କୃଷ୍ଣରସରେ ବୁଡ଼ିଛି ସାରା ରାଜ୍ୟ, ବାଳ ଗୋପାଳଙ୍କ ପାଇଁ ସବୁଠି ଉତ୍ସବ

କଟକରୁ ବାଲେଶ୍ୱର, ବ୍ରହ୍ମପୁରରୁ ରାଉରକେଲା । ଜନ୍ମାଷ୍ଟମୀ ପାଇଁ ସବୁ ମନ୍ଦିରରେ ଭକ୍ତିମୟ ପରିବେଶ। ଏସବୁ ଭିତରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ରାଧା କୃଷ୍ଣବେଶୀ ପିଲାଙ୍କ ଅଭିନୟ।

କୃଷ୍ଣରସରେ ବୁଡ଼ିଛି ସାରା ରାଜ୍ୟ, ବାଳ ଗୋପାଳଙ୍କ ପାଇଁ ସବୁଠି ଉତ୍ସବ

ଆସୁଛନ୍ତି କଳାକହ୍ନେଇ...ସେଇଥିପାଇଁ ଉତ୍ସବ, ସେଇଥି ପାଇଁ ଉତ୍ସାହ। ଗାଁରୁ ସହର, ବିଦ୍ୟାଳୟରୁ ମନ୍ଦିର.. ସବୁଠି ଖେଳିଯାଇଛି କୃଷ୍ଣ କୃଷ୍ଣ ଭାବ । ସବୁଠି ଭଜନ କୀର୍ତ୍ତନ ସାଙ୍ଗକୁ କୃଷ୍ଣ ରସରେ ଭିଜୁଛନ୍ତି ଶ୍ରଦ୍ଧାଳୁ। ରାଜଧାନୀ ଭୁବନେଶ୍ୱର ଇସ୍କନ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଜି ଦିନ ତମାମ ଏଠି ଦେଖିବାକୁ ମିଳଥିଲା ଭକ୍ତି ଓ ଆରାଧନାର ପରିବେଶ। କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ସହ ଉପବାସ କରିଛନ୍ତି ଭକ୍ତ। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସଂପନ୍ନ ହେବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ।

ସେହିପରି କଟକରୁ ବାଲେଶ୍ୱର, ବ୍ରହ୍ମପୁରରୁ ରାଉରକେଲା । ଜନ୍ମାଷ୍ଟମୀ ପାଇଁ ସବୁ ମନ୍ଦିରରେ ଭକ୍ତିମୟ ପରିବେଶ। ଏସବୁ ଭିତରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ରାଧା କୃଷ୍ଣବେଶୀ ପିଲାଙ୍କ ଅଭିନୟ।

ଶ୍ରୀମନ୍ଦିରରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ ହେଉଛି ଶ୍ରୀକୃଷ୍ଣ ଜନ୍ମନୀତି। ପରମ୍ପରା ଅନୁଯାୟୀ, ସଂଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ କଟାଯିବା ପରେ ସୁନାର କୃଷ୍ଣମୂର୍ତ୍ତି ରଖାଯାଇ ଜନ୍ମନୀତି କରାଯାଇଥାଏ । କୃଷ୍ଣ ଜନ୍ମ ପରେ ମହାଭୋଇ ସେବାୟତ ମାନେ ମାଖନ, ସର ଲବଣୀ ଆଦି ପ୍ରସ୍ତୁତ କରି ଅର୍ପଣ କରିଥାନ୍ତି। ତା ସହ ରାମକୃଷ୍ଣ ଓ ମଦନମୋହନଙ୍କୁ ଜଗମୋହନରେ ଥିବା ଦୋଳିରେ ଝୁଲିଥାନ୍ତି।

ଏପଟେ ଜନ୍ମାଷ୍ଟମୀ ଅବସରରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜାର ଆଦ୍ୟପର୍ବ। ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠା ଆରମ୍ଭ ହୋଇଛି। ଭୁବନେଶ୍ବରର ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ କୁଆଖାଇ ନଦୀ ପଠାରେ ପୂଜାର୍ଚ୍ଚନା କରାଯାଇ ମାଟି ଉଠାଯାଇଛି।