ଗୁଳିମାଡ଼ କରି ୮ ଜଣଙ୍କୁ ଛଡ଼ାଇ ନେଲେ ମାଛ ମାଫିଆ

ବେଆଇନ ଭାବେ ମାଛ ମାରୁଥିବା 'ତାରିଣୀ-୩' ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିଲା। ୬ଟି ଟ୍ରଲର ବନବିଭାଗର କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରି ୮ ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ ମାଛ ମାଫିଆ।

ଗୁଳିମାଡ଼ କରି ୮ ଜଣଙ୍କୁ ଛଡ଼ାଇ ନେଲେ ମାଛ ମାଫିଆ

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଗଭୀର ସମୁଦ୍ର ମଧ୍ୟରେ ଫୁଟିଲା ଗୁଳି। ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ମାଛ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ। ବେଆଇନ ଭାବେ ମାଛ ମାରୁଥିବା 'ତାରିଣୀ-୩' ଟ୍ରଲର ସହିତ ୯ ଜଣଙ୍କୁ ବନବିଭାଗ କାବୁ କରି ଆଣୁଥିବା ସମୟରେ ୬ଟି ଟ୍ରଲର ନେଇ ବନବିଭାଗର କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ ମାଛ ମାଫିଆ।

ଏହି ସମୟରେ ମାଛ ମାଫିଆମାନେ ଗୁଳି ଫୁଟାଇ ୮ ମତ୍ସ୍ୟଜୀବୀଙ୍କୁ ଜୋର୍ ଜବରଦସ୍ତ ବନ କର୍ମଚାରୀଙ୍କଠାରୁ ଛଡାଇ ନେଇଛନ୍ତି। ତେବେ 'ତାରିଣୀ-୩' ଟ୍ରଲର ଚାଳକକୁ ଧରି ଫେରି ଆସିଛି ବନ ବିଭାଗ ଟିମ୍। ଏନେଇ ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ 'ନୋ ଫିଶିଂ ଜୋନ'ରୁ ବେଆଇନ ଭାବେ କିଛି ମତ୍ସ୍ୟଜୀବୀ ମାଛ ଧରୁଥିବା ଖବର ପାଇଁ ଆମ ପାଟ୍ରୋଲିଂ ଟିମ୍ ଚଢ଼ାଉ କରିଥିଲା। ଏହି ସମୟରେ ଅଭିଯୁକ୍ତମାନେ ବାହାରେ ଥିବା ସେମାନଙ୍କ ଟିମକୁ ଖବର ଦେଇଥିଲେ। ସେମାନେ ୬ଟି ଟ୍ରଲର ନେଇ ଆସି ଆମ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ବ୍ଲାଙ୍କ ଫାୟାରିଂ କରିଥିଲେ।

ଫରେଷ୍ଟର ସୁରେଶ ପୃଷ୍ଟିଙ୍କ ନେତୃତ୍ୱରେ ଯାଇଥିବା ପାଟ୍ରୋଲିଂ ଟିମ୍ ମଧ୍ୟ ଫାୟାରିଂ କରିଥିଲା। ହେଲେ ଏମାନେ କାବୁ କରିଥିବା ୯ଜଣଙ୍କ ମଧ୍ୟରୁ ୮ ଜଣ ସେମାନଙ୍କ ବୋଟକୁ ଡେଇଁ ଖସି ଯାଇଥିଲେ। ଶେଷରେ 'ତାରିଣୀ-୩' ଟ୍ରଲର ଓ ଏହାର ଚାଳକକୁ ଧରି ଫେରିଛି ବନ ବିଭାଗ ଟିମ୍। ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି।