କୋଲକାତା ଦୁଷ୍କର୍ମ ଘଟଣାରେ ନୂଆ ଟ୍ୱିଷ୍ଟ: ଅଭିଯୁକ୍ତ ବେକରେ ଲଭ ବାଇଟ୍ସ ଆସିଲା କେଉଁଠୁ?

ପୀଡ଼ିତା ଜଣଙ୍କ ବିଳମ୍ବରେ ଅଭିଯୋଗ ଦାଖଲ କରିବା ଉପରେ ମଧ୍ୟ ରାଜୁ ଗାଙ୍ଗୁଲି ପ୍ରଶ୍ନ ଉଠାଇଛନ୍ତି। ଘଟଣା ରାତି ୧୦.୩୦ରେ ଘଟିଥିଲା। କିନ୍ତୁ ପୀଡ଼ିତା ପର ଦିନ ଅପରାହ୍ନ ୪.୪୫ରେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ ବୋଲି ସେ କହିଛନ୍ତି।

କୋଲକାତା ଦୁଷ୍କର୍ମ ଘଟଣାରେ ନୂଆ ଟ୍ୱିଷ୍ଟ: ଅଭିଯୁକ୍ତ ବେକରେ ଲଭ ବାଇଟ୍ସ ଆସିଲା କେଉଁଠୁ?

କୋଲକାତାରେ ଜଣେ ୨୪ ବର୍ଷୀୟ ଆଇନ ଛାତ୍ରଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମନଜିତ ମିଶ୍ରଙ୍କ ପାଇଁ ମାମଲା ଲଢ଼ୁଥିବା ଓକିଲ ଆଜି ସାଂଘାତିକ ତଥ୍ୟ ଉପସ୍ଥାପନ କରିଛନ୍ତି। ଆମ୍ପୁଡ଼ା ଚିହ୍ନ ବ୍ୟତୀତ ମନଜିତଙ୍କ ବେକରେ ଗୋଟିଏ ଲଭ ବାଇଟ୍ସର ଦାଗ ରହିଛି। କିନ୍ତୁ ଏକଥା ସରକାରୀ ଓକିଲ ଖୁଲାସା କରି ନଥିବା ମନଜିତଙ୍କ ଓକିଲ ସୂଚନା ଦେଇଛନ୍ତି।

ମନଜିତ ହେଉଛନ୍ତି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ଛାତ୍ର ସଂଗଠନର ପୂର୍ବତନ ନେତା। ଆଇନ କଲେଜ ପରିସରରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯିବା ଘଟଣାରେ ପୁଲିସ୍‌ ମନଜିତଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ପରେ ସେମାନଙ୍କୁ ଜୁଲାଇ ୮ ଯାଏ ପୁଲିସ୍‌ ହେପାଜତକୁ ପଠାଇ ଦିଆଯାଇଛି।

ଏବେ ମନଜିତଙ୍କ ଓକିଲ ରାଜୁ ଗାଙ୍ଗୁଲି କହିଛନ୍ତି, “ମୁଖ୍ୟ ଅଭିଯୁକ୍ତର ଦେହରେ ଆମ୍ପୁଡ଼ା ଚିହ୍ନ ଥିବା ସରକାରୀ ଓକିଲ ସମସ୍ତଙ୍କୁ ଜଣାଇଥିଲେ। କ’ଣ ସେ କେବେ ହେଲେ ଆପଣମାନଙ୍କୁ ମନଜିତର ବେକରେ ଗୋଟିଏ ଲଭ ବାଇଟ୍ସର ଦାଗ ଥିବା ଜଣାଇଛନ୍ତି? ଯଦି ଦୁଷ୍କର୍ମ ହୋଇଥାଆନ୍ତା, ତା’ହେଲେ କ’ଣ ଅଭିଯୁକ୍ତର ଦେହରେ ଲଭ ବାଇଟ୍ସ ମିଳି ଥାଆନ୍ତା?”

ମେଡିକାଲ ଟିମର ଯାଞ୍ଚରୁ ଅଭିଯୁକ୍ତର ଦେହରେ ଆମ୍ପୁଡା ଦାଗ ଥିବା କଥା ସାମ୍ନାକୁ ଆସିଥିଲା। ଏହାପରେ କୁହାଯାଇଥିଲା ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ପୀଡ଼ିତା ଜଣଙ୍କ ମନଜିତଙ୍କ ସହ ଲଢ଼େଇ କରିବାରୁ ଏପରି ଆମ୍ପୁଡା ଦାଗ ତାଙ୍କ ଶରୀରରେ ସୃଷ୍ଟି ହୋଇଥିଲା।

ଗଣମାଧ୍ୟମକୁ ସୂଚନା ଦେଇ ରାଜୁ ଗାଙ୍ଗୁଲି ଅଭିଯୋଗ କରିଛନ୍ତି ଯେ ପୀଡ଼ିତାଙ୍କ ବୟାନରେ ଅନେକ ପାର୍ଥକ୍ୟ ରହିଛି ଓ ମନଜିତଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ପୀଡ଼ିତାଙ୍କ ମୋବାଇଲକୁ ଜବତ କରାଯାଇ ଏହାକୁ ବିଶ୍ଲେଷଣ କରାଯାଇଛି କି ନାହିଁ, ତା’ ଉପରେ ମଧ୍ୟ ଓକିଲ ଜଣଙ୍କ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି, “ପୀଡ଼ତାଙ୍କ ମୋବାଇଲ ଫୋନକୁ ଜବତ କରାଯାଇଥିଲା କି ନାହିଁ, ଆମେ ସେକଥା ସରକାରୀ ଓକିଲଙ୍କୁ ପଚାରିବାକୁ ଚାହୁଁଛୁ। ଯଦି ହଁ, ତା’ହେଲେ କ’ଣ ଏହାକୁ ଫରେନ୍ସିକୁ ପଠାଯାଇଥିଲା? ପୁଲିସ ପୀଡ଼ିତାଙ୍କ କଲ ହିଷ୍ଟ୍ରୀ ଯାଞ୍ଚ କରିଥିଲା କି? ଏହି ମାମଲାର ଅନେକ କିଛି ଏହି ସବୁ ପ୍ରସଙ୍ଗ ଉପରେ ନିର୍ଭର କରୁଛି।”

ପୀଡ଼ିତା ଜଣଙ୍କ ବିଳମ୍ବରେ ଅଭିଯୋଗ ଦାଖଲ କରିବା ଉପରେ ମଧ୍ୟ ରାଜୁ ଗାଙ୍ଗୁଲି ପ୍ରଶ୍ନ ଉଠାଇଛନ୍ତି। ଘଟଣା ରାତି ୧୦.୩୦ରେ ଘଟିଥିଲା। କିନ୍ତୁ ପୀଡ଼ିତା ପର ଦିନ ଅପରାହ୍ନ ୪.୪୫ରେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ ବୋଲି ସେ କହିଛନ୍ତି।

ଗାଙ୍ଗୁଲି କହିଛନ୍ତି, “ଯଦି ତାଙ୍କୁ ବନ୍ଦୀ କରାଯାଇଥିଲା, ଏକଥା କ’ଣ ସେ ପରିବାର ଲୋକଙ୍କୁ ଜଣାଇଥିଲେ? କଲେଜରୁ ବାହାରିବା ପରେ ସେ କାହିଁକି ତାଙ୍କ ବାପାଙ୍କ ସହ ତୁରନ୍ତ ପୁଲିସ୍‌ ପାଖକୁ ଯାଇ ନଥିଲେ? କ’ଣ ପାଇଁ ସେ ପର ଦିନକୁ ଅପେକ୍ଷା କରିଥିଲେ? ଏହା ଗୋଟିଏ ମିଥ୍ୟା ଅଭିଯୋଗ। ସେ କ’ଣ ସବୁ କରିଥିଲେ, ତା’ର ସବୁ ପ୍ରମାଣ ଆମ ପାଖରେ ରହିଛି।”

ଘଟଣାର ଭିଡିଓ ମନଜିତଙ୍କ ଫୋନରୁ ମିଳିବା ଚର୍ଚ୍ଚା ସଂକ୍ରାନ୍ତ ଖବରୁ ରାଜୁ ଗାଙ୍ଗୁଲି ବିଭ୍ରାନ୍ତିକର ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ ବେଶ ଦାୟିତ୍ୱର ସହ କହିବାକୁ ଚାହୁଁଛି ଯେ ଭିଡିଓଟି ଆଦୌ ନିର୍ଯାତନା ଜନିତ ନୁହେଁ।

ସରକାରୀ ଓକିଲ କିଛି ଲୁଚାଇବାକୁ ଚାହୁଁଛନ୍ତି। ଆପଣମାନେ ସମସ୍ତେ ପ୍ରାପ୍ତ ବୟସ୍କ। ତେଣୁ ସେସବୁ କି ଭିଡିଓ ଆପଣମାନେ ଭଲ ଭାବେ ବୁଝି ପାରୁଥିବେ। ଯଦି ଜଣଙ୍କ ବେକରେ ଲଭ ବାଇଟ୍ସ ରହିଛି, ତା’ହେଲେ ତା’ହା କେଉଁ ପ୍ରକାରର ଭିଡିଓ?”