ଘଣ୍ଟା ଚୋରି ଅଭିଯୋଗରେ ମାଦ୍ରାସା ଛାତ୍ରଙ୍କୁ ଛେପ ଛାଟିଲେ, ମାଡ଼ ମାରିଲେ
ଛାତ୍ର ଜଣକ ଏକ ୧୦୦ ଟଙ୍କା ମୂଲ୍ୟର ଘଣ୍ଟା ଚୋରି କରିଥିବା ଅଭିଯୋଗ ହୋଇଥିଲା।
ଜଣେ ୧୬ ବର୍ଷର ଛାତ୍ରଙ୍କ ଭୁଲ୍ ପାଇଁ ଶିକ୍ଷକ ନୁହନ୍ତି, ବରଂ ସହପାଠୀଙ୍କ ଦ୍ୱାରା ଦଣ୍ଡିତ କରାଯାଇଛି। ଛାତ୍ର ଜଣକ ଏକ ୧୦୦ ଟଙ୍କା ମୂଲ୍ୟର ଘଣ୍ଟା ଚୋରି କରିଥିବା ଅଭିଯୋଗରେ ମାଦ୍ରାସାର ଧର୍ମଗୁରୁ ଏପରି ଦଣ୍ଡ ବ୍ୟବସ୍ଥା ବାଛିଥିଲେ, ଯାହା ସାମାଜିକ ନିୟମର ବ୍ୟତିରେକ।
କାରଣ ସମ୍ପୃକ୍ତ ଛାତ୍ରଙ୍କ ଉପରକୁ ତାଙ୍କ ସହପାଠୀଙ୍କୁ ଛେପ ପକାଇବାକୁ କୁହାଯାଇଥିଲା ଏବଂ ସେମାନେ ମଧ୍ୟ ଏପରି କରିଥିଲେ। ଏଥିସହ ତାଙ୍କୁ ନିସ୍ତୁକ ମାଡ଼ ମଧ୍ୟ ମରାଯାଇଥିଲା। ଏପରି ଏକ ଘଟଣା ମହାରାଷ୍ଟ୍ରର ଏକ ମାଦ୍ରାସାରେ ଦେଖିବାକୁ ମିଳୁଛି।
ଛାତ୍ର ଜଣକ ଗୁଜରାଟର ସୁରଟ ଅଞ୍ଚଳର। ସେ ଔରଙ୍ଗାବଦ, ଯାହାକୁ ବର୍ତ୍ତମାନ ଛତ୍ରପତି ସାମ୍ଭାଜି ନଗର କୁହାଯାଉଛି, ଏହି ଅଞ୍ଚଳରେ ଥିବା ଜାମିଆ ବୁରହନୁଲ ଉଲୁମ ମାଦ୍ରାସାର ପାଠ ପଢନ୍ତି। ସେ ନିକଟରେ ଥିବା ଏକ ଦୋକାନରୁ ସ୍ୱୟଂଚାଳିତ ଘଣ୍ଟା ଚୋରି କରିଥିବା ଅଭିଯୋଗ ହୋଇଥିଲା। ଚୋରି ସମୟର ସିସିଟିଭି ଫୁଟେଜ ପ୍ରମାଣ ନେଇ ମାଦ୍ରାସା ଧର୍ମଗୁରୁଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ ଦୋକାନୀ।
ମାମଲାକୁ ବୁଝିବା ପରେ ମାଦ୍ରାସାରେ ଥିବା ଧର୍ମଗୁରୁ ସୟଦ ଓମାର ଅଲି ଛାତ୍ରଙ୍କୁ ଅତି ନିର୍ମମ ଭାବେ ଦଣ୍ଡିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଣ୍ଡ ସ୍ୱରୂପ ସେ ସମ୍ପୃକ୍ତ ଛାତ୍ରଙ୍କ ସହପାଠୀଙ୍କୁ ତାଙ୍କ ଉପରକୁ ଛେପ ପକାଇବାକୁ କହିଥିଲେ, ଏଥିସହ ମାଡ଼ ମାରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରମାନେ ମଧ୍ୟ ଠିକ୍ ଏହିପରି କରିଥିଲେ।
ଛାତ୍ରଙ୍କୁ ଦଣ୍ଡିତ କରାଯାଉଥିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଶେଷରେ ଏହି ଫୁଟେଜ ଛାତ୍ରଙ୍କ ପରିବାର ବର୍ଗଙ୍କ ହାତରେ ଲାଗିବା ପରେ ସେମାନେ ଏନେଇ ପୁଲିସରେ ଖବର ଦେଇଥିଲେ। ପୁଲିସ ନବାଳକ ସୁରକ୍ଷା ଆଇନ ଅନୁସାରେ ସୟଦ ଓମାର ଅଲିଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।