ଖରାରୁ ମିଳିବନି ଆଶ୍ୱସ୍ତି : ଶନିବାର ବି କଲବଲ କରିବ ତାତି, ୭ ପରେ ବଦଳିବ ପାଗ

ଭୁବନେଶ୍ୱର ୦୬।୦୪ : ସ୍ୱାଭାବିକ ତାପମାତ୍ରାଠାରୁ ୭ ଡିଗ୍ରୀ ଅଧିକ । ଦିନକରେ ବଢ଼ିଗଲା ୬ ଡିଗ୍ରୀ ସେଲ୍‌ସିୟସ । ଏଭଳି ବିପଜ୍ଜନକ ତାତି ସମସ୍ତଙ୍କୁ କଲବଲ କରି ପକାଇଲା । ନିଆଁ ହୁଳା ମାଡ଼ ହେବା ଭଳି ଲାଗୁଥିଲା । ଶନିବାର ବି ଏଭଳି ଭୀଷଣ ଓ ଭୟଙ୍କର ଗ୍ରୀଷ୍ମପ୍ରବାହରୁ ତ୍ରାହି ମିଳିବନି । ପାଣିପାଗ ବିଜ୍ଞାନୀ ଏଭଳି ଚେତାଇ ଦେଇଛନ୍ତି ।ଖାଲି ଭୁବନେଶ୍ୱର ନୁହେଁ, ସମ୍ବଲପୁର, ହୀରାକୁଦ, ଚାନ୍ଦବାଲି, ଝାରସୁଗୁଡ଼ାରେ ପ୍ରଚଣ୍ଡ ତାତି ଓ ଗ୍ରୀଷ୍ମପ୍ରବାହ ଯୋଗୁ ସମସ୍ତେ ଛଟପଟ ହୋଇଥିଲେ । ଉପକୂଳଠୁ ଦକ୍ଷିଣ, ପଶ୍ଚିମ, ଆଭ୍ୟନ୍ତରଣ ଆଉ ଉତ୍ତର ସବୁଠି ଭୟାନକ ଅଗ୍ନି ବର୍ଷା ହେଲା  । ଶୁକ୍ରବାର ରାଜ୍ୟର ୨୪ ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଡେଇଁ‌ଥିଲା । ସେହିପରି ଶନିବାର ବି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଆଶ୍ୱସ୍ତି ମିଳିବନି । ଖୋର୍ଦ୍ଧା, କଟକ, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅନୁଗୁଳ, ବଲାଙ୍ଗୀର, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ସକାଳୁ ସନ୍ଧ୍ୟା ଯାଏ ତତଲା ହାୱା ଅଣନିଶ୍ୱାସୀ କରି ପକାଇବ । ଏଥିପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପଶ୍ଚିମା ଗରମ ପବନ ରାଜ୍ୟକୁ ବହିଥିଲା । ପବନ ଉତ୍ତରା ମୋଡ଼ ଦେବା ସହିତ ପବନର ଗତି କମ୍‌ ରହିଲା । ଏଥି

ଖରାରୁ ମିଳିବନି ଆଶ୍ୱସ୍ତି : ଶନିବାର ବି କଲବଲ କରିବ ତାତି, ୭ ପରେ ବଦଳିବ ପାଗ

ଭୁବନେଶ୍ୱର ୦୬।୦୪ : ସ୍ୱାଭାବିକ ତାପମାତ୍ରାଠାରୁ ୭ ଡିଗ୍ରୀ ଅଧିକ । ଦିନକରେ ବଢ଼ିଗଲା ୬ ଡିଗ୍ରୀ ସେଲ୍‌ସିୟସ । ଏଭଳି ବିପଜ୍ଜନକ ତାତି ସମସ୍ତଙ୍କୁ କଲବଲ କରି ପକାଇଲା । ନିଆଁ ହୁଳା ମାଡ଼ ହେବା ଭଳି ଲାଗୁଥିଲା । ଶନିବାର ବି ଏଭଳି ଭୀଷଣ ଓ ଭୟଙ୍କର ଗ୍ରୀଷ୍ମପ୍ରବାହରୁ ତ୍ରାହି ମିଳିବନି । ପାଣିପାଗ ବିଜ୍ଞାନୀ ଏଭଳି ଚେତାଇ ଦେଇଛନ୍ତି ।

ଖାଲି ଭୁବନେଶ୍ୱର ନୁହେଁ, ସମ୍ବଲପୁର, ହୀରାକୁଦ, ଚାନ୍ଦବାଲି, ଝାରସୁଗୁଡ଼ାରେ ପ୍ରଚଣ୍ଡ ତାତି ଓ ଗ୍ରୀଷ୍ମପ୍ରବାହ ଯୋଗୁ ସମସ୍ତେ ଛଟପଟ ହୋଇଥିଲେ । ଉପକୂଳଠୁ ଦକ୍ଷିଣ, ପଶ୍ଚିମ, ଆଭ୍ୟନ୍ତରଣ ଆଉ ଉତ୍ତର ସବୁଠି ଭୟାନକ ଅଗ୍ନି ବର୍ଷା ହେଲା  । ଶୁକ୍ରବାର ରାଜ୍ୟର ୨୪ ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଡେଇଁ‌ଥିଲା । 

ସେହିପରି ଶନିବାର ବି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଆଶ୍ୱସ୍ତି ମିଳିବନି । ଖୋର୍ଦ୍ଧା, କଟକ, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅନୁଗୁଳ, ବଲାଙ୍ଗୀର, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ସକାଳୁ ସନ୍ଧ୍ୟା ଯାଏ ତତଲା ହାୱା ଅଣନିଶ୍ୱାସୀ କରି ପକାଇବ । ଏଥିପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପଶ୍ଚିମା ଗରମ ପବନ ରାଜ୍ୟକୁ ବହିଥିଲା । ପବନ ଉତ୍ତରା ମୋଡ଼ ଦେବା ସହିତ ପବନର ଗତି କମ୍‌ ରହିଲା । ଏଥିପାଇଁ ତାପମାତ୍ରା ବଢ଼ିଗଲା । ଶନିବାର ବି ରାଜ୍ୟରେ ଗରମ ଜାରି ରହିବ । ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ଦିନ ତାପମାତ୍ରା ଆହୁରି ବଢ଼ିବ । ବୌଦ୍ଧ, ଅନୁଗୁଳ ଓ ତାଳଚେରରେ ବି ତାପମାତ୍ରା ଅଧିକ ରହିବ । 

ଏପ୍ରିଲ ୭ରୁ  ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାଗ ବଦଳିବ । ତାତି କମିଯିବ । ବଙ୍ଗୋପସାଗରରେ ଗୁରୁଚାପ ଯୋଗୁ ଦକ୍ଷିଣା ପବନ ବହିବ । ମଧ୍ୟ ଏବଂ ଉପର ବାୟୁମଣ୍ଡଳରେ ମେଘୁଆ ପାଗ ହେବ । ଆର୍ଦ୍ର ଓ ଶୁଷ୍କ ବାୟୁ ମିଶିବା ଯୋଗୁ ବାୟୁମଣ୍ଡଳର ଉପରଭାଗରେ ଅସ୍ଥିରତା ସୃଷ୍ଟି ହେବ। କାଳବୈଶାଖୀ ପ୍ରଭାବରେ ବର୍ଷା ସହିତ ବିଜୁଳି, ଘଡ଼ଘଡ଼ି ଓ ଜୋର୍‌ରେ ପବନ ବହିବ । ଏଥିପାଇଁ ତାପମାତ୍ରା କମିଯିବ । 

୭ ଓ ୮ ତାରିଖରେ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ଅଛି ।  ୧୦ ଓ ୧୧ ତାରିଖ ଏବଂ ୧୩ ଓ ୧୪ ତାରିଖରେ କାଳବୈଶାଖୀ ଯୋଗୁ ବର୍ଷା ହେବ ବୋଲି ଡ. ପଶୁପାଳକ କହିଛନ୍ତି । ୭ ତାରିଖ ପରେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଆସିବ । ବର୍ଷା ହେଉଥିବା ସ୍ଥାନରେ ତାପମାତ୍ରା ୩୪ଡିଗ୍ରୀ ପାଖାପାଖି  ରହିବ ବୋଲି ଡ. ପଶୁପାଳକ କହିଛନ୍ତି ।

ପାଣିପାଗର ବିଭାଗର ପୂର୍ବାନୁମାନ ଅନୁସାରେ, କାଳବୈଶାଖୀ ଯୋଗୁ ୭ରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ନୟାଗଡ଼ ଓ ବୌଦ୍ଧରେ ଭାରୀ ବର୍ଷା ସମ୍ଭାବନା ଅଛି । ବିଜୁଳି ଓ ଘଡ଼ଘଡ଼ି ବି ହେବ । ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝରରେ ଝଡ଼ ବର୍ଷା ହୋଇପାରେ । ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ହାଲୁକା ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, କଟକ, ବୌଦ୍ଧ ଓ ସୋନପୁରରେ ବର୍ଷା ଘଡ଼ଘଡ଼ି ସମ୍ଭାବନା ଅଛି । ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୮ରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ ଓ କନ୍ଧମାଳରେ ବର୍ଷା ସମ୍ଭାବନା ଅଛି । ଯାଜପୁର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୯ ତାରିଖରେ ବି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।