‘କିଭଳି ସୁଝିବୁ ଚାଷ ଋଣ ବିଲରେ ଭିଜୁଛି ପାଚିଲା ଧାନ’
ପିପିଲି : ଚାଷୀ ମୁଣ୍ଡରେ ଚଡ଼କ ସାଜିଛି। ଗତ ଶୁକ୍ରବାର ଠାରୁ ପିପିଲି ବ୍ଳକର ସମସ୍ତ ପଞ୍ଚାୟତରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ କେଉଁଠି ଚାଷୀ ଧାନକୁ କାଟି କ୍ଷେତରେ ପକାଇଛି ତ ପୁଣି କେଉଁଠି ପାଚିଲା ଧାନ ଗଛ କ୍ଷେତରେ ଠିଆ ହୋଇ ରହିଛି। ଏଭଳି ପରିସ୍ଥିତି ଉପୁଜିଛି ଯେ ଧାନ ନ କାଟିଲେ କ୍ଷେତରେ ନଷ୍ଟ ହେବ। କାଟିଲେ ବର୍ଷା ଦାଉରୁ ବଞ୍ଚାଇବା କଷ୍ଟକର ହେବ। ଯେଉଁମାନେ କ୍ଷେତରେ ଗଦା ଅଥବା ବାହିଆ […]

ପିପିଲି : ଚାଷୀ ମୁଣ୍ଡରେ ଚଡ଼କ ସାଜିଛି। ଗତ ଶୁକ୍ରବାର ଠାରୁ ପିପିଲି ବ୍ଳକର ସମସ୍ତ ପଞ୍ଚାୟତରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ କେଉଁଠି ଚାଷୀ ଧାନକୁ କାଟି କ୍ଷେତରେ ପକାଇଛି ତ ପୁଣି କେଉଁଠି ପାଚିଲା ଧାନ ଗଛ କ୍ଷେତରେ ଠିଆ ହୋଇ ରହିଛି। ଏଭଳି ପରିସ୍ଥିତି ଉପୁଜିଛି ଯେ ଧାନ ନ କାଟିଲେ କ୍ଷେତରେ ନଷ୍ଟ ହେବ। କାଟିଲେ ବର୍ଷା ଦାଉରୁ ବଞ୍ଚାଇବା କଷ୍ଟକର ହେବ। ଯେଉଁମାନେ କ୍ଷେତରେ ଗଦା ଅଥବା ବାହିଆ କରି ରଖିଛନ୍ତି ସେମାନଙ୍କ ଚିନ୍ତା ଆହୁରି ବଢିଯାଇଛି।
କିଏ ଧାନ ଗଦାରେ ଜରିପାଲ ପକାଇଛି ତ ଆଉ କିଏ ପାଚିଲା ଧାନକୁ ପାଣିରୁ ଉଠାଇ ଆଣି ଉଚ୍ଚ ସ୍ଥାନରେ ରଖିଛି। ଧାନ ସମ୍ପୂର୍ଣ୍ଣ ଭାବରେ ପାଚି ଯାଇଥିବାରୁ ଏହା ନାଲି ପଡ଼ି ଗଜା ହେବାର ସମ୍ଭାବନା ଦେଖା ଦେଇଛି। ସେପଟେ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲି ନ ଥିବାବେଳେ କିଭଳି ଭାବରେ ଧାନର ଏଫକ୍ୟୁ ମାନ ହୋଇ ଧାନ ମଣ୍ଡିକୁ ଧାନ ଯିବ ତାହା ଚାଷୀଙ୍କ ଦ୍ୱନ୍ଦ ବଢାଇଛି। ଯଦି ଏହି ବର୍ଷା ଆଉ ଦିନେ କି ଦୁଇ ଦିନ ଲାଗି ରୁହେ ତେବେ ସବୁ ଅମଳ ଅପେକ୍ଷାରେ ରହିଥିବା ଧାନ ଗୁଡ଼ିକ ନାଲି ପଡ଼ି ଗଜା ହୋଇଯିବ। ଫଳରେ ଧାନ ମଣ୍ଡିରେ ଧାନ ବିକ୍ରି ହୋଇ ପାରିବ ନାହିଁ। ଯାହା ଦ୍ୱାରା ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ଧାନ ଚାଷ କରିଥିବା ଚାଷୀମାନେ କିଭଳି ସେମାନଙ୍କ ଋଣ ପରିଶୋଧ କରିବେ ତାହା ଏବେ ତାଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ତେବେ ପୁରୀ ଜିଲ୍ଲାରେ ଖୁବ୍ ଶିଘ୍ର ମଣ୍ଡିରେ ଧାନ କିଣାଯିବା ପାଇଁ ଚାଷୀମାନେ ରାଜ୍ୟ ସରକାରଙ୍କ ଠାରେ ଦାବୀ କରିଛନ୍ତି ।