ଘରେ ଘରେ ଭାଗବତ

ଭୁବନେଶ୍ୱର (ହେମନ୍ତ ନାୟକ): ସମୟ ଥିଲା, ଯେତେବେଳେ ବୋହୂ କରି ଘରକୁ ଆଣିବା ପୂର୍ବରୁ ଶାଶୂ ପଚାରୁଥିଲା ମା’ ଭାଗବତ ପଢିପାରିବୁ ? ଯଦି ଉତ୍ତର ହଁ ଥିଲା, ସେଇଠି ବୋହୂ ବଛା ସରି ଯାଉଥିଲା। କାରଣ ଶାଶୂ ଜାଣୁଥିଲା ବୋହୂଟି ଆସିଲେ ମୋ ପିଲେ ପାଠ ପଢ଼ିପାରିବେ। ଦେଖିବାକୁ ଗଲେ, ନାରୀ ଶିକ୍ଷାର ଅଭାବ ବେଳେ ଭାଗବତ ହିଁ ଶିକ୍ଷା ବିକାଶର ବତୀଘର ଭାବେ ଆମ ସମାଜକୁ ଆଲୋକିତ କରିଥିଲା। ପଞ୍ଚଦଶ ଶତାବ୍ଦୀରେ ରାଜା ପ୍ରତାପରୁଦ୍ର […]

ଘରେ ଘରେ ଭାଗବତ
Bhagabata Tungi in Odisha

ଭୁବନେଶ୍ୱର (ହେମନ୍ତ ନାୟକ): ସମୟ ଥିଲା, ଯେତେବେଳେ ବୋହୂ କରି ଘରକୁ ଆଣିବା ପୂର୍ବରୁ ଶାଶୂ ପଚାରୁଥିଲା ମା’ ଭାଗବତ ପଢିପାରିବୁ ? ଯଦି ଉତ୍ତର ହଁ ଥିଲା, ସେଇଠି ବୋହୂ ବଛା ସରି ଯାଉଥିଲା। କାରଣ ଶାଶୂ ଜାଣୁଥିଲା ବୋହୂଟି ଆସିଲେ ମୋ ପିଲେ ପାଠ ପଢ଼ିପାରିବେ। ଦେଖିବାକୁ ଗଲେ, ନାରୀ ଶିକ୍ଷାର ଅଭାବ ବେଳେ ଭାଗବତ ହିଁ ଶିକ୍ଷା ବିକାଶର ବତୀଘର ଭାବେ ଆମ ସମାଜକୁ ଆଲୋକିତ କରିଥିଲା।

ପଞ୍ଚଦଶ ଶତାବ୍ଦୀରେ ରାଜା ପ୍ରତାପରୁଦ୍ର ଦେବଙ୍କ ସମୟରେ ଅର୍ଥାତ୍‌ ଆଜକୁ ୫୧୫ ବର୍ଷ ତଳେ ଭକ୍ତିଧାରାର ପଞ୍ଚସଖାଙ୍କ ମଧ୍ୟରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡିଆ ଭାଗବତ ଆଜି ବି ଉକ୍ରଳୀୟ ସଂସ୍କୃତି ଓ ଧର୍ମଧାରାକୁ ବଞ୍ଚାଇ ରଖିଛି। ତେବେ ସମୟର ପରିବର୍ତ୍ତନ ସହ ଅପସଂସ୍କୃତି ଓ ପାଶ୍ଚାତ୍ୟ ସଂସ୍କୃତିର ଅନୁପ୍ରବେଶ ଭିତରେ ଭାଗବତ ଟୁଙ୍ଗି ଭାଙ୍ଗିରୁଜି ଯାଉଥିବା ବେଳେ ଓଡିଶା ଯୁବ ଚେତନା ସଙ୍ଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ୨୦୧୮ ମସିହା ପ୍ରାରମ୍ଭରେ ଭେଟିଥିଲେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ସେହିବର୍ଷ ୨୦ ଅକ୍ଟୋବରରେ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ସରକାର ସଂକଳ୍ପବଦ୍ଧ ହୋଇ ବିଜ୍ଞାପନ ଦେଇଥିଲେ।

୨୦୧୯-୨୦ ବଜେଟରେ ସରକାର ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ୨୫ହଜାର ଟଙ୍କାର ବ୍ୟବସ୍ଥା କଲେ, ଯାହା ଚଳିତବର୍ଷ ୧୨ ମାର୍ଚ୍ଚରେ ୫୦ ହଜାରକୁ ବୃଦ୍ଧି ପାଇଥିଲା। ତେବେ ଅବକ୍ଷୟମୁଖି ଧର୍ମଧାରାକୁ ବଞ୍ଚାଇବା ପାଇଁ କେନ୍ଦୁଝର, କେନ୍ଦ୍ରାପଡା, ବାଲେଶ୍ୱର ଓ ଫୁଲବାଣୀରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା ସହ ୯ ବର୍ଷ ତଳେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନବକଳେବର ବର୍ଷ ୨୦୧୫ରେ ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମମାଟି କପିଳେଶ୍ୱରପୁର ଶାସନରୁ ଆରମ୍ଭ ହୋଇଥିଲା ରାଜ୍ୟ ବାହାରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା ଅଭିଯାନ। ଓଡିଶା ଯୁବ ଚେତନା ସଙ୍ଗଠନ ପକ୍ଷରୁ ସଭାପତି ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ନୁଆଦିଲ୍ଲୀର ଢୋଲକୁଅାଁରେ ପ୍ରବାସୀ ଓଡିଆମାନଙ୍କୁ ନେଇ ପ୍ରତିଷ୍ଠା ହୋଇଥିଲା ରାଜ୍ୟ ବାହାରେ ପ୍ରଥମ ଭାଗବତ ଟୁଙ୍ଗି। ପରେ୨୦୧୭ରେ ଜାମ୍ମୁର ଜାମୁତାଇ, ପଞ୍ଜାବର ଅମୃତସର ଓ ରାଜସ୍ଥାନର ଜୟପୁର, ୨୦୧୮ରେ ହରିଆଣାର ରିୱଡି ଓ ହିମାଚଳ ପ୍ରଦେଶର ଖୁସ୍ରୁ ଏବଂ ୨୦୨୨ରେ ଛତିଶଗଡ଼ର ରାୟଗଡରେ ପ୍ରତିଷ୍ଠା ହୋଇଛି ଭାଗବତ ଟୁଙ୍ଗି।

ଗତ ଅଗଷ୍ଟ ମାସରେ ସୁଦୂର ଗୁଜୁରାଟର ସୋମନାଥଠାରେ ପ୍ରତିଷ୍ଠା ହୋଇଛି ରାଜ୍ୟ ବାହାରେ ଅଷ୍ଟମ ଭାଗବତ ଟୁଙ୍ଗି। ପ୍ରତି ରବିବାର ସନ୍ଧ୍ୟାରେ ସେଠାରେ ଶୁଭୁଛି ଭାଗବତର ପଂକ୍ତି। ତେବେ ଓଡିଶାରେ ରାଜ୍ୟ ସରକାରଙ୍କ ଇଛାଶକ୍ତି ସତ୍ତ୍ବେ ପ୍ରଶାସନିକ ସମନ୍ୱୟ ଅଭାବ ଭିତରେ ଅଧିକାଂଶ ଭାଗବତ ଟୁଙ୍ଗି, ଗାଦି ଓ କୋଠଘର, କ୍ଲବ୍‌ ସଭ୍ୟତାକୁ ଆଦରି ନ ନେବା ଦେଖି ଦୁଇବର୍ଷ ତଳୁ ବଦ୍ରି ମିଶ୍ରଙ୍କ ଉଦ୍ୟମରେ ସହର ଓ ଗାଁରେ ଭାଗବତ ଟୁଙ୍ଗିରେ ଆରମ୍ଭ ହୋଇଛି ଘରେ ଘରେ ଭାଗବତ ଓ ଗାଁ ଗାଁରେ ଭାଗବତ। ଘର ଓ ପରିବାରରେ ଆଧ୍ୟାତ୍ମିକ ଜନଜାଗରଣ ପାଇଁ ଭାଗବତ ପାଠ ଯେ ଏକ ଆବଶ୍ୟକତା ଏହି ଲକ୍ଷ୍ୟରେ ସଙ୍ଗଠନ ଭାଗବତ ଟୁଙ୍ଗିକୁ ଅବକ୍ଷୟରୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଛି। ଭାଗବତ ବ୍ୟାସ ବଦ୍ରି ମିଶ୍ର, ପ୍ରବଚିକା ନିର୍ମଳା ଫତେସିଂହ, ପ୍ରଶାନ୍ତ ତ୍ରିପାଠୀ, ଅନ୍ତର୍ଯାମୀ ପଟ୍ଟନାୟକ ଓ ସୁନନ୍ଦା ପଟ୍ଟନାୟକଙ୍କ ନେତୃତ୍ୱରେ ୨୫ ଜଣ ଗୃହିଣୀ ଓ ଶିକ୍ଷାବିତ୍‌ ଏକ ଦଳ କରି ଏବେ ବି ବୁଲୁଛନ୍ତି ସାହିରୁ ସାହି ଆଉ ଗାଁରୁ ଗାଁ।