କଲେଜ ବିଲଡିଂରେ ମାଡ଼ ହୋଇ ଜଳିଗଲା ବିମାନ

ବିମାନଟି କଲେଜ କ୍ୟାମ୍ପସରେ କ୍ରାଶ ହୋଇ ଜଳି ଯାଇଥିବାରୁ ଏଠାରେ ଥିବା କିଛି ଶିକ୍ଷାର୍ଥୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। 

କଲେଜ ବିଲଡିଂରେ ମାଡ଼ ହୋଇ ଜଳିଗଲା ବିମାନ

ଦୁର୍ଘଟଣାଗ୍ରସ୍ତ ହୋଇଛି ବାଂଲାଦେଶ ବାୟୁସେନାର ଟ୍ରେନିଂ ଯୁଦ୍ଧ ବିମାନ। ରାଜଧାନୀ ଢାକାର ଦିଆବାରିରେ ଥିବା ମାଇଲଷ୍ଟୋନ କଲେଜ ଓ ସ୍କୁଲ କ୍ୟାମ୍ପସ ଭିତରେ ଥିବା ଗୋଟିଏ ବିଲଡିଂରେ ପିଟି ହୋଇ ବିମାନଟି ଜଳି ଯାଇଛି । ଏଥିଯୋଗୁ ଅନେକ ମୃତାହତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। ପ୍ରାଥମିକ ଭାବେ କ୍ରାଶରେ କେବଳ ବିମାନର ପାଇଲଟ ପ୍ରାଣ ହରାଇଥିବା କୁହାଯାଉଛି। କିନ୍ତୁ ବିମାନଟି କଲେଜ କ୍ୟାମ୍ପସରେ କ୍ରାଶ ହୋଇ ଜଳି ଯାଇଥିବାରୁ ଏଠାରେ ଥିବା କିଛି ଶିକ୍ଷାର୍ଥୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। 

ଆଇଏସ୍‌ପିଆରର ତଥ୍ୟ ଅନୁସାରେ, ଏ୦୭ ବିଜିଆଇ ଟ୍ରେନିଂ ବିମାନ ମଧ୍ୟାହ୍ନ ୧.୦୬ରେ ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ଏହା କଲେଜ କ୍ୟାମ୍ପସର ବିଲଡିଂରେ ପିଟି ହୋଇ ଯାଇଥିଲା। ବିଲଡିଂରେ ପିଟି ହେବା ଯୋଗୁ ବିମାନରେ ନିଆଁ ଲାଗି ଯାଇଥିଲା। ଏହା ହୁତହୁତ ହୋଇ ଜଳୁଥିବାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି।

ବାଂଲାଦେଶ ଆର୍ମି, ଅଗ୍ନିଶମ କର୍ମଚାରୀ ଓ ଅନ୍ୟ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ନିଆଁକୁ ଲିଭାଇ ମୃତାହତଙ୍କୁ ଏହା ମଧ୍ୟରୁ ବାହାର କରିବା ଏବେ ସେମାନଙ୍କ ଫୋକସରେ ରହିଛି। ମଧ୍ୟାହ୍ନ ୧.୨୨ରୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଉତ୍ତର, ଟୋଙ୍ଗୀ, ପାଲ୍ଲାବି, କୁମିତୋଲା, ମିରପୁର ଓ ପୂର୍ବାଞ୍ଚଳର ଅଗ୍ନିଶମ ଷ୍ଟେସନରୁ ୧୦ରୁ ଅଧିକ ଗାଡ଼ି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଘଟଣାରେ କେତେ ଲୋକ ଆହତ ହୋଇଛନ୍ତି କିମ୍ବା କେହି ପ୍ରାଣ ହରାଇଥିବା ଜଣାପଡ଼ିନି।

ତେବେ ଭିଡିଓରୁ ଜଣାପଡ଼ିଛି ଯେ ଉଦ୍ଧାରକାର ଟିମ କିଛି ଶିକ୍ଷାର୍ଥୀଙ୍କୁ ଦୁର୍ଘଟଣାସ୍ଥଳରୁ ହସ୍ପିଟାଲ ନେଉଛନ୍ତି।