ଗୋଟି ପହଣ୍ଡି ବେଳେ ହାମୁଡେଇ ପଡ଼ିଲେ ବଡ଼ ଠାକୁର
ଆଜି ସନ୍ଧ୍ୟା ବେଳେ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ବେଳେ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର। ପରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇଥିଲେ।
ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ପହଣ୍ଡିରେ ସାମିଲ ହୋଇଥିବା କେତେକ ସେବାୟତ ଆହତ ହୋଇଛି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
ଆଜି ସନ୍ଧ୍ୟା ବେଳେ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ଘଣ୍ଟୁଆଙ୍କ ଘଣ୍ଟ ମାଡ଼ର ତାଳେ ତାଳେ ସେବାୟତମାନେ ଗୋଟି ପହଣ୍ଡିରେ ବଡ଼ ଠାକୁରଙ୍କୁ ନେଇଯାଉଥିଲେ। ହେଲେ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର। ବହୁ କଷ୍ଟରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ। ହେଲେ ନିଜକୁ ଆଉ ସମ୍ଭାଳି ପାରିନଥିଲେ। ସେମାନେ ରଥ ତଳକୁ ଖସି ପଡ଼ିଥିଲେ। ଯାହାଫଳରେ ୭ରୁ ଅଧିକ ସେବାୟତ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଭିତରୁ ଅଧିକାଂଶଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଛି। ସେବାୟତଙ୍କ ହାଲ୍କା ମନୋଭାବ ପାଇଁ ଏପରି ଘଟିଥିବା ଚର୍ଚ୍ଚା ହେଉଛି।
ସେପଟେ କିଛି ସମୟର ବ୍ରେକ୍ ପରେ ପୁଣି ଥରେ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ସେବାୟତମାନେ ବଡ଼ ଠାକୁରଙ୍କୁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ନେଇଯାଇଥିଲେ। ତା’ପରେ ଆରମ୍ଭ ହୋଇଥିଲା ସୁଭଦ୍ରାଙ୍କ ଗୋଟି ପହଣ୍ଡି। ସେବାୟତମାନେ ଅତି ଶୃଙ୍ଖଳିତ ଭାବେ ସୁଭଦ୍ରଙ୍କୁ ଗୁଣ୍ଡିଚା ମନ୍ଦିର ଭିତରକୁ ନେଇଯାଇଥିଲେ। ଶେଷରେ କାଳିଆ ସାଆଁନ୍ତ ଆସିଥିଲେ।
ସୂଚନାରୁ ପ୍ରକାଶ,ଗତବର୍ଷ ମହାପ୍ରଭୁ ଜଗନ୍ନାଥ ଚାରମାଳ ଉପରେ ଗୋଟିଏ ପାର୍ଶ୍ୱକୁ ନଇଁ ପଡ଼ିଥିଲେ। ଯେଉଁଥିପାଇଁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେତେବେଳେ ଏହାକୁ ନେଇ ବହୁ ଚର୍ଚ୍ଚା ହେଉଥିଲା।