ଘରେ ଖାଇବେ ବୋଲି ମା’ଙ୍କୁ ଫୋନ୍ କରି କହିଲେ ଡାକ୍ତର, କିନ୍ତୁ ସମୁଦ୍ରକୁ ଡେଇଁ ପଡ଼ିଲେ

ଡାକ୍ତରଙ୍କ ପତ୍ତା ମିଳିନଥିବା ବେଳେ ସେ ପ୍ରାୟ ମାସେ ହେଲା ମାନସିକ ଚାପରେ ରହୁଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଘରେ ଖାଇବେ ବୋଲି ମା’ଙ୍କୁ ଫୋନ୍ କରି କହିଲେ ଡାକ୍ତର, କିନ୍ତୁ ସମୁଦ୍ରକୁ ଡେଇଁ ପଡ଼ିଲେ

ଡ୍ୟୁଟି ସାରି ଡାକ୍ତରଖାନାରୁ ବାହାରିବା ପରେ ମା’ଙ୍କୁ ଫୋନ୍ କରିଥିଲେ ଡାକ୍ତର ଓମକାର କବିତକେ। ଘରେ ରାତ୍ରଭୋଜନ କରିବେ ବୋଲି କହିଥିଲେ। କିନ୍ତୁ ଘରକୁ ନଯାଇ ମୁମ୍ବାଇ-ନାଭି ମୁମ୍ବାଇକୁ ସଂଯୋଗ କରୁଥିବା ଅଟଳ ସେତୁ (ମୁମ୍ବାଇ ଟ୍ରାନ୍ସ ହାରବୋର ଲିଙ୍କ୍)ରେ କାର ଓ ଫୋନ୍ ରଖି ସମୁଦ୍ରକୁ ଡେଇଁପଡ଼ିଥିଲେ ସେ। ଜୁଲାଇ ୭ ତାରିଖ ଏହି ଘଟଣା ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କୁ ଖୋଜି ବାହାର କରାଯାଇପାରିନି।

୩୨ ବର୍ଷୀୟ ଡାକ୍ତର ଓମକାର କବିତକେ ମୁମ୍ବାଇର ଜେଜେ ହସ୍‌ପିଟାଲରେ କାର୍ଯ୍ୟ କରୁଥିଲେ। ସେଦିନ ସନ୍ଧ୍ୟାରେ ସେ ତାଙ୍କ ମା’ଙ୍କୁ ଫୋନ୍ କରିଥିଲେ। କହିଥିଲେ, ସେ ବାଟରେ ଅଛନ୍ତି। ଘରକୁ ଗଲେ ରାତ୍ରଭୋଜନ କରିବେ। ତା’ପରେ ମା’ ପୁଅଙ୍କ ମଧ୍ୟରେ ଆଉ କିଛି କଥାବାର୍ତ୍ତା ହୋଇନାହିଁ।

ରାତି ୯ଟା ୪୩ରେ ପୁଲିସ କଣ୍ଟ୍ରୋଲ ରୁମ୍ ଏକ ଫୋନ୍ କଲ୍ ପାଇଲା। ଜଣେ ବ୍ୟକ୍ତି ଅଟଳ ସେତୁରୁ ସମୁଦ୍ରକୁ ଡେଇଁ ପଡ଼ିଛନ୍ତି ବୋଲି ଫୋନ୍ କରିଥିବା ବ୍ୟକ୍ତି ପୁଲିସକୁ କହିଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା। ଅଟଳ ସେତୁ ଉପରେ ଡାକ୍ତର ଓମକାରଙ୍କ କାର ଥିଲା। କାର ଭିତରେ ତାଙ୍କ ଆଇଫୋନ୍‌ଟି ଥିଲା। ପୁଲିସ୍ କାର ନମ୍ବର ଓ ଫୋନ୍‌କୁ ଯାଞ୍ଚ କରି ପ୍ରଥମେ ତାଙ୍କ ପରିଚୟ ସଂଗ୍ରହ କରିଥିଲା। ଏହା ପରେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରି କାର ଓ ଫୋନ ଓମକାରଙ୍କର ବୋଲି ସ୍ପଷ୍ଟ କରିଥିଲା। ତା’ପରେ ତଟରକ୍ଷା ବାହିନୀ ସହିତ ମିଶି ଡାକ୍ତର ଓମକାରଙ୍କୁ ଖୋଜି ବାହାର କରିବାକୁ ଅପରେସନ ଆରମ୍ଭ କରିଥିଲା ପୁଲିସ। କିନ୍ତୁ ଦୁଇ ଦିନ ହେଲାଣି ତାଙ୍କର ପତ୍ତା ମିଳିପାରିନାହିଁ। 

କାହିଁକି ନେଲେ ଏଭଳି ପଦକ୍ଷେପ

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡାକ୍ତର ଓମକାର କବିତକେ ଆଉ ଜଣେ ଡାକ୍ତରଙ୍କ ସହିତ ରିଲେଶନସିପ୍‌ରେ ଥିଲେ। ଦୁହେଁ ବିବାହ କରିବାକୁ ଯୋଜନା କରିଥିଲେ। କିନ୍ତୁ ଉକ୍ତ ଲେଡି ଡାକ୍ତରଙ୍କ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ। ସେଥିପାଇଁ ପ୍ରାୟ ମାସେ ହେଲା ଡାକ୍ତର ଓମକାର ଡିପ୍ରେସନରେ ଥିଲେ। ଏହି କାରଣରୁ ସେ ଏଭଳି ଏକ ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ପୁଲିସ ଆଶଙ୍କା କରୁଛି।