ଖୋଲା ଜିପ୍‌ରେ ରିଲ୍ସ କଲେ ଉପ-ମୁଖ୍ୟମନ୍ତ୍ରୀଙ୍କ ପୁଅ, ଏସ୍‌କର୍ଟ କରୁଥିଲା ପୁଲିସ

ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱାଙ୍କ ପୁଅର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖୋଲା ଜିପ୍‌ରେ ରିଲ୍ସ କଲେ ଉପ-ମୁଖ୍ୟମନ୍ତ୍ରୀଙ୍କ ପୁଅ, ଏସ୍‌କର୍ଟ କରୁଥିଲା ପୁଲିସ

ଖୋଲା ଜିପ୍‌। ଆଉ ଜିପ୍ ଉପରେ ବସି ରିଲ୍ସ ଭିଡିଓ କରୁଛନ୍ତି ଉପ-ମୁଖ୍ୟମନ୍ତ୍ରୀଙ୍କ ପୁଅ। ବିଚ୍‌ ରାସ୍ତାରେ ଟ୍ରାଫିକ୍‌ ନିୟମକୁ ଫୁ କରି ଉଡାଇ ଦେଇଛନ୍ତି। ଆଉ ଜଳକା ସାଜିଛି ପୁଲିସ। ଉପ-ମୁଖ୍ୟମନ୍ତ୍ରୀଙ୍କୁ ପୁଅ ଏସ୍‌କର୍ଟ କରୁଛି ପୁଲିସ। ଏଭଳି କିଛି ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ରାଜସ୍ଥାନରୁ।

ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱାଙ୍କ ପୁଅର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ନିଜର କିଛି ସାଙ୍ଗଙ୍କ ସହ ଖୋଲା ଜିପ୍‌ରେ ବସି କରୁଛନ୍ତି ରିଲ୍ସ। ତାଙ୍କ ପୁଅ ଟ୍ରାଫିକ ନିୟମ ଭାଙ୍ଗିବା ସହ ପୁଲିସର ଏସକର୍ଟର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ୪ ଜଣ ଯୁବକ ଏକ ଖୋଲା ଜିପ୍‌ରେ ନଜର ଆସିଛନ୍ତି। ସେମାନେ ରିଲ୍ସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଉପ-ମୁଖ୍ୟମନ୍ତ୍ରୀଙ୍କ ପୁଅ। ତାଙ୍କ ପାଖରେ ବସିଥିବା ଅନ୍ୟ ଜଣେ କଂଗ୍ରେସ ନେତା ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କ ପୁଅ ବୋଲି କୁହାଯାଉଛି।

ଏମାନେ ଏକ ଖୋଲା ଜିପ୍‌ରେ ଜୟପୁର ରାସ୍ତାରେ ବୁଲୁଛନ୍ତି। ରାଜସ୍ଥାନ ପୁଲିସର ଦୁଇଟି ଗାଡି ତାଙ୍କୁ ଏସ୍‌କର୍ଟ କରୁଛି। ତାଙ୍କ ଆଗରେ ଗୋଟିଏ ପୁଲିସ ଗାଡ଼ି ଓ ଆଉ ଗୋଟିଏ ପଛରେ ଯାଉଛି। ଏହି ସମୟ ମଧ୍ୟରେ ଜିପରେ ଥିବା ଯୁବକମାନେ ଟ୍ରାଫିକ ନିୟମ ମଧ୍ୟ ପାଳନ କରିନଥିବା ଦେଖିବାକୁ ମିଳିଛି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ଉପୁଜିଛି। ବିରୋଧୀ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦଙ୍କୁ ଟାର୍ଗେଟ୍‌ କରିଛନ୍ତି। ଯଦି ଜଣେ ସାଧାରଣ ବ୍ୟକ୍ତି ତାଙ୍କ ନାବାଳକ ପୁଅକୁ ଏହି ଉପାୟରେ ଗାଡି ଚଳାଇବାକୁ ଦେଇଥାନ୍ତେ, ତେବେ ସେ କେବଳ ନିରୀହ ଯୁକ୍ତି ଆଧାରରେ ଦଣ୍ଡରୁ ରକ୍ଷା ପାଇଥାନ୍ତେ କି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।  

ସେପଟେ ପୁଅର ଭାଇରାଲ ଭିଡିଓକୁ ନେଇ ବିବାଦ ଉପିଜିବା ପରେ ପ୍ରେମଚାନ୍ଦ ସ୍ପଷ୍ଟିକରଣ ଦେଇଛନ୍ତି। ସେ କହିଛନ୍ତି, 'ମୋ ପୁଅ ଭିଡିଓରେ ଦେଖାଯାଉଛି। ଏଥିରେ କୌଣସି ଭୁଲ୍ ନାହିଁ। ମୋର ସୌଭାଗ୍ୟ ଯୋ ମୋଦିଜୀ ମୋ ଭଳି ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିଛନ୍ତି। ଏହା ପରେ ମୋ ପୁଅ ମଧ୍ୟ ଦାମୀ ଗାଡିରେ ବସିବାର ସୁଯୋଗ ମିଳିଛି।  ମୋ ପୁଅ ସିନିୟର ସ୍କୁଲରେ ପଢ଼େ, ସେ ତା' ସ୍କୁଲ ସାଙ୍ଗମାନଙ୍କ ସହ ଗାଡ଼ିରେ ଯାଉଥିଲା। ମୋ ପୁଅକୁ ଏପର୍ଯ୍ୟନ୍ତ ୧୮ ବର୍ଷ ବୟସ ହୋଇନାହିଁ। କୌଣସି ଗାଡି ମୋ ପୁଅକୁ ଏସ୍‌କର୍ଟ କରୁନଥିଲା। ସୁରକ୍ଷା ପାଇଁ ପୁଲିସ ଗାଡ଼ିଗୁଡିକ ପଛରେ ଯାଉଥିଲା। ଯଦି କେହି ଏହି କଥାକୁ ନେଇ ଅନାବଶ୍ୟକ ବିବଦା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ତେବେ ଏହା ତାଙ୍କର ପସନ୍ଦ।' 

ସେପଟେ ସୋଶାଲ ମିଡିଆ ୟୁଜର୍ସ ଏହି ଭିଡିଓକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ଓ ତାଙ୍କ ପୁଅକୁ ଟ୍ରୋଲ କରୁଛନ୍ତି। ଏହା ସହିତ ରାଜସ୍ଥାନ ପୁଲିସର କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦଙ୍କ ପୁଅକୁ ଯାଉଥିବା ଗାଡି ପରିବହନ ବିଭାଗ ନାମରେ ପଞ୍ଜିକୃତ ହୋଇଛି। ପରିବହନ ବିଭାଗ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବେରୱାଙ୍କ ଅଧୀନରେ ଅଛି। ଏହାକୁ ନେଇ ଲୋକେ ଏହାର ତଦନ୍ତ ଦାବି କରୁଛନ୍ତି।