ଖୁଶବୁଙ୍କ ଖୁସି ନେଇ ଗଲା ବିମାନ ଦୁର୍ଘଟଣା, ସ୍ୱାମୀଙ୍କୁ ଭେଟିବାକୁ ଲଣ୍ଡନ ଯାଉଥିଲେ

ଆଖିରେ ଅନେକ ସ୍ୱପ୍ନ ଓ ମନରେ ଅନେକ ଆଶାକୁ ସାଉଁଟି ଖୁଶବୁ ବିମାନରେ ବସିଥିଲେ। ୪ ମାସ ପରେ ସ୍ୱାମୀଙ୍କୁ ଭେଟିବାକୁ ଯାଉଥିବାରୁ ଖୁଶବୁଙ୍କ ଖୁସିର ସୀମା ନଥିଲା।

ଖୁଶବୁଙ୍କ ଖୁସି ନେଇ ଗଲା ବିମାନ ଦୁର୍ଘଟଣା, ସ୍ୱାମୀଙ୍କୁ ଭେଟିବାକୁ ଲଣ୍ଡନ ଯାଉଥିଲେ

ନବବିବାହିତ ଖୁଶବୁଙ୍କ ଖୁସିକୁ ଛଡ଼ା ନେଇଛି ଅହମଦାବାଦ ବିମାନ ଦୁର୍ଘଟଣା। ଜାନୁଆରୀ ମାସରେ ଖୁଶବୁଙ୍କ ବିବାହ ହୋଇଥିଲା। ତାଙ୍କ ସ୍ୱାମୀ ଲଣ୍ଡନରେ ରୁହନ୍ତି। ରାଜସ୍ଥାନର ବାଲୋତ୍ରା ଜିଲ୍ଲାର ୨୧ ବର୍ଷୀୟ ଖୁଶବୁ ଏୟାର ଇଣ୍ଡିଆ ବିମାନରେ ଲଣ୍ଡନରେ ରହୁଥିବା ସ୍ୱାମୀଙ୍କ ପାଖକୁ ଯାଉଥିଲେ। ଖୁଶବୁଙ୍କ ସ୍ୱାମୀ ସେଠାରେ ଡାକ୍ତର ଭାବେ କାମ କରନ୍ତି।

ଆଖିରେ ଅନେକ ସ୍ୱପ୍ନ ଓ ମନରେ ଅନେକ ଆଶାକୁ ସାଉଁଟି ଖୁଶବୁ ବିମାନରେ ବସିଥିଲେ। ୪ ମାସ ପରେ ସ୍ୱାମୀଙ୍କୁ ଭେଟିବାକୁ ଯାଉଥିବାରୁ ଖୁଶବୁଙ୍କ ଖୁସିର ସୀମା ନଥିଲା। ହେଲେ ଖୁଶବୁ ଦେଖିଥିବା ସ୍ୱପ୍ନ ଭାଙ୍ଗି ଚୂରମାର ହୋଇଯାଇଛି। କାରଣ ଗୁରୁବାର ଅହମଦାବାଦରେ ହୋଇଥିବା ଏୟାର କ୍ରାଶରେ ଖୁଶବୁଙ୍କ ସମେତ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣ ପୋଡ଼ି ହୋଇ ଜୀବନ ହରାଇଛନ୍ତି।

ଚଳିତ ବର୍ଷ ଜାନୁଆରୀ ମାସରେ ଖୁଶବୁ ଓ ବିପୁଲଙ୍କ ବିବାହ ହୋଇଥିଲା। ବାହାଘରର ୨ ମାସ ପରେ ବ୍ରିଟେନରେ ଡାକ୍ତର ଭାବେ କାମ କରୁଥିବା ବିପୁଲ ଲଣ୍ଡନ ଫେରି ଯାଇଥିଲେ। ଖୁଶବ ରାଜସ୍ଥାନରେ ରହିବା ସହ ଲଣ୍ଡନ ଯିବାକୁ ପାସପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିଲେ। ଏସବୁ କାମ ପାଇଁ ତାଙ୍କୁ ସ୍ୱାମୀଙ୍କ ଠାରୁ ୪ ମାସ କାଳ ଦୂରରେ ରହିବାକୁ ପଡ଼ିଥିଲା।

୪ ମାସ ପରେ ଶେଷରେ ଖୁଶବୁଙ୍କୁ ସ୍ୱାମୀଙ୍କ ପାଖକୁ ଯିବାକୁ ସୁଯୋଗ ମିଳିଥିଲା। ଖୁଶବୁ ମଧ୍ୟ ସେଠାକୁ ଯାଇ ସ୍ୱାମୀଙ୍କ ସହ ନୂଆ ଜୀବନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ରାଜସ୍ଥାନ ବାଲୋତ୍ରା ଜିଲ୍ଲାରୁ ସେ ବୁଧବାର ଗୁଜୁରାଟର ଅହମଦାବାଦରେ ପହଞ୍ଚିଥିଲେ। ଗୁରୁବାର ସକାଳୁ ସେ ଅହମଦାବାଦର ସର୍ବାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ।

ଏହି ସମୟରେ ତାଙ୍କ ସହ ଥିଲେ ବାପା ମଦନ ସିଂହ। ସେ ଝିଅ ସହ ଏୟାରପୋର୍ଟରେ ଫଟୋ ଉଠାଇଥିଲେ। ବିମାନରେ ବସିବା ପୂର୍ବରୁ ଖୁଶବୁ ବି ବେଶ ଭାବବିହ୍ୱଳ ହୋଇଯାଇଥିଲେ। ସେ ପରିବାରକୁ ବିଦାୟ ଜଣାଇବା ବେଳେ କାନ୍ଦି ପକାଇଥିଲେ। ସେ ଜାଣି ନଥିଲେ ଯେ ଏହା ପରିବାର ଲୋକଙ୍କ ସହ ତାଙ୍କର ଶେଷ ଦେଖା। ସେ କାନ୍ଦି କାନ୍ଦି ବିମାନରେ ବସିଥିଲେ। ସେ ବିମାନ ଉଡ଼ାଣ ଭରିବା ପରେ ଝିଅକୁ ଆଶୀର୍ବାଦ ଦେଇ ମଦନ ହ୍ୱାଟ୍ସଆପ୍‌ରେ ଲେଖିଥିଲେ, "ଆଶୀର୍ବାଦ ଖୁସବୁ ବେଟା...ସେ ଲଣ୍ଡନ ଯାଉଛି"(Ashirwad Khushbu Beta...Going to London)।

ହେଲେ ମେସେଜ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଜନବସତିରେ ଖସି ପଡ଼ିଥିଲା ଖୁଶବୁ ବସିଥିବା ଏୟାର ଇଣ୍ଡିଆ ବିମାନ। ଆଉ ମାତ୍ର କିଛି ସେକେଣ୍ଡରେ ଖୁଶବଙ୍କ ସୁନାର ସଂସାର ଛିନଛତ୍ର ହୋଇଯାଇଥିଲା। ପରିବାର ଲୋକ ଏୟାରପୋର୍ଟରୁ ଫେରିବା ବେଳେ ଏହି ଖବର ଶୁଣି ପୂରା ସ୍ତବ୍ଧ ହୋଇଯାଇଥିଲେ।