାର ଆବେଦନର ସ୍ଲିପ ସହ ନିମ୍ନଲିଖିତ ଦଲିଲ ମଧ୍ୟରୁ ଯେକୌଣସି ଗୋଟିଏ ଦାଖଲ କରି ପ୍ରମାଣପତ୍ର ପାଇଁ ଆବେଦନ କରି ପାରିବେ: ବ୍ୟାଙ୍କ କିମ୍ବା ଡାକଘର ପାସବୁକ (ଫଟୋ ସହ) , ପାନ କାର୍ଡ , ପାସପୋର୍ଟ, ରାସନ କାର୍ଡ , ଭୋଟର ପରିଚୟ ପତ୍ର , ମନରେଗା ଜବକାର୍ଡ , କିଷାନ ବିକାଶ ପତ୍ର, ଡ୍ରାଇଭିଂ ଲାଇସେନ୍ସ, କିମ୍ବା ଗେଜେଟେଡ ଅଫିସର ଅବା ତହସିଲଦାରଙ୍କ ଦ୍ୱାରା ଅଫିସିଆଲ ଲେଟରହେଡରେ ଜାରି ପରିଚୟ ପ୍ରମାଣପତ୍ର ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ରାଜ୍ୟର ପ୍ରକୃତ ନାଗରିକ ବା ବାସିନ୍ଦା ଯେଭଳି ନିଜର ଅଧିକାର ଓ ସରକାରୀ ଲାଭରୁ ବଂଚିତ ନହେବେ ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ସୁନିଶ୍ଚିତ କରାଇବେ । ଯଦି ଆଧାର ସତ୍ୟପାଠ ବିଫଳ ହୁଏ, ତେବେ ଆଖିର ଛବି, ମୋବାଇଲ୍ ଓଟିପି ମାଧ୍ୟମରେ ବିକଳ୍ପ ବ୍ୟବସ୍ଥା ରହିବ । ଶେଷପର୍ଯ୍ୟନ୍ତ ଆଧାର ଚିଠିର କୁୂ୍ୟଆର କୋଡ୍ ସହିତ ଫିଜିକାଲ ଆଧାର ଦେଖାଇ ସାର୍ଟିଫିକେଟ୍ ମିଳିପାରିବ । ଏହି ନୂଆ ନିୟମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ବିଭାଗ ବ୍ୟାପକ ପ୍ରଚାର କରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।