ଗଛରେ ବାନ୍ଧି ପିଟିବା ଘଟଣା; ପୀଡ଼ିତା ଅଙ୍ଗନୱାଡ଼ି କର୍ମୀଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ
ଗୁରୁତର ଅବସ୍ଥାରେ ଅଙ୍ଗନୱାଡି କର୍ମୀଜଣକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଛୁଆଙ୍କୁ ନିୟମିତ ଅଣ୍ଡା ମିଳୁ ନ ଥିବା ପ୍ରତିବାଦରେ ଗତକାଲି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମହାପଦାରେ ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲେ ଗାଁ ଲୋକେ । ଗୁରୁତର ଅବସ୍ଥାରେ ଅଙ୍ଗନୱାଡି କର୍ମୀଜଣକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ପୀଡ଼ିତା ମହାପଦା ଗାଁର ଅଙ୍ଗନୱାଡି କର୍ମୀ ଉର୍ମିଳା ସାମଲଙ୍କ ନିକଟରୁ ଉପମୁଖ୍ୟମନ୍ତ୍ରୀ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବି ପଚାରି ବୁଝିଥିଲେ। ଭଲ ଚିକିତ୍ସା ସହ ସୁରକ୍ଷାର ପ୍ରତିଶ୍ରୁତି ଦେଲେ ଉପମୁଖ୍ୟମନ୍ତ୍ରୀ। ମେଡିକାଲରେ ଉତ୍ତମ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିବା କହିଥିବା ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କୁ ତୁରନ୍ତ ଧରିବାକୁ ବାଲେଶ୍ୱର ଏସ୍ପି ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଏସ୍ପି।
ଉର୍ମିଳା ସାମଲ ଛୋଟ ଛୁଆଙ୍କୁ ନିୟମିତ ଅଣ୍ଡା ଦେଉନଥିବା ଅଭିଯୋଗ ଆଣି ଗାଁର ମହିଳାମାନେ ଗତ କିଛି ଦିନ ହେଲା ତାତିକି ଥିଲେ। ଗତ ୧୯ ଡାରିଖରେ ଉର୍ମିଳା ଅଙ୍ଗନୱାଡି କେନ୍ଦ୍ର ଅଫିସ୍ କାମ କରୁଥିବା ବେଳେ ଗାଁର କିଛି ମହିଳା ଅଙ୍ଗନୱାଡି କେନ୍ଦ୍ରରେ ପଶି ଉର୍ମିଳାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ ଦେଇଥିଲେ। ଉର୍ମିଳା ପ୍ରତିବାଦ କରିବାରୁ ମହିଳାମାନେ ତାଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଉର୍ମିଳା ଚିତ୍କାର କରୁଥିବା ବେଳେ ଏହାର ଭିଡିଓ ରେକଡିଂ କରି ମଜା ନେଉଥିଲେ।
ଖବର ପାଇ ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ ଓ କିଛି ଅଙ୍ଗନୱାଡ଼ି କର୍ମୀ ମହାପଦା ଗାଁରେ ପହଞ୍ଚି ଉର୍ମିଳାଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ତାଙ୍କୁ ବସ୍ତା ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ହେଲେ ମାଡ଼ ମାରିଥିବା ମହିଳାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।