କିର୍ଗିଜସ୍ଥାନରେ ଥିବା ଭାରତୀୟ ଛାତ୍ରଙ୍କୁ ସରକାରଙ୍କ ପରାମର୍ଶ; ଘରୁ ବାହାରନ୍ତୁ ନାହିଁ
ବିଦେଶୀ ଛାତ୍ରଙ୍କ ଉପରେ ଆକ୍ରମଣ ପରେ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ୦୫୫୫୭୧୦୦୪୧ ଜାରି କରାଯାଇଛି।
କିର୍ଗିଜସ୍ଥାନରେ ଥିବା ଭାରତୀୟ ଛାତ୍ରଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। ଘରେ ଭିତରେ ରହିବାକୁ ଭାରତୀୟ ଛାତ୍ରାଙ୍କୁ ପରାମର୍ଶ ଦିଆଯାଇଛି। ସେଠାରେ ଥିବା କିଛି ବିଦେଶୀ ଛାତ୍ରଙ୍କ ଉପରେ ଆକ୍ରମଣ ପରେ ଆଡଭାଇଜରୀ ଜାରି କରିଛନ୍ତି ସରକାର।
ସୂଚନା ଅନୁସାରେ, ଗତକାଲି ରାତିରେ କିର୍ଗିଜସ୍ଥାନର ରାଜଧାନୀ ବିଶକେକରେ ଥିବା ଏକ ହଷ୍ଟଲରେ ପ୍ରବଳ ହଙ୍ଗାମା ହୋଇଛି। ହଷ୍ଟେଲରେ ଥିବା କିଛି ପାକିସ୍ତାନୀ ଛାତ୍ରଙ୍କୁ ସ୍ଥାନୀୟ ଲୋକ ଆକ୍ରମଣ କରିଛନ୍ତି। ଏହା ପରେ ଭାରତ ସରକାର ଓ ପାକିସ୍ତାନ ସରକାର ସେମାନଙ୍କ ନାଗରିକଙ୍କ ପାଇଁ ପରାମର୍ଶଦାତା ଜାରି କରିଛନ୍ତି।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କିର୍ଗିଜସ୍ଥାନରେ ପଢୁଥିବା ଭାରତୀୟ ଛାତ୍ରମାନଙ୍କୁ ଦୂତାବାସ ସହ ନିୟମିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏନେଇ ବୈଦେଶିକ ମନ୍ତ୍ରୀ ଏକ୍ସ ପୋଷ୍ଟ କରି କହିଛନ୍ତି, ବିଶକେକରେ ସ୍ଥିତି ବର୍ତ୍ତମାନ ଶାନ୍ତ ଥିବା କୁହାଯାଉଛି। ଭାରତୀୟ ଛାତ୍ରମାନଙ୍କ ଉପରେ ନଜର ରଖାଯାଇଛି। ସେମାନଙ୍କୁ ଦୂତାବାସ ସହ ନିୟମିତ ଯୋଗାଯୋଗରେ ପରାମର୍ଶ ଦିଆଯାଇଛି।
ଭାରତୀୟ କନସୁଲେଟ୍ ମଧ୍ୟ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ, ଆମେ ଆମର ଛାତ୍ରମାନଙ୍କ ସହ ଯୋଗାଯୋଗରେ ଅଛୁ। ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଘର ଭିତରେ ରହିବାକୁ ଏବଂ ଦୂତାବାସ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଛାତ୍ରମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ୦୫୫୫୭୧୦୦୪୧ ଜାରି କରାଯାଇଛି।