ଗୋ-ସୁରକ୍ଷା ଓ ଗୋ-ଅର୍ଥନୀତି
ଅନାଦି କାଳରୁ ଗୋମାତା ସହିତ ଭାରତୀୟମାନଙ୍କର ଆଧ୍ୟାତ୍ମିକ ଚିନ୍ତନ ଯୋଡ଼ି ହୋଇ ରହିଛି। ମାନବର ଶ୍ରେଷ୍ଠ ପୂଜା ଗୋମାତା ସେବା। ଗୋମାତା ଜଗତର ଜନନୀ, ସର୍ବବେଦମୟୀ, ସର୍ବଦେବମୟୀ। ଶାସ୍ତ୍ରାନୁଯାୟୀ ଗୋମାତାଙ୍କର ପୃଷ୍ଠରେ ବ୍ରହ୍ମା, ଗଳାରେ ବିଷ୍ଣୁ, ମୁଖରେ ରୁଦ୍ର, ଶରୀରରେ ସମସ୍ତ ଦେବତା, ଲୋମକୂପରେ ସମସ୍ତ ବୈଦିକ ମହର୍ଷି, ଲାଞ୍ଜରେ ନାଗଦେବତା, ଖୁରାରେ ଅଷ୍ଟକୂଳାଚଳ, ମୂତ୍ରରେ ଗଙ୍ଗା, ଦୁଇ ଆଖିରେ ଚନ୍ଦ୍ର ଓ ସୂର୍ଯ୍ୟ ବିରାଜମାନ କରିଥା’ନ୍ତି। ଏଥିରୁ ହିନ୍ଦୁଧର୍ମ ଧାରଣାରେ ଗୋମାତାଙ୍କ ସ୍ଥାନ ଅନୁମେୟ। ଏବେ […]

ଅନାଦି କାଳରୁ ଗୋମାତା ସହିତ ଭାରତୀୟମାନଙ୍କର ଆଧ୍ୟାତ୍ମିକ ଚିନ୍ତନ ଯୋଡ଼ି ହୋଇ ରହିଛି। ମାନବର ଶ୍ରେଷ୍ଠ ପୂଜା ଗୋମାତା ସେବା। ଗୋମାତା ଜଗତର ଜନନୀ, ସର୍ବବେଦମୟୀ, ସର୍ବଦେବମୟୀ। ଶାସ୍ତ୍ରାନୁଯାୟୀ ଗୋମାତାଙ୍କର ପୃଷ୍ଠରେ ବ୍ରହ୍ମା, ଗଳାରେ ବିଷ୍ଣୁ, ମୁଖରେ ରୁଦ୍ର, ଶରୀରରେ ସମସ୍ତ ଦେବତା, ଲୋମକୂପରେ ସମସ୍ତ ବୈଦିକ ମହର୍ଷି, ଲାଞ୍ଜରେ ନାଗଦେବତା, ଖୁରାରେ ଅଷ୍ଟକୂଳାଚଳ, ମୂତ୍ରରେ ଗଙ୍ଗା, ଦୁଇ ଆଖିରେ ଚନ୍ଦ୍ର ଓ ସୂର୍ଯ୍ୟ ବିରାଜମାନ କରିଥା’ନ୍ତି। ଏଥିରୁ ହିନ୍ଦୁଧର୍ମ ଧାରଣାରେ ଗୋମାତାଙ୍କ ସ୍ଥାନ ଅନୁମେୟ।
ଏବେ କିନ୍ତୁ ଗୋସମ୍ପଦର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉ ଗୋମାତା ଜୀବନସାରା ଅମୃତ ତୁଲ୍ୟ କ୍ଷୀର ଦେଇ ଆମର ପୁଷ୍ଟିବର୍ଦ୍ଧନ କଲା, ବୁଢ଼ୀ ହେଲା ପରେ ଅର୍ଥଲୋଭରେ କଂସେଇଖାନାକୁ ପଠାଇ ଦିଆଗଲା। ଆଧୁନିକତା ଆଳରେ କୁକୁର ପାଳିବାକୁ ସମସ୍ତେ ଇଚ୍ଛୁକ। ହଜାର ହଜାର ଟଙ୍କା କୁକୁର ପାଇଁ ଖର୍ଚ୍ଚ କରାଯାଉଛି। ଖଟ ଉପରେ କୁକୁର ଶୋଉଛି। ମାତ୍ର ଗୋମାତା ରାତିଅଧରେ ରାସ୍ତାରେ ବୁଲି ଟ୍ରକ୍ ଚାପାରେ ଜୀବନ ଯାଉଛି। ରାସ୍ତାକଡ଼ରେ ଅଖାଦ୍ୟ ଖାଇ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡ଼ୁଛି। ମାଲିକମାନେ ଗୋରୁଗାଈଙ୍କଠାରୁ ଉପକାର ଶୋଷି ନେଇ ସିଠା ଭଳି ସେମାନଙ୍କୁ ପରିତ୍ୟାଗ କରିବା ଅତ୍ୟନ୍ତ ଅନୈତିକ। ଉଦୁଉଦିଆ ଖରାବେଳେ ରାସ୍ତାପାର୍ଶ୍ବ ବିଲରେ ଗାଈକୁ ଖୁଣ୍ଟ ପୋତି ବନ୍ଧା ଯାଇଥିବ। ତା’କୁ ଶୋଷ ଲାଗୁଥିବ, ଅଥଚ ପାଣି ଟୋପେ ମଧ୍ୟ ପାଉ ନଥିବ।
ଜର୍ମାନ୍ ବୈଜ୍ଞାନିକ ଡ. ଜୋସିସ୍ ବେଲଟି ତାଙ୍କ ଲିଖିତ ପୁସ୍ତକରେ ଅତି ମହତ୍ବପୂର୍ଣ୍ଣ କଥା କହିଛନ୍ତି। ତାଙ୍କ ମତରେ ଭାରତର ଗ୍ରାମାଞ୍ଚଳର ପଶୁଧନ ଲୋପ ପାଇଗଲେ ପ୍ରାୟ ୧୦ ରୁ ୨୦ କୋଟି ଲୋକ ସହରକୁ ପଳାୟନ କରିବେ। ତେଣୁ ପ୍ରତ୍ୟେକ ପ୍ରାନ୍ତରେ, ବ୍ଲକ୍ ସ୍ତରରେ, ଜିଲ୍ଲାରେ ଗୋମାତା ପରିକ୍ଷଣ କେନ୍ଦ୍ରମାନ ପ୍ରତିଷ୍ଠା ହେବା ଆବଶ୍ୟକ। ସେଠାରେ ଗୋପାଳନ, ଗୋସମ୍ବର୍ଦ୍ଧନା, ଗୋଚିକିତ୍ସା, ଗୋଶକ୍ତି, ପଞ୍ଚଗବ୍ୟରୁ ଭିନ୍ନ ଭିନ୍ନ ଉତ୍ପାଦନ ପ୍ରସ୍ତୁତ, ପଞ୍ଚଗବ୍ୟ ଦ୍ବାରା ଚିକିତ୍ସା, ପଞ୍ଚଗବ୍ୟ ଉତ୍ପାଦନଗୁଡ଼ିକର ବିକ୍ରୟ, ଗୋରକ୍ଷା, ଗୋକଥାର ଆୟୋଜନ, ଗୋବିଜ୍ଞାନ ପରୀକ୍ଷା ବିଷୟଗୁଡ଼ିକର ପ୍ରଶିକ୍ଷଣ ଦେବା ବ୍ୟବସ୍ଥା ରହିଲେ ସମାଜର ପ୍ରତିଟି ବ୍ୟକ୍ତି ଗାଈର ଉପାଦେୟତା ସମ୍ପର୍କରେ ଅବଗତ ହୋଇପାରିବେ। ଯୁଗଯୁଗ ଧରି ଗୋମାତା ମନୁଷ୍ୟର ଆର୍ଥିକ, ଶାରୀରିକ ଓ ଆଧ୍ୟାତ୍ମିକ ବିକାଶରେ ସାହାଯ୍ୟ କରିଆସିଛି। ନିଜର କୋଡ଼ିଏ ବର୍ଷ ଜୀବନକାଳ ଭିତରେ ଗୋଟିଏ ଗାଈ ମନୁଷ୍ୟକୁ କ୍ଷୀର ଓ ଅନେକ କିସମର ଗୋଉତ୍ପାଦ ପ୍ରଦାନ କରିଥାଏ।
ଗାଈ କ୍ଷୀରରେ ଭିଟାମିନ୍ – ଏ, ବି, ସି, ଡି, ଇ ର ଉପଯୁକ୍ତ ପରିମାଣ ରହିଥିବା ହେତୁ ଏହା ପାନକଲେ ଶରୀର ଶକ୍ତିଶାଳୀ ହୁଏ। ଶିଶୁଟି ଜନ୍ମ ହେଲେ ଜାତକର୍ମ ସଂସ୍କାର ସମୟରେ ସୁନାର କାଠିରେ ମହୁ, ଘିଅ ଶିଶୁକୁ ଚଟାଇଲେ ପିଲାର ସ୍ୱର ମଧୁର ହେବା ସହିତ ସ୍ମୃତିଶକ୍ତିର ବିକାଶ ହୋଇଥାଏ। ଗାଈର ଲହୁଣୀ ମଧ୍ୟ ହିତକାରୀ, ବଳବର୍ଦ୍ଧକ ଏବଂ ବାତ, ପିତ୍ତ ଓ ରକ୍ତ ବିକାରକ୍ଷୟ, ମଳକଣ୍ଟକ, ପକ୍ଷାଘାତ ଆରୋଗ୍ୟକାରକ। ଗୋମୂତ୍ର, ହୃଦରୋଗ, ଶ୍ବାସ, ପ୍ରମେହ, ମଧୁମେହ, ଅଜୀର୍ଣ୍ଣ ଏବଂ ଜଳୋଦର ରୋଗ ପାଇଁ ଅବ୍ୟର୍ଥ। ଲକ୍ଷ୍ନୌସ୍ଥିତ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚରେ ଗୋମୂତ୍ରରେ କର୍କଟ ଓ ଅନ୍ୟାନ୍ୟ ରୋଗର ଚିକିତ୍ସା ସମ୍ଭବ ବୋଲି ପ୍ରମାଣିତ ହୋଇଛି। ରଘୁଂବଂଶରେ ଗୋମାତା ନନ୍ଦିନୀଙ୍କର ମୂତ୍ରରେ ରାଜା ରଘୁ ଦିବ୍ୟଦୃଷ୍ଟି ପାଇଥିବା କଥା କୁହାଯାଇଛି। ବୈଜ୍ଞାନିକମାନେ ଗୋବରରେ ଷୋହଳ ପ୍ରକାର ଏବଂ ଗୋମୂତ୍ରରେ ଚବିଶ ପ୍ରକାର ଖଣିଜ ତତ୍ତ୍ବ ଲବଣ ରସାୟନ ଥିବା କହିଛନ୍ତି, ଯାହାକି କୃଷି କାର୍ଯ୍ୟ ପାଇଁ ଅସୀମ ଲାଭପ୍ରଦ।
ଗୁଜୁରାଟ ଭଳି ସବୁ ରାଜ୍ୟରେ ଗୋଅଭୟାରଣ୍ୟର ଆବଶ୍ୟକତା ରହିଛି। ଓଡ଼ିଶାରେ ବିଂଝାରପୁରୀ, ଘୁମୁସୁରି, ଖରିଆର ଓ ମୋଟୁ ଆଦି ଅଞ୍ଚଳରେ ଥିବା ଦେଶୀ ଗାଈଗୁଡ଼ିକର ଯଦି ଉପଯୁକ୍ତ ଯତ୍ନ ନିଆଯା’ନ୍ତା ସେମାନେ ଅଧିକ କ୍ଷୀର ଦିଅନ୍ତେ। ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ପୁଙ୍ଗୁନୁର ଗାଈ ଆକାରରେ ଛୋଟ ଦେଖାଯା’ନ୍ତି। ଏମାନେ ଦିନକୁ ୪ଲିଟର ଯାଏ କ୍ଷୀର ଦେଇଥା’ନ୍ତି। ଓଡ଼ିଶାର ଗୋପାଳକମାନେ ଏହାକୁ ପାଳି ମଧ୍ୟ ଲାଭବାନ ହୋଇପାରିବେ। ଓଡ଼ିଶାର ଗୋଧନର ବିକାଶ ହେଲେ ରାଜ୍ୟର ଆର୍ଥିକ ଓ ସାମୂହିକ ବିକାଶରେ ସହାୟକ ହେବ। ଗୋପାଳନ ପାଇଁ ଉତ୍ତମ ଗୋଖାଦ୍ୟ ଉପରେ ଗୁରୁତ୍ବ ଦିଆଯିବା ଜରୁରୀ। ସବୁଜ ଘାସ ସକାଶେ ନିର୍ଦ୍ଦିଷ୍ଟ ଭାବେ ଘାସ ଚାଷକୁ ପ୍ରୋତ୍ସାହନ କରାଯିବା ଉଚିତ୍ ଏବଂ ତା’ ସହିତ ଗୋଖାଦ୍ୟରେ ମକା, ଗହମ, ବାଜରା, ସାଇଲେଜ (ମକା ଆଚାର), ବାଦାମ, ପିଡ଼ିଆ, ସୋରିଷ ପିଡ଼ିଆ, ମୁଗଚୁନି ଇତ୍ୟାଦି ଅନ୍ତର୍ଭୁକ୍ତ ହେବା ଜରୁରୀ। ପିଡିଏସ୍ ବ୍ୟବସ୍ଥାରେ ଚାଉଳ ଯୋଗାଇ ଦିଆଯାଉଥିବା ଭଳି ଗୋଖାଦ୍ୟକୁ ଅତି ସୁବିଧା ଦରରେ ଯୋଗାଇ ଦିଆଯିବା ଉଚିତ୍। ମକାଗଜା କାରଖାନା ସ୍ମୃତିରେଖା ମହାକୁଡ଼ବସାଇବାକୁ ବା ଘାସ ଚାଷ କରିବାରେ ରିହାତି ବ୍ୟବସ୍ଥା ମିଳିବା ଆବଶ୍ୟକ। ଛତିଶଗଡ଼ରେ ଏକ ସରକାରୀ ଯୋଜନା ଭାବେ କ୍ଷୀର, ମୂତ୍ର ଓ ଗୋବରକୁ ଉଚ୍ଚ ଦାମରେ କିଣାଯାଉଛି। ଆମ ରାଜ୍ୟ ସରକାର ମଧ୍ୟ ସେଭଳି କିଛି ପଦକ୍ଷେପ ନେଲେ ଚାଷୀ ଅଧିକ ଲାଭପ୍ରଦ ହୁଅନ୍ତା।
ଗୋଚେତନା ଆମ ହୃଦୟରେ ଭକ୍ତି ଓ ମନରେ କର୍ମପ୍ରବୃତ୍ତି ସୃଷ୍ଟି କରୁ। ଗୋସେବାରେ ନିଜକୁ ନିୟୋଜିତ ପାଇଁ ପ୍ରତିଜ୍ଞାବଦ୍ଧ ହେବା। ଗୋମାତା ସେବା ଜଗତର ସେବା। ସେବା ଅର୍ଥ ନୁହେଁ ଚନ୍ଦନ, ତୁଳସୀ ଦେଇ ପୂଜା କରିବା। ଦୁସ୍ଥ ଗୋମାତାଟିଏ ଯେଉଠି ଦେଖିବା ତା’ର ଯତ୍ନ ନେବା, ସୁରକ୍ଷା ଦେବା। ରାସ୍ତାରେ ବୁଲୁଥିବା ଗୋରୁଗାଈମାନଙ୍କୁ ଗୋଶାଳାରେ ରଖିବାର ବ୍ୟବସ୍ଥା କରିବା। ଗୋ-ଆଧାରିତ ଜୈବିକ କୃଷିକାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିବା। ଆମ ସରକାର ଗୋରକ୍ଷା ଆଇନର ସଂଶୋଧନ କରି ଅପରାଧର ଦଣ୍ଡକୁ ଅଧିକ କଠୋର କରିବା ଆବଶ୍ୟକ। ଦେଶକୁ ରୋଗରୁ ବଞ୍ଚେଇବାକୁ ଏବଂ ସାତ୍ତ୍ବିକ ବିଚାରଧାରା ସଞ୍ଚାର କରିବା ପାଇଁ ଭାରତୀୟ ଗୋବଂଶର ସଂରକ୍ଷଣ କରିବାକୁ ପଡ଼ିବ। ନଚେତ୍ ମରିସସ୍ ଭୂଇଁରୁ ଡୋଡୋର ବଂଶ ଲୋପ ପାଇ କାଲ୍ଭେରିଆ କାନ୍ଦିଲା ପରି ଗୋମାତାର ଆଖି ଲୁହରେ ଅଭିଶପ୍ତ ପାଲଟିଯିବା।
ସ୍ମୃତିରେଖା ମହାକୁଡ
ବାସୁଦେବପୁର(ଭଦ୍ରକ) , ମୋ: ୯୧୨୪୮୦୦୯୯୬