ଗପ କହୁଛି ପାକିସ୍ତାନ, ଭାରତର ୫ ଯୁଦ୍ଧ ବିମାନ ଖସାଇବା ନେଇ କରୁଛି ମିଛ ପ୍ରଚାର

ଅନ୍ତର୍ଜାତୀୟ ସୀମା ଠାରୁ ୧୦୦ କିମି ଦୂରରେ ଥିବା ପାକିସ୍ତାନର ବାହାବଲପୁରରେ ଭାରତୀୟ ସେନା ମିସାଇଲ ମାଡ଼ କରିବା ଇସଲାମାବାଦର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ଗପ କହୁଛି ପାକିସ୍ତାନ, ଭାରତର ୫ ଯୁଦ୍ଧ ବିମାନ ଖସାଇବା ନେଇ କରୁଛି ମିଛ ପ୍ରଚାର

ଭାରତୀୟ ସେନାର ଅପରେସନ ସିନ୍ଦୂର ପରେ ଭୟରେ ରହୁଥିବା ଏବେ ମିଛର ପ୍ରଚାର ଆରମ୍ଭ କରିଛି। ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ମଙ୍ଗଳବାର ରାତି ୧.୦୫ରୁ ୧.୩୦ ମଧ୍ୟରେ ପାକିସ୍ତାନରେ କରିଛି ପ୍ରଚଣ୍ଡ ହମଲା। ଏଥିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ ହୋଇଯାଇଛି।

ଅନ୍ତର୍ଜାତୀୟ ସୀମା ଠାରୁ ୧୦୦ କିମି ଦୂରରେ ଥିବା ପାକିସ୍ତାନର ବାହାବଲପୁରରେ ଭାରତୀୟ ସେନା ମିସାଇଲ ମାଡ଼ କରିବା ଇସଲାମାବାଦର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପହଲଗାମ ହମଲା ପରେ ଭାରତର ପାଲଟା ଜବାବ ନିଶ୍ଚିତ ଥିବା ପାକିସ୍ତାନ ଜାଣିଥିଲା। ଏଥିପାଇଁ ପାକିସ୍ତାନ ଆଲର୍ଟରେ ରହିବା ସହ ଏୟାର ଡିଫେନ୍ସ ସିଷ୍ଟିମକୁ ଆକ୍ଟିଭେଟ କରିଥିଲା।

ତଥାପି ଭାରତୀୟ ଯୁଦ୍ଧ ବିମାନ ପାକିସ୍ତାନରେ ପଶି ସଫଳତା ହାସଲ କରିଥିବାରୁ ଇସଲାମାବଦର ଚିନ୍ତା ବଢ଼ି ଯାଇଛି। ପାକିସ୍ତାନ ସେନା ଓ ସରକାର ବିରୋଧରେ ଜନଅସନ୍ତୋଷ ବଢ଼ୁଥିବା ବେଳେ ଏବେ ମିଛର ପ୍ରଚାର ଆରମ୍ଭ କରିଛି ଇସଲାମାବାଦ।

ଅପରେସନ ସିନ୍ଦୂରର କିଛି ସମୟ ପରେ ପାକିସ୍ତାନ କହିଛି ଯେ ଭାରତର ଷ୍ଟ୍ରାଇକର ଉଚିତ ଜବାବ ଦିଆଯାଇଛି। ପାକିସ୍ତାନର ପାଲଟା ଆକ୍ରମଣରେ ଭାରତର ୫ଟି ଯୁଦ୍ଧ ବିମାନ ନଷ୍ଟ ହୋଇଛି। ପାକିସ୍ତାନ ସେନା ଭାରତର ଗୋଟିଏ ବ୍ରିଗେଡ ମୁଖ୍ୟାଳୟ ସମେତ ଏକାଧିକ ଚେକପୋଷ୍ଟକୁ ଧ୍ୱଂସ କରି ଦେଇଛନ୍ତି। ପାକିସ୍ତାନର ଘନଘନ ଆକ୍ରମଣ ଯୋଗୁ ଭାରତୀୟ ସେନା ଧଳା ପତାକା ଦେଖାଇ ପରାଜୟ ସ୍ୱୀକାର କରିଥିବା ପାକିସ୍ତାନ ପକ୍ଷରୁ ଦାବି କରାଯାଇଥିଲା। ଏସଂକ୍ରାନ୍ତ ତଥାକଥିତ ଭିଡିଓ ମଧ୍ୟ ପାକିସ୍ତାନୀ ସପକ୍ଷବାଦୀ ଏକ୍ସ ଆକାଉଣ୍ଟରୁ ଶେୟାର କରାଯାଇଥିଲା।

ହେଲେ ଏସବୁ ମିଛ ବୋଲି ଫ୍ୟାକ୍ଟ ଚେକରୁ ସ୍ପଷ୍ଟ ହୋଇଛି। ମହମ୍ମଦ ଜୁବେର ଓ ପିଆଇବି ପକ୍ଷରୁ ପାକିସ୍ତାନର ସବୁ ମିଛର ପର୍ଦ୍ଦାଫାସ ହୋଇଛି। ପ୍ରଥମେ ପାକିସ୍ତାନ ପକ୍ଷରୁ ପ୍ରଚାର କରାଯାଇଥିଲା ଯେ ଭାରତର ମିସାଇଲ ଷ୍ଟ୍ରାଇକର ଜବାବ ପାକିସ୍ତାନ ଦେଇଛି। ଭାରତ ଭିତରେ ପଶି ପାକିସ୍ତାନ ସେନା ୧୫ଟି ଠିକଣାରେ ବୋମା ବର୍ଷଣ କରିଛି।

ଅନ୍ୟ ଏକ ପୋଷ୍ଟରେ କୁହାଯାଇଛି ଯେ ପାକିସ୍ତାନ ଏୟାର ଫୋର୍ସ ଭାରତର ଶ୍ରୀନଗର ଏୟାର ବେସ୍‌ ଉପରେ ହମଲା କରି ଏହାକୁ ଉଡ଼ାଇ ଦେଇଛି। ସମାନ ଫଟୋ ଓ ଭିଡିଓକୁ ଅନେକ ଏକ୍ସ ଆକାଉଣ୍ଟ ଶେୟାର ମଧ୍ୟ କରିଥିଲେ। କିନ୍ତୁ ଫ୍ୟାକ୍ଟ ଚେକରୁ ଜଣା ପଡ଼ିଛି ଯେ ଏଥିରେ କୌଣସି ସତ୍ୟତା ନାହିଁ।

ପିଆଇବିର ଫ୍ୟାକ୍ଟ ଚେକ ଟିମ କହିଛି ଯେ ପାକିସ୍ତାନ ଓ ଏହାର ସପକ୍ଷବାଦୀଙ୍କ ଆକାଉଣ୍ଟର ଏକାଧିକ ଭିଡିଓ ଏବଂ ଫଟୋ ଶେୟାର କରାଯାଇଛି। ଗୋଟିଏ ଭିଡିଓରେ ପାକିସ୍ତାନ ଏୟାର ଫୋର୍ସ ଶ୍ରୀନଗର ଏୟାର ବେସ୍‌ରେ ଆକ୍ରମଣ କରିଥିବା ଦାବି ହୋଇଛି। କିନ୍ତୁ ଉକ୍ତ ଭିଡିଓ ପୁରୁଣା ଓ ଏହାର ଭାରର ନୁହେଁ।

୨୦୨୪ରେ ପାକିସ୍ତାନର ଖାୟବର ଫାଖତୁନଖ୍ୱାରେ ହୋଇଥିବା ଧାର୍ମିକ ସଂଘର୍ଷ ବେଳର ଦୃଶ୍ୟକୁ ଏବେ ଶେୟାର କରାଯାଇଛି। ପାକିସ୍ତାନ ନିଜ ଦେଶର ଭିଡିଓକୁ ଶେୟାର କରି ଶ୍ରୀନଗର ଏୟାର ବେସ୍‌ରେ ହମଲା ହୋଇଥିବା କଥା କହିଥିବା ଫ୍ୟାକ୍ଟ ଚେକରୁ ଜଣାପଡ଼ିଛି।

କେବଳ ସୋଶାଲ ମିଡିଆ ନୁହେଁ, ପାକିସ୍ତାନର ଏକାଧିକ ମୁଖ୍ୟସ୍ରୋତର ଗଣମାଧ୍ୟମ ମଧ୍ୟ ଏପରି ମିଥ୍ୟାର ପ୍ରଚାର କରିବାରେ ଲାଗିଛନ୍ତି। ପାକିସ୍ତାନ ସେନା ପକ୍ଷରୁ ଦାବି କରାଯାଇଛି ଯେ ଭାରତ କରିଥିବା ହମଲାରେ ୨୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।

ହେଲେ ଭାରତୀୟ ସେନା ସ୍ପଷ୍ଟ କରିଛି ଯେ କେବଳ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ମିସାଇଲ ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ପାକିସ୍ତାନର କୌଣସି ସେନା ପ୍ରତିଷ୍ଠାନ କିମ୍ବା ସାଧାରଣ ଲୋକଙ୍କ କ୍ଷତି ହୋଇନାହିଁ।