କିସ୍ ଜଙ୍ଗଲ ଜମି କିସମ ପରିବର୍ତ୍ତନରେ ନୂଆମୋଡ଼: ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ସାଧାରଣ ନିର୍ବାଚନର କିଛିଦିନ ପୂର୍ବରୁ କିସ୍ ଦଖଲରେ ଥିବା ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ମନ୍ତ୍ରଣାଳୟରୁ ଅନୁମୋଦନ ମିଳିଥିବା ନେଇ କିସ୍ ପକ୍ଷରୁ ଗଣମାଧ୍ୟମରେ ବିଜ୍ଞାପନ ଜାରି ହୋଇଥିଲା।

କିସ୍ ଜଙ୍ଗଲ ଜମି କିସମ ପରିବର୍ତ୍ତନରେ ନୂଆମୋଡ଼: ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ(କିସ୍‌)କୁ ଜଙ୍ଗଲ ଜମି ଆବଂଟନ ମାମଲାରେ ଆଜି ନୂଆମୋଡ଼ ଆସିଛି । ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, କିସ୍ ସପକ୍ଷରେ ୪.୦୩୨ ହେକ୍ଟର ରାଜସ୍ୱ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟା ଜିଲ୍ଲାପାଳ ଆରମ୍ଭ କରିଥିଲେ । ତେଣୁ ଆଦିବାସୀ ମନ୍ତ୍ରଣାଳୟକୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ନମିଳିବା ଓ ଆନୁଷ୍ଠାନିକ ଅନୁମୋଦନ ଦିଆନଯିବା ପର୍ଯ୍ୟନ୍ତ ସେହି କିସମ ପରିବର୍ତ୍ତନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ଭାବେ ସ୍ପଷ୍ଟୀକରଣ ମାଗିଛି । ମୁଖ୍ୟ ସଚିବଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି । କିସ୍ ଜଙ୍ଗଲ ଜମି କିସମ ପରିବର୍ତ୍ତନକୁ ନେଇ ମିଳିଥିବା ଅଭିଯୋଗ ଆଧାରରେ ମନ୍ତ୍ରୀ ଶ୍ରୀ ଓରାମ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନର କିଛିଦିନ ପୂର୍ବରୁ କିସ୍ ଦଖଲରେ ଥିବା ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ମନ୍ତ୍ରଣାଳୟରୁ ଅନୁମୋଦନ ମିଳିଥିବା ନେଇ କିସ୍ ପକ୍ଷରୁ ଗଣମାଧ୍ୟମରେ ବିଜ୍ଞାପନ ଜାରି ହୋଇଥିଲା । କିସ୍ ବେଆଇନ ଭାବେ ଜଙ୍ଗଲ ଜମିକୁ ଦଖଲରେ ରଖିଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା ।