ଏପ୍ରିଲ ୧୩ରେ ପଣା ସଂକ୍ରାନ୍ତି

କଟକ,୯ା୪ (କାର୍ତ୍ତିକ ସାହୁ) ଅଧିବର୍ଷ କାରଣରୁ ୨୦୨୪ ମସିହା ୩୬୫ ଦିନ ବଦଳରେ ୩୬୬ ଦିନ ହୋଇଛି। ଫଳରେ ଚଳିତ ବର୍ଷ ୧୪ ବଦଳରେ ଏପ୍ରିଲ ୧୩ ତାରିଖରେ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ ହେବ। ହେଲେ କେତେକ ପଞ୍ଜିକାରେ ଏପ୍ରିଲ ୧୪ ତାରିଖ ଦିନ ପଣା ସଂକ୍ରାନ୍ତୀ ପାଳନ କରାଯିବ ବୋଲି ମୁଦ୍ରିତ ହୋଇଛି। ଏହି ପଞ୍ଜିକାଗୁଡ଼ିକୁ ପୁରୀ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ଅନୁମୋଦନ ଦେଇଥିବାରୁ ଏହା ବିରୋଧରେ ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ […] The post ଏପ୍ରିଲ ୧୩ରେ ପଣା ସଂକ୍ରାନ୍ତି appeared first on Dharitri Odia News.

ଏପ୍ରିଲ ୧୩ରେ ପଣା ସଂକ୍ରାନ୍ତି
କଟକ,୯ା୪ (କାର୍ତ୍ତିକ ସାହୁ) ଅଧିବର୍ଷ କାରଣରୁ ୨୦୨୪ ମସିହା ୩୬୫ ଦିନ ବଦଳରେ ୩୬୬ ଦିନ ହୋଇଛି। ଫଳରେ ଚଳିତ ବର୍ଷ ୧୪ ବଦଳରେ ଏପ୍ରିଲ ୧୩ ତାରିଖରେ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ ହେବ। ହେଲେ କେତେକ ପଞ୍ଜିକାରେ ଏପ୍ରିଲ ୧୪ ତାରିଖ ଦିନ ପଣା ସଂକ୍ରାନ୍ତୀ ପାଳନ କରାଯିବ ବୋଲି ମୁଦ୍ରିତ ହୋଇଛି। ଏହି ପଞ୍ଜିକାଗୁଡ଼ିକୁ ପୁରୀ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ଅନୁମୋଦନ ଦେଇଥିବାରୁ ଏହା ବିରୋଧରେ ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ମଙ୍ଗଳବାର ରୁଜୁ କରାଯାଇଛି।
ମାମଲାର ବିବରଣୀ ଅନୁସାରେ, ଓଡ଼ିଶାର ପ୍ରାୟ ସମସ୍ତ ପାଞ୍ଜି ଗଣନାରେ ବିଶେଷ ଭାବେ ଅବଲମ୍ବନ କରାଯାଉଥିବା ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ, ଯାଜପୁର ଜିଲାରେ ବିରଜା ପାଞ୍ଜି ଗଣନାରେ ବ୍ୟବହୃତ ଶତାନନ୍ଦଙ୍କ ଭାସ୍ବତୀ, ସାରା ଭାରତରେ ପାରମ୍ପରିକ ପାଞ୍ଜି ଗଣନାରେ ବ୍ୟବହୃତ ସୂର୍ଯ୍ୟସିଦ୍ଧାନ୍ତ ଏବଂ ଆଧୁନିକ ବୈଜ୍ଞାନିକ ପଦ୍ଧତି ଗଣନା ଅନୁସାରେ ଏପ୍ରିଲ ୧୩ ତାରିଖରେ ପଣା ସଂକ୍ରାନ୍ତି ପଡ଼ୁଛି। ଓଡ଼ିଶା ତଥା ସର୍ବଭାରତୀୟ ସ୍ତରର ପ୍ରାୟ ସମସ୍ତ ପଞ୍ଜିକାରେ ଏପ୍ରିଲ ୧୩ରେ ହିଁ ମେଷ ରାଶିକୁ ନିରୟଣ ରବି ଚଳନ ହେଉଥିବା ଦର୍ଶାଯାଇଛି। ଭାରତ ସରକାରଙ୍କ ରାଷ୍ଟ୍ରୀୟ ପଞ୍ଚାଙ୍ଗ, ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦର ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ଜ୍ୟୋର୍ତିବିଦ୍ୟା ବାଚସ୍ପତି ମେଡେନ କୁମାର ବିଶିଙ୍କ ଦ୍ବାରା ଗଣିତ ଭାଗ୍ୟଜ୍ୟୋତି ପ୍ରକାଶନର ପରମେଶ୍ୱରୀ ପଞ୍ଜିକା ଓ ଶ୍ରୀକ୍ଷେତ୍ର ପାଞ୍ଜି, ସମ୍ବାଦ ଓ ଆମ ଓଡ଼ିଶାର ଆମ ପାଞ୍ଜି, ଭାଗ୍ୟଦୀପ ପଞ୍ଜିକା, ସାରଳା ପାଞ୍ଜି ଓ ରାଧାରମଣ ପ୍ରେସର ବିରଜା ପାଞ୍ଜିରେ ଏପ୍ରିଲ ୧୩ରେ ହିଁ ପଣାସଂକ୍ରାନ୍ତି ବୋଲି ଉଲ୍ଲେଖ କରାଯାଇଛି। ହେଲେ ଅନ୍ୟ କେତେକ ପଞ୍ଜିକାରେ ଏହାର ବ୍ୟତିକ୍ରମ ଦେଖାଦେଇଥିବାରୁ ଆବେଦନକାରୀ ତଥା ପାଞ୍ଜି ଗଣକ ଦୋଳଗୋବିନ୍ଦ ପଣ୍ଡା ହାଇକୋର୍ଟରେ ମାମଲା ନଂ. ଡବ୍ଲୁପି(ସି)/୧୫୯୧୫/୨୦୨୪ ଦାୟର କରିଛନ୍ତି। ଭୁଲ ଦିନରେ ପୁଣ୍ୟପର୍ବାଦି ପାଳନ ବ୍ୟକ୍ତି, ରାଜ୍ୟ ତଥା ସମାଜ ପାଇଁ ହାନିକାରକ ହୋଇଥିବାରୁ ଠିକ ଦିନରେ ଏହି ଧାର୍ମିକ ଦିବସଟି ପାଳନ କରିବା ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଥିବା ବେଳେ ସୁରେନ୍ଦ୍ର କୁମାର ରାଉତ, ବିବୁଧେନ୍ଦୁ ମିଶ୍ର ଓ ଜୟନ୍ତୀ ନାୟକ ସହଯୋଗ କରୁଛନ୍ତି। ଏଥିରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସେକ୍ରେଟାରୀ, ଶ୍ରୀମନ୍ଦିର ପ୍ରଶାସନ, ସମ୍ପୃକ୍ତ ପ୍ରତିପକ୍ଷ ପଞ୍ଜିକା ଏବଂ ଓଡ଼ିଶା ସରକାରଙ୍କ ସମ୍ପୃକ୍ତ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି।

The post ଏପ୍ରିଲ ୧୩ରେ ପଣା ସଂକ୍ରାନ୍ତି appeared first on Dharitri Odia News.