କିଏ ହେବେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ?

ପୂର୍ଣ୍ଣ ବହୁମତ ମିଳିବା ପରେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ କସରତ। ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା। କିଏ ହେବ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଅନେକ ନାଁ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

କିଏ ହେବେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ?

କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର ? କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ? କାହା ନାଁରେ ମୋହର ମାରିବ ବିଜେପି ସଂସଦୀୟ ବୋର୍ଡ ? ଜୁନ୍ ୧୦ ପାଇଁ ବିଜେପି ତା’ର କସରତ ଆରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବି ଆରମ୍ଭ ହୋଇଛି ପ୍ରକ୍ରିୟା । ଆସନ୍ତାକାଲି ଦିଲ୍ଲୀରେ ବସିବ ଦଳର ସଂସଦୀୟ ବୋର୍ଡ ବୈଠକ । ଏଥିପାଇଁ ରାଜ୍ୟ ବିଜେପିର କିଛି ନେତାଙ୍କୁ ହୋଇଛି ଦିଲ୍ଲୀ ଡାକରା । ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଦିଲ୍ଲୀ ଯାଉଛନ୍ତି।

ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଏକାଧିକ ନାଁ ଚର୍ଚ୍ଚାକୁ ଆସିଛି । ଯାହା ମଧ୍ୟରେ ଅଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପାଟଣାଗଡ଼ରୁ ଜିତିଥିବା ପୂର୍ବତନ ରାଜ୍ୟ ବିଜେପି ସଭାପତି କେ.ଭି. ସିଂଦେଓ, ବ୍ରଜରାଜନଗରରୁ ଜିତିଥିବା ବରିଷ୍ଠ ନେତା ସୁରେଶ ପୂଜାରୀ, କେନ୍ଦୁଝରରରୁ ଜିତିଥିବା ମୋହନ ମାଝୀ ପ୍ରମୁଖ । ଅନ୍ୟ ପଟେ ଚଳିତ ନିର୍ବାଚନରେ ରାଜ୍ୟ ବିଜେପିର ଚେହେରା ବନିଥିବା ୫ ହେଭିୱେଟ ନେତା, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀଙ୍କ ଭଳି ଅଭିଜ୍ଞ ନେତାଙ୍କ ମଧ୍ୟରୁ ଜଣଙ୍କୁ ଦଳ ଏଠି
ଦାୟିତ୍ୱ ଦେବାର ବି ସମ୍ଭାବନା ରହିଛି ।

ସେହିପରି ଜାତୀୟ ଗଣମାଧ୍ୟମରେ ବର୍ତ୍ତମାନର ସିଏଜି ତଥା ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାଁକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଗୁଜରାଟ କ୍ୟାଡରର ଏହି ୧୯୮୫ ମସିହା ବ୍ୟାଚ୍ ଅଫିସର, ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ ବେଳେ ସେଠାରେ ତାଙ୍କର ପ୍ରମୁଖ ସଚିବ ଥିଲେ । ତା ସହିତ ଅମିତ ଶାହ ଗୃହମନ୍ତ୍ରୀ ଥିବା ବେଳେ ସେ ଥିଲେ ସେହି ବିଭାଗର ଯୁଗ୍ମ ସଚିବ । ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଏବଂ ଜଣେ ଓଡ଼ିଆ ଆଦିବାସୀ ଚେହେରା ଭାବେ ଗିରିଶଙ୍କୁ ମୁଖ୍ୟମନ୍ତ୍ରୀ ବନାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ବିଜେପିର ନବ ନିର୍ବାଚିତ ୨୦ ଜଣ ସାଂସଦଙ୍କୁ ମଧ୍ୟ ଦିଲ୍ଲୀ ଡକରା ହୋଇଛି । ଆସନ୍ତା କାଲି ବିଜେପି ପାର୍ଲାମେଣ୍ଟାରୀ ପାର୍ଟି ବୈଠକରେ ଯୋଗ ଦେବେ ସମସ୍ତ ସାଂସଦ। ଅନ୍ୟପଟେ ମୋଦିଙ୍କ ତୃତୀୟ ପାଳିରେ ଅର୍ଥାତ କ୍ୟାବିନେଟରେ ଓଡ଼ିଶାରୁ କିଏ ସ୍ଥାନ ପାଇବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ରେସ୍‌ରେ ଆଗରେ ରହିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଆସନରୁ ଜିତିଥିବା ବୈଜୟନ୍ତ ପଣ୍ଡା, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ କେନ୍ଦୁଝରରୁ ଜିତିଥିବା ଅନନ୍ତ ନାୟକ ।

ରାଜ୍ୟରେ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଜୁନ୍ ୧୦ରେ ଶପଥ ନେବେ ବୋଲି ପୂର୍ବରୁ ନିର୍ବାଚନୀ ରାଲିରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏବେ ସମସ୍ତଙ୍କ ଅପେକ୍ଷା ଆସନ୍ତା ସୋମବାର, ୧୦ ତାରିଖକୁ ।