'ଓଡ଼ିଶାରୁ ଯେଉଁ ପରିବର୍ତ୍ତନ ହେବାକୁ ଅଛି କେନ୍ଦ୍ରାପଡ଼ାରୁ ଆରମ୍ଭ ହେବ'
କେନ୍ଦ୍ରାପଡ଼ା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା ପରେ ଦିଲ୍ଲୀ ହଜଖାସ୍ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ତାସହ ମହାପ୍ରଭୁଙ୍କୁ ଆଶୀର୍ବାଦ ନେଇଛନ୍ତି।
ଓଡ଼ିଶାରୁ ଯେଉଁ ପରିବର୍ତ୍ତନ ହେବାକୁ ଅଛି, କେନ୍ଦ୍ରାପଡ଼ାରୁ ହିଁ ଆରମ୍ଭ ହେବ। ଏଥର ଆମେ ଅଧିକାଂଶ ଲୋକସଭା ଓ ବିଧାନସଭା ସିଟ୍ ଜିତିବୁ, ଏଥିରେ ସନ୍ଦେହ ନାହିଁ। କେନ୍ଦ୍ରାପଡ଼ା ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହେବାପରେ ପ୍ରଥମ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ଆଜି ଦିଲ୍ଲୀ ସ୍ଥିତ ହଜଖାସ୍ ଜଗନ୍ନାଥ ମନ୍ଦିରରେ ୧୭ଟି ଓଡ଼ିଆ ସଂଗଠନ ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବୈଜୟନ୍ତ ଆହୁରି କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଯେଉଁ ପରିବର୍ତ୍ତନ ହୋଇଛି ଆମେ ଅନୁଭବ କରିଛୁ। ସମସ୍ୟା ହେଲେ ଆମେ ଅନ୍ୟ ଦେଶକୁ ସାହାଯ୍ୟ ମାଗୁଥିଲୁ। ଏବେ ଅନ୍ୟ ଦେଶ ଆମର ସାହାଯ୍ୟ ନେଉଛନ୍ତି। ୮୦ କୋଟି ଲୋକଙ୍କୁ ମାଗଣା ରାସନ ଏବଂ ଆବାସ ଯୋଜନାରେ ଲକ୍ଷ ଲକ୍ଷ ପକ୍କା ଘର ମିଳୁଛି। କିଏ ପୋଷ୍ଟର ମାରି ବାହାବା ନେଲେ କଣ ହେବ, ଲୋକେ କଣ ଜାଣିନାହାନ୍ତି କି ବୋଲି ବୈଜୟନ୍ତ କହିଛନ୍ତି।
ଦିଲ୍ଲୀ ହଜଖାସ୍ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ ବୈଜୟନ୍ତ। ଏହାପରେ ମନ୍ଦିର ପରିସରରେ ୧୭ଟି ଓଡ଼ିଆ ସଂଗଠନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧିତ କରାଯାଇଥିଲା।