ଗଙ୍ଗାରେ ବୁଡ଼ ପକାଇବା ପାଇଁ ଯାଉଥିଲେ ଶ୍ରଦ୍ଧାଳୁ, ପିଟି ଦେଲା ଟ୍ରକ୍‌, ୧୨ ମୃତ

ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଗଙ୍ଗାରେ ବୁଡ଼ ପକାଇବା ପାଇଁ ଯାଉଥିଲେ ଶ୍ରଦ୍ଧାଳୁ, ପିଟି ଦେଲା ଟ୍ରକ୍‌, ୧୨ ମୃତ

ଅଧା ରହିଗଲା ଗଙ୍ଗା ସ୍ନାନ। ଅଟୋରେ ଗଙ୍ଗା ସ୍ନାନ ପାଇ ଯାଉଥିବା ଶ୍ରଦ୍ଧାଳୁଙ୍କୁ ପଛରୁ ପିଟିଲା ଟ୍ରକ୍‌। ଚାଲିଗଲା ୧୨ ଜଣଙ୍କ ଜୀବନ। ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ଆଜି ସକାଳୁ ଶହାଜାହାଁପୁର ମଦନାପୁର ଦମଗଡାରୁ ଗଙ୍ଗାରେ ବୁଡ଼ ପକାଇବା ପାଇଁ ଫରୁଖାବାଦର ପାଞ୍ଚାଲ ଘାଟକୁ କିଛି ଶ୍ରଦ୍ଧାଳୁ ଅଟୋରେ ଯାଉଥିଲେ। ଏତିକି ବେଳେ ସାମ୍ନା ପଟୁ ହଠାତ ଅଟୋକୁ ଏକ ଟ୍ରକ୍‌ ଧକ୍କା ଦେଇ ଉପରେ ମାଡି ଯାଇଥିଲା। ଫଳରେ ଅଟୋରେ ବସିଥିବା ୧୨ ଜଣ ଶ୍ରଦ୍ଧାଳୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ପୁଲିସର କହିବା ମୁତାବକ ସ୍ଥାନୀୟ ଦମଗାଢ଼ ଗ୍ରାମର ୧୨ ଜଣ ଶ୍ରଦ୍ଧାଳୁ ଗଙ୍ଗାସ୍ନାନ ପାଇଁ ଆଜି ଭୋର ସମୟରେ ଏକ ଅଟୋ ଯୋଗେ ଯାଉଥିଲେ। ତେବେ ଏହି ସମୟରେ ଜାଲାଲାବାଦ ଜାତୀୟ ରାଜପଥର ସୁଗାସୁଗି ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଟ୍ରକ୍‌ ଭିତରେ ଫଶି ଯାଇଥିଲା। ତେବେ ଡ୍ରାଇଭର ଟ୍ରକ୍‌କୁ ବ୍ୟାକ୍‌ କରି ପୁଣି ଥରେ ଅଟୋ ଉପରେ ଚଢ଼ି ପଳାଇଥିଲେ।

ତେବେ ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଏବେ ତଦନ୍ତ ଜାରି ରହିଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା। କିନ୍ତୁ ପରେ ପୁଲିସ ତାଙ୍କୁ ଗିରଫ କରିଛି। ଘନ କୁହୁଡି ଯୋଗୁଁ ଦୃଶ୍ୟମାନ୍ୟତା କମ ରହିଥିଲା। ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥିଲା ବୋଲି ପୁଲିସ କହିଛି। ସେପଟେ ଏହି ଦୁର୍ଘଟଣା ବାବଦରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।