ଘମାଘୋଟ ଲଢ଼େଇ: ଇରାନରେ ୫୮୫ ଓ ଇସ୍ରାଏଲର ୨୪ ଜଣଙ୍କ ଜୀବନ ଗଲାଣି
ଇରାନ ତେଲ ଅଭିଭକୁ ଟାର୍ଗେଟ କରି ୪୦୦ରୁ ଅଧିକ ମିସାଇଲ ଓ ଶତାଧିକ ଡ୍ରୋନ ମାଡ଼ କରି ସାରିଲାଣି। ଇସ୍ରାଏଲର ୪୦ଟି ସ୍ଥାନରେ ଏହା ମଧ୍ୟରୁ ଅଧିକାଂଶ ମିସାଇଲ ଓ ଡ୍ରୋନ ମଧ୍ୟ ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି କରିଛି।
ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ବିବାଦ ବୁଧବାର ଆହୁରି ତୀବ୍ର ହୋଇଛି। ଏହାକୁ ମିଶାଇ ୬ ଦିନ ହେଲା ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଲଢ଼େଇ ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ଯାଇଛି। କେହି କାହାରିକୁ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି। ଉଭୟ ଦେଶ ପରସ୍ପର ଉପରେ ମିସାଇଲ ଓ ଡ୍ରୋନ ଦ୍ୱାରା ଆକ୍ରମଣ କରୁଛନ୍ତି।
ଏହି ୬ ଦିନର ଲଢ଼େଇରେ ଇରାନ ପକ୍ଷରୁ ପ୍ରଥମଥର ପାଇଁ ଫତା-୧ ହାଇପରସୋନିକ ମିସାଇଲ ମଧ୍ୟ ମାଡ଼ କରାଯାଇଛି। ବୁଧବାର ସକାଳେ ଇରାନର ଘନଘନ ମିସାଇଲ ମାଡ଼ରେ ତେଲ ଅଭିଭ ଥରି ଉଠିଛି। ସେହିପରି ଏହାର ଜବାବରେ ଇସ୍ରାଏଲ ମଧ୍ୟ ଇରାନର ରାଜଧାନୀ ତେଲ ଅଭିଭ ନିକଟରେ ଏୟାର ଷ୍ଟ୍ରାଇକ କରିଛି।
ଏସବୁ ଭିତରେ ଚର୍ଚ୍ଚା ହେଉଛି ଯେ ଆମେରିକା ସେନା ଇସ୍ରାଏଲକୁ ସହାୟତା କରିବା ପାଇଁ ଇରାନ ବିରୋଧରେ ଅଭିଯାନ ଆରମ୍ଭ କରିବ। ବିଶେଷ କରି ଇରାନର ଆଣବିକ ଠିକଣା ଗୁଡ଼ିକୁ ସଂପୂର୍ଣ୍ଣ ଭାବେ ମାଟିରେ ମିଶାଇବାକୁ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଅଭିଯାନ ଆରମ୍ଭ କରିବେ। ଏଥିପାଇଁ ଆମେରିକା ପକ୍ଷରୁ ଅନେକ ଯୁଦ୍ଧ ବିମାନକୁ ମଧ୍ୟପ୍ରାଚ୍ୟରେ ମୁତୟନ କରାଯାଇଛି।
ଶୁକ୍ରବାର ଠାରୁ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇସ୍ରାଏଲ କରୁଥିବା ଆକ୍ରମଣରେ ୫୮୫ ଜଣ ଇରାନରେ ପ୍ରାଣ ହରାଇଥିବା ବେଳେ ୧୩୨୬ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଇରାନର ସାମରିକ ଅଧିକାରୀ, ଆଣବିକ ଠିକଣାରେ କାମ କରୁଥିବା ବୈଜ୍ଞାନିକ, ସାଧାରଣ ଲୋକ ଓ ଛୋଟ ପିଲା ରହିଛନ୍ତି।
ସେହିପରି ଇରାନ କରିଥିବା ଆକ୍ରମଣରେ ଇସ୍ରାଏଲରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦୦ରୁ ଅଧିକ ଲୋକ ଆହତ ହୋଇଥିବା ତେଲ ଅଭିଭ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଇସ୍ରାଏଲ ଆରମ୍ଭ କରିବା ଦିନ ଠାରୁ ଇରାନ ତେଲ ଅଭିଭକୁ ଟାର୍ଗେଟ କରି ୪୦୦ରୁ ଅଧିକ ମିସାଇଲ ଓ ଶତାଧିକ ଡ୍ରୋନ ମାଡ଼ କରି ସାରିଲାଣି। ଇସ୍ରାଏଲର ୪୦ଟି ସ୍ଥାନରେ ଏହା ମଧ୍ୟରୁ ଅଧିକାଂଶ ମିସାଇଲ ଓ ଡ୍ରୋନ ମଧ୍ୟ ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି କରିଛି। ଇରାନର ଘନଘନ ଏୟାର ଷ୍ଟ୍ରାଇକ ଯୋଗୁ ୩,୮୦୦ ଜଣ ଲୋକଙ୍କୁ ଇସ୍ରାଏଲ ସରକାର ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି।