ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡ଼, ୩ ଆହତ
୩ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଢେଙ୍କାନାଳ ସଦର ଥାନା ତରଭା ଗାଁରେ ଗଣେଶ ପୂଜା ଭସାଣ ଉତ୍ସବ ବେଳେ କିଛି ଯୁବକ ସଂଘବଦ୍ଧ ହୋଇ ଖଣ୍ଡା ଓ ଛୁରୀରେ ଆକ୍ରମଣ କରିବାରୁ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଆହତମାନେ ହେଉଛନ୍ତି ତରଭା ବଡ଼ ଗାଁର ଛବିଳ କୁମାର ସ୍ୱାଇଁ, ବିଶ୍ୱ ମୋହନ ସ୍ୱାଇଁ ଓ ସୁବ୍ରତ ସ୍ୱାଇଁ। ଛବିଳ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଟିକେ ଗୁରୁତର ରହିଛି। ବିଶ୍ୱମୋହନଙ୍କର ଛାତିରେ ଓ ସୁବ୍ରତଙ୍କର ପେଟରେ ଆଘାତ ଲାଗିଛି। ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି।
ଅଭିଯୋଗ ମୁତାବକ ଆହତମାନେ ଗଣେଶ ପୂଜା ଭସାଣ ଶୋଭାଯାତ୍ରା ଦେଖୁଥିବା ସମୟରେ ତରଭା ଅପାଳିକିଆ ଗାଁର ହରେଶ କୁମାର ସ୍ୱାଇଁ, ସିପୁ ମଲ୍ଲିକ, ସୂର୍ଯ୍ୟକାନ୍ତ ମଲ୍ଲିକ, ପାପୁଲି ମଲ୍ଲିକ ଓ ପବିତ୍ର ମଲ୍ଲିକ ମିଶି ସେମାନଙ୍କୁ ଛୁରୀ ଓ ଖଣ୍ଡାରେ ଆକ୍ରମଣ କରିଥିଲେ। ଛବିଳ ସ୍ୱାଇଁଙ୍କ ମୁଣ୍ଡରେ ବନ୍ଧୁକ ରଖି ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଆହତ ବିଶ୍ୱ ମୋହନ ସ୍ୱାଇଁ କହିଛନ୍ତି ଯେ ଭସାଣ ଶୋଭାଯାତ୍ରା ଚାଲିଥିବା ବେଳେ ସେମାନେ ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ। ସେଠାରେ ତାଙ୍କ ପରିବାର ଲୋକ ମଧ୍ୟ ଥିଲେ। ଭସାଣ ଶୋଭାଯାତ୍ରା ଚାଲିଥିବା ବେଳେ ଅଭିଯୁକ୍ତମାନେ ନିଜ ନିଜ ମଧ୍ୟରେ ପାଟିତୁଣ୍ଡ କରି ଆସୁଥିଲେ। କିନ୍ତୁ ହଠାତ୍ ସେମାନେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଛାତିରେ ଆଘାତ ଲାଗିଛି। ସେହିପରି ତାଙ୍କ ପାଖରେ ଠିଆ ହୋଇଥିବା ସୁବ୍ରତ ସ୍ୱାଇଁ ମଧ୍ୟ ଛୁରୀ ମାଡ଼ରେ ଆହତ ହୋଇଥିଲେ।
ଢେଙ୍କାନାଳ ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।