କ’ଣ ଏହି ଆଇପି କ୍ୟାମେରା ? ଯାହା ରାଜଧାନୀର ଆପାର୍ଟମେଣ୍ଟକୁ ଜଗିବ…..

ଭୁବନେଶ୍ୱର : ସବୁଠୁ ସୁରକ୍ଷିତ କୁହାଯାଉଥିବା ଆପାର୍ଟମେଣ୍ଟରୁ ରାହାଜାନୀ ଘଟଣାଗୁଡ଼ିକୁ ନେଇ ଚିନ୍ତା ପ୍ରକଟ କରିଛି କମିସନରେଟ୍‌ ପୁଲିସ। କିଛିଦିନ ବ୍ୟବଧାନ ଭିତରେ ଆପାର୍ଟମେଣ୍ଟଗୁଡ଼ିକୁ ଅପରାଧୀମାନେ ଟାର୍ଗେଟ୍‌ କରୁଛନ୍ତି। ଆପାର୍ଟମେଣ୍ଟଗୁଡ଼ିକରୁ ଲୁଟ୍‌ତରାଜ ବଢ଼ିବା ପରେ ପୁଲିସର ମୁଣ୍ଡବିନ୍ଧା ହୋଇଛି। ତେଣୁ ଆପାର୍ଟମେଣ୍ଟଗୁଡ଼ିକର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଛି। ଆପାର୍ଟମେଣ୍ଟରୁ ରାହାଜାନୀ ରୋକିବା ସହ ଅପରାଧୀଙ୍କ ଦମନ ଲାଗି ପଦକ୍ଷେପ ନେଇଛି କମିସନରେଟ୍‌ ପୁଲିସ। ଏଣିକି ସମସ୍ତ ଆପାର୍ଟମେଣ୍ଟରେ ଆଇପି କ୍ୟାମେରା ଲଗାଯିବ। ଦ୍ୱୈତନଗରୀର […]

କ’ଣ ଏହି ଆଇପି କ୍ୟାମେରା ? ଯାହା ରାଜଧାନୀର ଆପାର୍ଟମେଣ୍ଟକୁ ଜଗିବ…..
What is this IP camera? which will guard the apartments of the capital

ଭୁବନେଶ୍ୱର : ସବୁଠୁ ସୁରକ୍ଷିତ କୁହାଯାଉଥିବା ଆପାର୍ଟମେଣ୍ଟରୁ ରାହାଜାନୀ ଘଟଣାଗୁଡ଼ିକୁ ନେଇ ଚିନ୍ତା ପ୍ରକଟ କରିଛି କମିସନରେଟ୍‌ ପୁଲିସ। କିଛିଦିନ ବ୍ୟବଧାନ ଭିତରେ ଆପାର୍ଟମେଣ୍ଟଗୁଡ଼ିକୁ ଅପରାଧୀମାନେ ଟାର୍ଗେଟ୍‌ କରୁଛନ୍ତି। ଆପାର୍ଟମେଣ୍ଟଗୁଡ଼ିକରୁ ଲୁଟ୍‌ତରାଜ ବଢ଼ିବା ପରେ ପୁଲିସର ମୁଣ୍ଡବିନ୍ଧା ହୋଇଛି। ତେଣୁ ଆପାର୍ଟମେଣ୍ଟଗୁଡ଼ିକର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଛି। ଆପାର୍ଟମେଣ୍ଟରୁ ରାହାଜାନୀ ରୋକିବା ସହ ଅପରାଧୀଙ୍କ ଦମନ ଲାଗି ପଦକ୍ଷେପ ନେଇଛି କମିସନରେଟ୍‌ ପୁଲିସ। ଏଣିକି ସମସ୍ତ ଆପାର୍ଟମେଣ୍ଟରେ ଆଇପି କ୍ୟାମେରା ଲଗାଯିବ। ଦ୍ୱୈତନଗରୀର ସବୁ ଆପାର୍ଟମେଣ୍ଟରେ ଆଇପି ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ କମିସନରେଟ୍‌ ପୁଲିସ ପରାମର୍ଶ ଦେଇଛି।

ଏପରି କରିବା ଦ୍ୱାରା ଚୋରି ହ୍ରାସ ହେବା ସହ ଲୋକଙ୍କ ସୁରକ୍ଷା ବି ବୃଦ୍ଧି ପାଇବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ସମସ୍ତ ଆପାର୍ଟମେଣ୍ଟର ବାସିନ୍ଦା କଲ୍ୟାଣ ସଂଘଗୁଡ଼ିକ (ଆର୍‌ଡବ୍ଲ୍ୟୁଏଏସ୍‌) ଆପାର୍ଟମେଣ୍ଟର ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟଗୁଡ଼ିକରେ ଆଇପି କ୍ୟାମେରା ଲଗାଇବେ। ଏହି କ୍ୟାମରାର ଆଇପି ଆଡ୍ରେସ୍‌ର ଲିଙ୍କ୍‌ କମିସନରେଟ୍‌ ପୁଲିସର କଣ୍ଟ୍ରୋଲ୍‌ ରୁମକୁ ପଠାଇ ସଂଯୋଗ କରିବାକୁ କୁହାଯାଇଛି। ଏହାର ତଥ୍ୟ କମିସନରେଟ୍‌ ପୁଲିସ ପାଖରେ ରହିବ। ଜଣେ ଏସିପିଙ୍କୁ କ୍ୟାମେରା ତଥ୍ୟ ଜଣାଇବାକୁ ନିର୍ଦ୍ଧାରିତ କରାଯାଇଛି। ଏନେଇ ଆଡ୍‌ଭାଇଜରି ଓ ହେଲ୍ପଲାଇନ୍‌ ନମ୍ବର-୭୦୭୭୭୯୮୧୧୧ ମଧ୍ୟ ଜାରି କରାଯାଇଛି।

ସୂଚନାଯୋଗ୍ୟ ଯେ, ଆପାର୍ଟମେଣ୍ଟରୁ ଚୋରି ରୋକିବାକୁ ପୂର୍ବରୁ କମିସନରେଟ୍‌ ପୁଲିସ ୩ସୂତ୍ରୀ ମନ୍ତ୍ର ଦେଇଥିଲା। ପରମିଟ୍‌ର ସିକ୍ୟୁରିଟି, ସୁରକ୍ଷା କର୍ମୀ ଆଉ ଟେକ୍ନୋଲୋଜି ପ୍ରାଧାନ୍ୟ ଦିଆଯାଇଥିଲା। ଆପାର୍ଟମେଣ୍ଟରେ ବାଡ଼ର ଉଚ୍ଚତା ବୃଦ୍ଧି, କାନ୍ଥରେ କାଚ ଖଞ୍ଜିବା, କଣ୍ଟାତାର, ଲୁହାର ବାର୍‌ ଲଗାଇବା, କମ୍ୟୁନିଟି ପାଟ୍ରୋଲିଂ ବା ଆପାର୍ଟମେଣ୍ଟର ବାସିନ୍ଦା ପ୍ରତ୍ୟେକ ଦିନ ପାଳିକରି ସୁରକ୍ଷାର ତଦାରଖ କରିବା ଓ ଲାଇସେନ୍ସପ୍ରାପ୍ତ ସିକ୍ୟୁରିଟି ଏଜେନ୍ସି ପାଖରୁ ସୁରକ୍ଷା କର୍ମୀ ନିୟୋଜିତ କରିବା ସହ ଉଚ୍ଚ କ୍ଷମତା ସମ୍ପନ୍ନ ବିଶିଷ୍ଟ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନୁରୂପ ଭାବେ ଚୋରି ଦାଉରୁ ସୁରକ୍ଷାର ବାଟ ଦେଖାଇଥିବା ‘ବାହାଦୂର’ ଆପ୍‌କୁ ବ୍ୟବହାର ଲାଗି ବି ପରାମର୍ଶ ଦିଆଯାଇଥିଲା। କିନ୍ତୁ ଅପରାଧୀଙ୍କ ଲାଗି ଏଗୁଡ଼ିକ କୌଣସି ଫରକ ପଡ଼ି ନ ଥିଲା। ଏହି ସବୁ ଯୋଜନା କରି କମିସନରେଟ୍‌ ପୁଲିସ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିବା କୁହାଯାଉଛି।

କ’ଣ ଏହି ଆଇପି କ୍ୟାମେରା ?

ସମସ୍ତ ଘର ଅବା ଆପାର୍ଟମେଣ୍ଟରେ କ୍ୟାମେରା ଲଗାଯାଉଛି। ଗୋଟିଏ ସିସିଟିଭି ଓ ଅନ୍ୟଟି ଆଇପି କ୍ୟାମେରା। ସିସିଟିଭି ବଦଳରେ ଆଇପି କ୍ୟାମେରା ଲଗାଇଲେ ଅନେକ ସୁବିଧା ମିଳୁଛି। ଇଣ୍ଟରନେଟ୍‌ ପ୍ରୋଟୋକଲ୍‌ (ଆଇପି) କ୍ୟାମେରା, ଯାହା ଆଇପି କ୍ୟାମେରା କିମ୍ବା ନେଟ୍‌ୱର୍କ କ୍ୟାମେରା ଭାବରେ ଜଣାଶୁଣା। ଇଣ୍ଟରନେଟ୍‌ ମାଧ୍ୟମରେ ଫୁଟେଜ୍‌ ନେଣଦେଣ ସହ ଡିଜିଟାଲ୍‌ ଭିଡିଓ ସିସିଟିଭି ପ୍ରଦାନ କରିଥାଏ। ପ୍ରକୃତ ଆଇପି କ୍ୟାମେରା ସିଷ୍ଟମର ଏକ ରେକର୍ଡର୍‌ ନାହିଁ, ଯାହାକୁ ହେଡ୍‌ ଏଣ୍ଡ କୁହାଯାଏ। ଏହା ପରିବର୍ତ୍ତେ, ସିଷ୍ଟମରେ ଥିବା ପ୍ରତ୍ୟେକ ଆଇପି କ୍ୟାମେରା ଇଣ୍ଟରନେଟ୍‌ ସହିତ ସଂଯୋଗ ଏବଂ କ୍ୟାମେରାର ଫୁଟେଜ୍‌ ଏବଂ ଭିଡିଓ ଫାଇଲ୍‌ଗୁଡ଼ିକ ସାଧାରଣତଃ କ୍ଲାଉଡ୍‌ରେ ଷ୍ଟୋର୍‌ ହୋଇଯାଏ। ପ୍ରତ୍ୟେକ କ୍ୟାମେରା ଇଣ୍ଟର୍‌ନେଟ୍‌ ସହିତ ସଂଯୋଗ ଥିବାରୁ ଆଇପି କ୍ୟାମେରା ସିଷ୍ଟମ ବନ୍ଦ ହୁଏ ନାହିଁ। ଅନୁରୂପ ଭାବେ ଏହାର କାର୍ଯ୍ୟପ୍ରଣାଳୀ ଅଲଗା ଓ ଭିନ୍ନ। ଆଇପି କ୍ୟାମେରା ଭିଡିଓ ଫୁଟେଜ୍‌କୁ ଡିଜିଟାଲ୍‌ କ୍ୟାପ୍‌ଚର କରିଥାଏ, ଇଣ୍ଟରନେଟ୍‌ କିମ୍ବା ଏକ ସ୍ଥାନୀୟ ନେଟ୍‌ୱର୍କ ପରି ଏକ ନେଟ୍‌ୱର୍କରେ ତଥ୍ୟ ପଠାଇଥାଏ। ସେମାନେ ଭିଡିଓ ସିଗ୍‌ନାଲକୁ ଡାଟା ପ୍ୟାକେଜ୍‌ରେ ଏନ୍‌କୋଡ୍‌ କରନ୍ତି ଯାହା ଏକ ନେଟ୍‌ୱର୍କ ଭିଡିଓ ରେକର୍ଡର୍‌ (ଏନ୍‌ଭିଆର୍‌) କିମ୍ବା ଷ୍ଟୋରେଜ୍‌ ସ୍ପେସ୍‌ ପାଇଁ କେନ୍ଦ୍ରୀୟ ସର୍ଭରକୁ ପଠାଯାଇଥାଏ। ଉପଭୋକ୍ତାମାନେ ଦୂରରୁ ଫୁଟେଜ୍‌ ଆକ୍ସେସ୍‌ କରିପାରିବେ। ଅର୍ଥାତ୍‌ ଆଇପି ମନିଟରିଂ ସିଷ୍ଟମ ଜରିଆରେ ମାଲିକମାନେ ଯେକୌଣସି ସ୍ଥାନରୁ ଲାଇଭ୍‌ ଫୁଟେଜ୍‌ ଦେଖିପାରିବେ।

ଦ୍ୱୈତନଗରୀର ୬୫ ପାର୍ଟମେଣ୍ଟରୁ ଚୋରି; ୨୯ ଗିରଫ

ଚଳିତ ବର୍ଷ ଏଯାବତ୍‌ ଦ୍ୱୈତନଗରୀର ୬୫ଟି ଆପାର୍ଟମେଣ୍ଟରୁ ଚୋରି ହୋଇଛି। ଶହେରୁ ଅଧିକ ଫ୍ଲାଟ୍‌ରୁ କଳାକନା ବୁଲାଇଛନ୍ତି ଅପରାଧୀ। ଆପାର୍ଟମେଣ୍ଟଗୁଡ଼ିକରୁ ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା, ନଗଦ ଟଙ୍କା ସହ ସମ୍ପତ୍ତି ଲୁଟି ନେଇଛନ୍ତି। ଏହି ମାମଲାଗୁଡ଼ିକର ତଦନ୍ତ କରି ୨୯ଜଣଙ୍କୁ ଗିରଫ କରାଯାଇଛି। କିନ୍ତୁ ସେହି ତୁଳନାରେ ଲୁଟ୍‌ ସମ୍ପତ୍ତିରୁ କାଣିଚାଏ ବି ଜବତ କରିନି କମିସନରେଟ୍‌ ପୁଲିସ। ଅଧାରୁ ଅଧିକ ମାମଲାରେ ଅଭିଯୁକ୍ତମାନେ ଫେରାର୍‌ ରହିଛନ୍ତି। ଭୁବନେଶ୍ୱରରୁ ୮୦ ପ୍ରତିଶତ ଆପାର୍ଟମେଣ୍ଟ ଲୁଟ୍‌ ଘଟଣାରେ ପୁଲିସର ହାତ ଖାଲି ରହିଛି। ସମ୍ପୃକ୍ତ ଲୁଟେରାକୁ ଗିରଫ କରାଯାଇପାରିଛି ନା ଲୁଟ୍‌ ସମ୍ପତ୍ତି ଠାବ ହୋଇପାରିଛି। ଦ୍ୱୈତନଗରୀର ଆପାର୍ଟମେଣ୍ଟଗୁଡ଼ିକରେ ଘଟିଥିବା ଅନେକ ଘଟଣାର ଅନୁସନ୍ଧାନ ଲାଗି ଗୋଟିଏ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ସିପି ସୂଚନା ଦେଇଛନ୍ତିି।

୫୩ ଫ୍ଲାଟ୍‌ରୁ ଲୁଟି ନେଲେଣି ୨୫ କୋଟିର ସମ୍ପତ୍ତି

ଚନ୍ଦକା, ଇନ୍‌ଫୋସିଟି, ଭରତପୁର, ମଞ୍ଚେଶ୍ୱର, ପାହାଳ, ଚନ୍ଦ୍ରଶେଖରପୁର, ଶ୍ରୀଲିଙ୍ଗରାଜ, ନୂଆପଲ୍ଲୀ ଆଦି ଥାନା ଅଞ୍ଚଳରେ ଆପାର୍ଟମେଣ୍ଟଗୁଡ଼ିକରୁ ବଡ଼ଧରଣର ଲୁଟ୍‌ ହୋଇଥିଲା। ୫୦ରୁ ଅଧିକ ଆପାର୍ଟମେଣ୍ଟରୁ ପ୍ରାୟ ୨୫ କୋଟି ଟଙ୍କା ଲୁଟ୍‌ ହୋଇଛି। ଚନ୍ଦକା ଥାନା ଅଧୀନ ଗୋଠପାଟଣାର ଅକ୍ରପଲିସି ଆପାର୍ଟମେଣ୍ଟରେ ରହୁଥିବା ପୂର୍ବତନ ବୈଜ୍ଞାନିକ ନାରାୟଣ ପରିଡ଼ାଙ୍କ ଘରୁ ୫୦ ଭରିର ସୁନାଗହଣା, ଲୋଟସ୍‌ ଏଭେନ୍ୟୁ ଆପାର୍ଟମେଣ୍ଟରୁ ୫୦ଲକ୍ଷ ଟଙ୍କାର ସୁନାଗହଣା, ହଂସପାଳ ଛକରେ ଥିବା ମେଟ୍ରୋ ସାଟେଲାଇଟ୍‌ ଆପାର୍ଟମେଣ୍ଟର ୪ଟି ଫ୍ଲାଟ୍‌ରୁ ୩୦ଲକ୍ଷରୁ ଟଙ୍କା, ସହିଦନଗର ଥାନା ଲେବଲ କ୍ରସିଂ ନିକଟରେ ଥିବା ଆପାର୍ଟମେଣ୍ଟରୁ ୨୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ଲକ୍ଷେ ଟଙ୍କା, ଏୟାରଫିଲ୍ଡ ଥାନା ସ୍ୱସ୍ତି ମନ୍‌ସନ୍‌ ଆପାର୍ଟମେଣ୍ଟରୁ ୬ଲକ୍ଷର ସୁନାଗହଣା ଓ ୨୦ହଜାର ଟଙ୍କା ଲୁଟ୍‌, ପାହାଳ ଥାନା ଅଧୀନ କଲ୍ୟାଣୀ ହାଇଟ୍ସ ଆପାର୍ଟମେଣ୍ଟର ୩ଟି ଫ୍ଲାଟ୍‌ରୁ ୩୦ ଲକ୍ଷର ସୁନାଗହଣା, ଚନ୍ଦ୍ରଶେଖରପୁର ରୟାଲ ଗାର୍ଡେନର ୨ଟି ଫ୍ଲାଟ୍‌ରୁ ୫ ଲକ୍ଷ ଟଙ୍କାର ହୀରା ଓ ସୁନା ଅଳଙ୍କାର, ଚନ୍ଦକା ଏସ୍‌ଓଜି ସାଇ ନୀଳୟ ଆପାର୍ଟମେଣ୍ଟରୁ ୮ଲକ୍ଷ ଟଙ୍କାର ସୁନାଗହଣା, ଅନ୍ଧାରୁଆରେ ଏମ୍‌ଜେ ଉଡ୍‌ ଆପାର୍ଟମେଣ୍ଟ ଥିବା ଏକ ଫ୍ଲାଟ୍‌ରୁ ଲକ୍ଷାଧିକ ଟଙ୍କାର କଳାକନା ବୁଲାଇଥିଲେ ଅପରାଧୀ। ଅନୁରୂପ ଭାବେ ଇନ୍‌ଫୋସିଟି ଥାନା ରାଜବଟୀକା ଆପାର୍ଟମେଣ୍ଟର ୪ଟି ଫ୍ଲାଟ୍‌ରୁ ୨ କୋଟିର ଊଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି, ଭରତପୁର ଥାନା ଅଧୀନ ଶ୍ରୀକ୍ଷେତ୍ର ରେସିଡେନ୍ସିର ଦୁଇଟି ଫ୍ଲାଟ୍‌ରୁ କୋଟିଏ ଟଙ୍କାରୁ ଊଦ୍ଧ୍ୱର୍ ନଗଦ ଟଙ୍କା ଲୁଟି ନେଇଥିଲେ।