ଏଥର ଗଣେଶଙ୍କ ବିକୃତ ମୂର୍ତ୍ତି ନିର୍ମାଣକୁ ପୋଲିସର ତାଗିଦ୍
କଟକରେ ପୂଜା ପ୍ରସ୍ତୁତି ବୈଠକରେ ପୋଲିସ୍ କମିଶନରଙ୍କ ସୂଚନା । ଗଣେଶ ମୂର୍ତ୍ତି ବିକୃତ ନକରିବାକୁ ଗୁରୁତ୍ୱ ।
ଗଣେଶଙ୍କ ବିକୃତ ମୂର୍ତ୍ତି ନିର୍ମାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। କଟକରେ ଗଣେଶ ପୂଜା ପ୍ରସ୍ତୁତି ବୈଠକରେ କିଛି ଏଭଳି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା। କଟକ ସାରଳା ଭବନରେ କମିଶନରେଟ ପୋଲିସ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ ସରିଛି। ଶାନ୍ତି କମିଟି, ମହାନଗର ପୂଜା କମିଟି ଏବଂ ବିଭିନ୍ନ କର୍ମକର୍ତ୍ତାଙ୍କୁ ନେଇ ଆଲୋଚନା ହୋଇଛି।
ଚଳିତ ପୂଜାରେ ଗଣେଶ ମୂର୍ତ୍ତି ଯେପରି ବିକୃତ ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର। ଯଦି କୌଣସି କ୍ଲବ କିମ୍ବା ଅନୁଷ୍ଠାନ ମୂର୍ତ୍ତି କୁ ବିକୃତ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦୋହରାଇଛନ୍ତି। ତାସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଦ୍ଦ ପ୍ରଦୂଷଣ ଯେପରି ନ ହେବ, ସାଉଣ୍ଡ ଲିମିଟ ଅନୁଯାୟୀ ବକ୍ସ ବଜାଇବେ ବୋଲି କହିଛନ୍ତି ପୋଲିସ୍ କମିଶନର୍।