ଘରକୁ ଫେରିଲେ ଆର୍ ଅଶ୍ୱିନ୍‌, କୋଳେଇ ନେଲେ ବାପା

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣାର ଦିନକ ପରେ ଭାରତ ଫେରିଛନ୍ତି ରବିଚନ୍ଦ୍ରନ୍‌ ଅଶ୍ୱିନ୍। ସେ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

ଘରକୁ ଫେରିଲେ ଆର୍ ଅଶ୍ୱିନ୍‌, କୋଳେଇ ନେଲେ ବାପା

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣାର ଦିନକ ପରେ ଭାରତ ଫେରିଛନ୍ତି ସ୍ପିନ୍‌ ଲିଜେଣ୍ଡ ରବିଚନ୍ଦ୍ରନ୍‌ ଅଶ୍ୱିନ୍। ସେ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପୂର୍ବତନ ଭାରତୀୟ ସ୍ପିନରଙ୍କୁ ସ୍ୱାଗତ କରିବାକୁ ପ୍ରଶଂସକ, ପରିବାର ଏବଂ ଶୁଭେଚ୍ଛୁମାନେ ଏକତ୍ରିତ ହୋଇଥିଲେ। ଏହି ସମୟରେ ଅଶ୍ୱିନ୍‌ଙ୍କ ବାପା ତାଙ୍କୁ କୋଳେଇ ନେଇଥିଲେ।

ଅଶ୍ୱିନ୍‌ଙ୍କୁ ଦେଖି ତାଙ୍କ ବାପା ଭାବୁକ ହୋଇ ପଡିଥିଲେ। ସେ ତାଙ୍କୁ ଆଲିଙ୍ଗନ କରିବା ସହ ଚୁମ୍ବନ ଦେଇ ଅଭିବାଦନ ଜଣାଇଥିଲେ। ସେହିପରି ଅଶ୍ୱିନ୍‌ ଘରକୁ ଫେରିବା ପରେ ତାଙ୍କ ମା' କାନ୍ଦି ପକାଇଛନ୍ତି। ଏହି ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛ। ଚେନ୍ନାଇ ସ୍ଥିତ ତାଙ୍କ ଘରେ ପହଞ୍ଚିବା ପରେ ଅଶ୍ୱିନ୍‌ଙ୍କୁ ପାରମ୍ପରିକ ଢ଼ଙ୍ଗରେ ସ୍ୱାଗତ କରାଯାଇଛି।

ଡ୍ରମ୍‌ ଓ ବାଜା ବଜାଇ ତାଙ୍କ ଫୁଲ ମାଳ ପକାଇ ତାଙ୍କୁ ଘରକୁ ପାଛୋଟି ନେଇଛନ୍ତି ଲୋକେ। ଡ୍ରମ୍‌ ବାଦ୍ୟ ଓ ଫୁଲ ବର୍ଷଣ ମଧ୍ୟରେ ଅଶ୍ୱିନଙ୍କ ବାପାଙ୍କ ସୁନ୍ଦର ଅଭିବାଦନ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି।

ବ୍ରିସବେନରେ ଅଷ୍ଟ୍ରେଲିଆ-ଭାରତ ମୁକାବିଲା ପରେ ଅଶ୍ୱିନ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ନିଜର ଅବସର ଘୋଷଣା କରିଥିଲେ। ତେବେ ଆଜି ଘରକୁ ଫେରି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ସେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସହିତ ନିଜର ଆଇପିଏଲ୍ କ୍ୟାରିୟର ଜାରି ରଖିବାକୁ ଯୋଜନା କରିଛନ୍ତି।

ଏହା ଅନେକ ଲୋକଙ୍କ ପାଇଁ ଭାବପ୍ରବଣ ମୁହୂର୍ତ୍ତ ଅଟେ। କିନ୍ତୁ ମୋ ପାଇଁ ଏହା ଏକ ଆରାମ ଏବଂ ସନ୍ତୋଷର ଏକ ବଡ଼ ଅନୁଭବ ବୋଲି ଅଶ୍ୱିନ କହିଛନ୍ତି। ସେ ସିଏସ୍‌କେ ପାଇଁ ଯେତେ ଦିନ ପର୍ଯ୍ୟନ୍ତ ପାରିବେ ଖେଳିବେ ବୋଲି କହିବା ସହ ତାଙ୍କ ସମୟ ସରିନାହିଁ, ବରଂ ଆରମ୍ଭ ହୋଇଛି ବୋଲି ଅଶ୍ୱିନ୍‌ କହିଛନ୍ତି।

୩୮ ବର୍ଷୀୟ ଅଶ୍ୱିନ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସବୁଠାରୁ ଅଧିକ ୱିକେଟ ଦଖଲକାରୀ ଖେଳାଳି। ସେ ଟେଷ୍ଟ କ୍ରିକେଟରେ ଦେଶ ପାଇଁ ୫୩୭ଟି ୱିକେଟ ନେଇଛନ୍ତି। ତାଲିକାରେ ୬୧୯ ୱିକେଟ ସହ ଅନୀଲ କୁମ୍ବଲେ ୧ନଂରେ ରହିଛନ୍ତି।