କିଏ ହେବେ ମୁଖ୍ୟମନ୍ତ୍ରୀ? କ’ଣ କହିଲେ ଜୟନାରାୟଣ
‘ପାଣ୍ଡିଆନ ଜେଲ୍ ଯିବେ। ତାଙ୍କୁ ପୁଲିସ ଖୋଜିବ। ନବୀନ ହିଁ ମୁଖ୍ୟ ଦୋଷୀ। ଅନ୍ୟ ମୁଣ୍ଡରେ ଦୋଷ ଦେଇ ଖସି ପାରିବେନି ନବୀନ।’
ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ଗଢ଼ିବାକୁ ଯାଉଛି ସରକାର। ତେବେ କାହାକୁ ଦଳ କରିବ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଜାରି ରହିଛି ସସ୍ପେନ୍ସ। ଦଳ ଏନେଇ କିଛି ଘୋଷଣା କରିନି।
ଜୟନାରାୟଣ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ତାଙ୍କୁ ଏ ସଂପର୍କରେ ପ୍ରଶ୍ନ କରାଯାଇଥିଲା। କିନ୍ତୁ ସେ ଏହାର କିଛି ନିର୍ଦ୍ଦିଷ୍ଟ ଉତ୍ତର ଦେଇ ନଥିଲେ। ତା’ବଦଳରେ ସେ କହିଥିଲେ- ଯିଏ ବି ମୁଖ୍ୟମନ୍ତ୍ରୀ ହେବେ, ନବୀନଙ୍କ ଠାରୁ ଭଲ ହେବେ। ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ। ସେ ଓଡ଼ିଆରେ କହି ପାରୁଥିବେ। ଓଡ଼ିଶାର ବିକାଶ ଓ ଏକ ନମ୍ବର ରାଜ୍ୟ କରିବା ଆମର ଲକ୍ଷ୍ୟ।
ଜୟନାରାୟଣ କହିଥିଲେ, ନିର୍ଦ୍ଦିଷ୍ଟ ରଣନୀତି କରି ବିଜେଡିକୁ ଆକ୍ରମଣ କରିଥିଲୁ ଓ ସଫଳ ହେଲୁ। ଲୋକଙ୍କ ଭିତରେ କ୍ରୋଧ ଥିଲା। ରାଜ୍ୟରେ ଡାକ୍ତର ନାହାନ୍ତି। ଶିକ୍ଷକ ନାହାନ୍ତି। ଧାନମଣ୍ଡି ପ୍ରସଙ୍ଗ ବି ଉଠାଇଥିଲୁ। ଲୋକଙ୍କ ପାଖରେ ବିକଳ୍ପ ନଥିଲା। ଲୋକେ ବିକଳ୍ପ ଖୋଜୁଥିଲେ।
ସେ କହିଥିଲେ, ରତ୍ନଭଣ୍ଡାର ଚାବି ଖୋଜି ବାହାର କରିବୁ। କୋଷ୍ଟାଲ ହାଇୱେ କରିବୁ। କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବନି।
ପାଣ୍ଡିଆନ ନିଖୋଜ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜୟନାରାୟଣ କହିଥିଲେ- ସେ ଜେଲ୍ ଯିବେ। ତାଙ୍କୁ ପୁଲିସ ଖୋଜିବ। ନବୀନ ହିଁ ମୁଖ୍ୟ ଦୋଷୀ। ଅନ୍ୟ ମୁଣ୍ଡରେ ଦୋଷ ଦେଇ ଖସି ପାରିବେନି ନବୀନ। ପାଣ୍ଡିଆନଙ୍କୁ କିଏ ନିଯୁକ୍ତି କରିଥିଲା। ନବୀନ ହିଁ ତାଙ୍କ ନିଯୁକ୍ତିଦାତା। ପାଣ୍ଡିଆନଙ୍କ ମୁଣ୍ଡରେ ଦୋଷ ଦେଇ ସେ ଖସିଯାଇ ପାରିବେ ନାହିଁ। ପାଣ୍ଡିଆନ ଯେତିକି ଦାୟୀ, ନବୀନ ବି ସେତିକି ଦାୟୀ।
ସୂଚନାଯୋଗ୍ୟ, ୫ମ ଥର ପାଇଁ ସମ୍ବଲପୁର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର। ଏଥର ସେ ବିଜେଡିର ରୋହିତ ପୂଜାରୀଙ୍କୁ ହରାଇଛନ୍ତି। ୪୧୦୫ ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛନ୍ତି ଜୟନାରାୟଣ। ତାଙ୍କୁ ୫୯ ହଜାର ୮୨୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ରୋହିତ ପୂଚାରୀଙ୍କୁ ୫୫,୭୨୨ ଖଣ୍ଡ ଭୋଟ୍ ମିଳିଥିଲା।
'#ଜଣେ_ଓଡ଼ିଆ_ବ୍ୟକ୍ତି_ମୁଖ୍ୟମନ୍ତ୍ରୀ_ହେବେ'
ବିଜେପିର ବିପୁଳ ବିଜୟ ପରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରେସମିଟ୍। ପାଣ୍ଡିଆନ କୁଆଡ଼େ ଗଲେ ପ୍ରଶ୍ନରେ ପ୍ରତିକ୍ରିୟା ରଖିଲେ ଜୟନାରାୟଣ। କହିଲେ, ସେ ଜେଲ ଯିବେ। ଯେଉଁଠି ଥିଲେ ବି ତାଙ୍କୁ ପୁଲିସ ଖୋଜିବ। #Odisha #BJP #JayanarayanMishra pic.twitter.com/OwM06Edc4Z— Odisha Reporter (@OdishaReporter) June 6, 2024