ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ

୫ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରର ଓ ଜଣେ ଖୋର୍ଦ୍ଧା ଅଞ୍ଚଳର। ସେହିପରି ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା।

ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ନୂଆ ଚିନ୍ତା ସୃଷ୍ଟି କରିଛି।

ବିଭାଗର ସୂଚନା ଅନୁସାରେ, ୫ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରର ଓ ଜଣେ ଖୋର୍ଦ୍ଧା ଅଞ୍ଚଳର। ସେହିପରି ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା। ସଂକ୍ରମିତମାନଙ୍କୁ ସଂଗରୋଧରେ ରଖାଯାଇଥିବା ବେଳେ ସେମାନେ ଆଉ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତା’ର ଯାଞ୍ଚ କରାଯାଉଛି।

କରୋନା ପ୍ରତି ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। କିନ୍ତୁ ଆତଙ୍କିତ ନ ହେବାକୁ କହିଛନ୍ତି। ବିଶେଷ କରି ଲକ୍ଷଣ ଦେଖାଯାଉଥିବା ଲୋକମାନେ ବେଶୀ ସତର୍କ ରହିବା ଦରକାର ବୋଲି ସେମାନେ ମତ ରଖିଛନ୍ତି। ଯଦିଓ ସଂକ୍ରମିତଙ୍କ ସଂଖ୍ୟା ବେଶ କମ ତଥାପି ସରକାର ବେଶ ଗୁରୁତ୍ୱର ସହ ସ୍ଥିତିକୁ ସମୀକ୍ଷା କରୁଥିବା ଜଣାପଡ଼ିଛି।

ଏହାପୂର୍ବରୁ ମେ’ ୨୨ରେ ଓଡ଼ିଶାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଦୀର୍ଘ ୨.୫ ବର୍ଷ ପରେ ରାଜ୍ୟରେ କରୋନା ଭାଇରାସ ଠାବ କରାଯାଇଥିଲା। ସଂକ୍ରମିତ ବ୍ୟକ୍ତି ଜଣଙ୍କ ନିକଟରେ ଦିଲ୍ଲୀରୁ ଭୁବେଶ୍ୱର ଆସିଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କ ଅବସ୍ଥା ସ୍ଥିର ରହିଥିଲେ ହେଁ ସେ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ରହିଛନ୍ତି। ତେଣୁ ପ୍ରତିଶେଧକ ବ୍ୟବସ୍ଥା ସ୍ୱରୂପ ତାଙ୍କୁ ଭୁବନେଶ୍ୱରର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୂରା ବିଶ୍ୱରେ କରୋନା ମହାମାରୀ ବ୍ୟାପୀ ଥିବା ବେଳେ ୨୦୨୦ ମାର୍ଚ୍ଚ ୧୬ରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।