କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ମୁଥ ମାରିବାକୁ ଉଦ୍ୟମ କରି ଛେଚା ଖାଇଲେ ଯୁବକ

ହଠାତ୍‌ ଜଣେ ଯୁବକ ତାଙ୍କ ମାଇକ୍ରୋଫୋନକୁ ଛଡ଼ାଇ ନେଇ ମୁଥ ମାରିବାକୁ ଚେଷ୍ଟା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ମୁଥ ମାରିବାକୁ ଉଦ୍ୟମ କରି ଛେଚା ଖାଇଲେ ଯୁବକ

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପରେ ଆକ୍ରମଣ ଉଦ୍ୟମ। ଜଣେ ଯୁବକ ତାଙ୍କୁ ମୁଥ ମାରିବାକୁ ଚେଷ୍ଟା କରିବ ପ୍ରବଳ ମାଡ଼ ଖାଇଛନ୍ତି। ବିହାର ବେଗୁସରାଇରେ ଅନୁଷ୍ଠିତ ଗୋଟିଏ ସର୍ବସାଧାରଣ କାର୍ଯ୍ୟକ୍ରମରେ ଏପରି ଘଟଣା ଘଟିଛି।

ନିଜ ନିର୍ବାଚନ ମଣ୍ଡଳୀ ବେଗୁସରାଇରେ ଆଜି ଶ୍ରୀ ସିଂହ ଜନତା ଦରବାରରେ ଲୋକଙ୍କ ଅଭିଯୋଗ ଶୁଣୁଥିଲେ। କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସମ୍ବୋଧନ କରୁଥିବା ବେଳେ ହଠାତ୍‌ ଜଣେ ଯୁବକ ତାଙ୍କ ମାଇକ୍ରୋଫୋନକୁ ଛଡ଼ାଇ ନେଇ ମୁଥ ମାରିବାକୁ ଚେଷ୍ଟା କରିଥିଲେ।

ହେଲେ ସେଠାରେ ଉପସ୍ଥିତ ବିଜେପି କର୍ମୀ ଓ ସୁରକ୍ଷାକର୍ମୀ ଆକ୍ରମଣ ଉଦ୍ୟମ କରୁଥିବା ଯୁବକଙ୍କୁ କାବୁ କରି ନେଇଥିଲେ। ସୁରକ୍ଷାକର୍ମୀମାନେ ଯୁବକଙ୍କୁ ଧରିଥିବା ବେଳେ ବିଜେପି କର୍ମୀମାନେ ତାଙ୍କୁ ପ୍ରବଳ ପିଟିଥିଲେ। ଶେଷରେ ସୁରକ୍ଷାକର୍ମୀମାନେ ତାଙ୍କୁ ଅନ୍ୟତ୍ର ନେଇ ଯାଇଥିଲେ।

ଏ ସମ୍ପର୍କରେ ଗିରିରାଜ ସିଂହ କହିଛନ୍ତି, “ମୁଁ କାର୍ଯ୍ୟକ୍ରମରୁ ବାହାରୁ ଥିବା ବେଳେ ଯୁବକ ଜଣଙ୍କ ମୋ ବାଇକ ବଳପୂର୍ବକ ଛଡ଼ାଇ ନେଇଥିଲେ। ସେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସେ ମୁର୍ଦାବାଦ ନାରା ଦେଇଥିଲେ। ତେବେ ଏପରି ଆକ୍ରମଣରେ ମୁଁ ଡରିଯିବା ଲୋକ ନୁହେଁ।

ମୁଁ ଗିରିରାଜ ସିଂହ। ମୁଁ ସବୁବେଳେ ସମାଜ ପାଇଁ ଲଢ଼େଇ କରେ ଓ ସତ କୁହେ। ଗିରିରାଜ ସିଂହ ଏପରି ଘଟଣାରେ ଡରିଯିବା ଲୋକ ନୁହେଁ। ଆମେ ସାଂପ୍ରଦାୟିକ ସଦଭାବକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୋଧରେ ଆମେ ସ୍ୱର ଉଠାଇବା ଜାରି ରଖିବୁ।”

ସେ ଆହୁରି କହିଛନ୍ତି, “ଯଦି ସେହି ଲୋକ ପାଖରେ ବନ୍ଧୁକ ରହିଥାଆନ୍ତା, ତା’ ହେଲେ ସେ ମୋତେ ମାରି ଦେଇଥାଆନ୍ତା। କିନ୍ତୁ ତା’ର ଆକ୍ରମଣ ବିଫଳ ହୋଇଛି। ସେ ବହୁତ ଖରାପ ଶବ୍ଦ ପ୍ରୟୋଗ କରୁଥିଲା। ସେଠାରେ ଉପସ୍ଥିତ ଥିବା ପୁଲିସ୍‌ ତା’କୁ କାବୁ କରି ନେଇଥିଲେ।”

ବେଗୁସରାଇ ଏସ୍‌ପି ମନୀଷ କହିଛନ୍ତି, “ଆକ୍ରମଣକାରୀ ହେପାଜତରେ ରହିଛନ୍ତି। ଆମେ ଘଟଣାର ଅଧିକ ତଦନ୍ତ କରୁଛୁ।”