ଗୃହରକ୍ଷୀ ପରୀକ୍ଷା ବେଳେ ଅଚେତ ହୋଇ ଯାଇଥିବା ମହିଳାଙ୍କୁ ଚଳନ୍ତା ଆମ୍ବୁଲାନ୍ସରେ ଗଣ ଦୁଷ୍କର୍ମ

ମହିଳା ଜଣଙ୍କ ଗୃହରକ୍ଷୀ ନିଯୁକ୍ତି ପାଇଁ ଆବଶ୍ୟକ ଶାରୀରିକ ଟେଷ୍ଟରେ ସାମିଲ ହେଉଥିଲେ। କିନ୍ତୁ ପରୀକ୍ଷା ବେଳେ ସେ ଅଚେତ ହୋଇ ଯାଇଥିଲେ।

ଗୃହରକ୍ଷୀ ପରୀକ୍ଷା ବେଳେ ଅଚେତ ହୋଇ ଯାଇଥିବା ମହିଳାଙ୍କୁ ଚଳନ୍ତା ଆମ୍ବୁଲାନ୍ସରେ ଗଣ ଦୁଷ୍କର୍ମ

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ବିହାରରେ ଜଣେ ୨୬ ବର୍ଷୀୟ ମହିଳାଙ୍କୁ ଚଳନ୍ତା ଆମ୍ବୁଲାନ୍ସ ଭିତରେ କରାଯାଇଛି ଗଣ ଦୁଷ୍କର୍ମ। ମହିଳା ଜଣଙ୍କ ଗୃହରକ୍ଷୀ ନିଯୁକ୍ତି ପାଇଁ ଆବଶ୍ୟକ ଶାରୀରିକ ଟେଷ୍ଟରେ ସାମିଲ ହେଉଥିଲେ। କିନ୍ତୁ ପରୀକ୍ଷା ବେଳେ ସେ ଅଚେତ ହୋଇ ଯାଇଥିଲେ। ଏଥିପାଇଁ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଯାଇଥିଲା। ହସ୍ପିଟାଲ ଯିବା ବାଟରେ ତାଙ୍କୁ ଚଳନ୍ତା ଆମ୍ବୁଲାନ୍ସରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ସହ ବିହାରର ଗୟା ଜିଲ୍ଲାରେ ଏପରି ଘଟଣା ଘଟିଥିବା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି।

ଅଭିଯୋଗ ଅନୁସାରେ ପୂରା ଘଟଣା ଜୁଲାଇ ୨୪ ତାରିଖରେ ଘଟିଥିଲା। ୨୪ ତାରିଖରେ ଗୃହରକ୍ଷୀ ନିଯୁକ୍ତି ପାଇଁ ଶାରୀରିକ ଫିଟନେସ ପରୀକ୍ଷା ବୋଧ ଗୟାରେ ଥିବା ବିହାର ମିଲିଟାରୀ ପୁଲିସ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଟେଷ୍ଟ ବେଳେ ୨୬ ବର୍ଷୀୟ ମହିଳା ଜଣଙ୍କ ଅଚେତ ହୋଇ ଯାଇଥିଲେ। ଘଟଣା ସ୍ଥଳରେ ରହିଥିବା ଆମ୍ବୁଲାନ୍ସ ଜରିଆରେ ପରୀକ୍ଷା ଆୟୋଜନ କରୁଥିବା ଅଧିକାରୀମାନେ ମହିଳାଙ୍କୁ ହସ୍ପିଟାଲ ପଠାଇ ଦେଇଥିଲେ। ମହିଳା ଜଣଙ୍କ ଆମ୍ବୁଲାନ୍ସ ଭିତରେ ଅଚେତ ଅବସ୍ଥାରେ ଥିବା ବେଳେ ତାଙ୍କୁ ଏକାଧିକ ଲୋକ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଆଧାରରେ ବୋଧ ଗୟା ପୁଲିସ ଷ୍ଟେସନରେ ଗୋଟିଏ ଏଫଆଇଆର ରୁଜୁ କରାଯାଇଥିଲା। ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଓ ଫରେନ୍ସିକ ଟିମକୁ ଘଟଣାର ତଦନ୍ତ ପାଇଁ ନିଯୁକ୍ତ କରାଯାଇଥିଲା।

ଅଭିଯୋଗର କିଛି ଘଣ୍ଟା ମଧ୍ୟରେ ଏସ୍‌ଆଇଟି ଅଭିଯୁକ୍ତ ଆମ୍ବୁଲାନ୍ସ ଡ୍ରାଇଭର ବିନୟ କୁମାର ଓ ଟେକ୍ନିସିଆନ ଅଜିତ କୁମାରଙ୍କୁ ଗିରଫ କରିଛି। ସେମାନେ ଏବେ ପୁଲିସ୍‌ ହେପାଜତରେ ରହିଛନ୍ତି ଓ ସେମାନଙ୍କୁ ଜେରା କରାଯାଉଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଘଟଣାକୁ ନିନ୍ଦା କରିବା ସହ କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି(ରାମ ବିଳାଶ) ମୁଖ୍ୟ ଚିରାଗ ପାଶୱାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ଅପରାଧ ନିୟନ୍ତ୍ରଣ କରିପାରୁ ନଥିବା ଗୋଟିଏ ସରକାରଙ୍କୁ ସମର୍ଥନ କରି ସେ ଅନୁତାପ କରୁଥିବା କହିଛନ୍ତି।

ଚିରାଗ କହିଛନ୍ତି, “ବିହାରରେ ଯେଉଁଭଳି ଅପରାଧ ଘଟୁଛି, ତା’କୁ ଦେଖି ଲାଗୁଛି ଯେ ପ୍ରଶାସନ ଅପରାଧୀଙ୍କ ସାମ୍ନାରେ ମୁଣ୍ଡ ନୁଆଁଇ ଦେଇଛି। ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ। କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି ଯେ ଏପରି ଘଟଣା କାହିଁକି ବାରମ୍ବାର ଘଟୁଛି? ଉପଯୁକ୍ତ ପଦକ୍ଷେପ ନେବାକୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି।”