ଘରେ ପଶି ଶାଢ଼ି ପିନ୍ଧିଲା ଚୋର; ତା’ପରେ...

ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଶିକ୍ଷକ।

ଘରେ ପଶି ଶାଢ଼ି ପିନ୍ଧିଲା ଚୋର; ତା’ପରେ...

ଫିଲ୍ମ ଷ୍ଟାଇଲରେ ଶିକ୍ଷକଙ୍କ ଘରେ ପଶି କଳାକନା ବୁଲାଇଦେଲା ଚୋର। ଘରୁ ଟଙ୍କା ପଇସା ଓ ସୁନା ଗହଣା ନେଇ ଚମ୍ପଟ ମାରିଲା। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଶିକ୍ଷକ।

ଉଦଳା ଥାନା ଅନ୍ତର୍ଗତ ୪ ନମ୍ବର ୱାର୍ଡରେ ରହୁଥିବା ଶିକ୍ଷକ ଦୈତାରୀ ବିନ୍ଧାଣୀ ଓ ତାଙ୍କ ପରିବାର ମେଡିକାଲ୍ କାମରେ ଗତକାଲି ବାଲେଶ୍ୱର ଯାଇଥିଲେ। ଏହି ସୁଯୋଗରେ ଜଣେ ଚୋର ଗତକାଲି ବିଳମ୍ବିତ ରାତିରେ ଶିକ୍ଷକଙ୍କ ଘରେ ତାଲା ଭାଙ୍ଗି ପଶିଥିଲା। ଚୋର ଜଣଙ୍କ ଚୋରି କରିବାକୁ ପଶିବା ବେଳେ ଘରେ ଲାଗିଥିବା ସିସିଟିଭି ଉପରେ ତା’ର ଆଖି ପଡ଼ି ଯାଇଥିଲା।

ସେଥିପାଇଁ ଚୋର ଜଣଙ୍କ ଅତି ଚାଲାକର ସହ ଘରେ ପଶିଥିଲା।  ପ୍ରଥମେ କବାଟ ଖୋଲି ଏକ ବାଡ଼ି ସାହାଯ୍ୟରେ ଚ୍ୟାୟାର ଉପରେ ଥୁଆ ହୋଇଥିବା ଶାଢ଼ିକୁ ଆଣି ପିନ୍ଧିଥିଲା ପରେ ଘର ଭିତରକୁ ପଶିଥିଲା।  ଏହାପରେ ପିନ୍ଧିଥିବା ଶାଢ଼ିକୁ ଘରେ ଲାଗିଥିବା ସିସିଟିଭି ଉପରେ ଢାଙ୍କି ଦେଇ ଘରୁ ସୁନା ଓ ଟଙ୍କା ପଇସା ନେଇ ଚମ୍ପଟ ମାରିଥିଲା। ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। 

ଆଜି ସକାଳେ ଶିକ୍ଷକ ଓ ତାଙ୍କ ପରିବାର ଘରକୁ ଫେରି ଘରର ଜିନିଷ ପତ୍ର ଏଣେତେଣେ ହୋଇ ପଡ଼ିଥିବା ଦେଖିଥିଲେ। ଏଥିସହ ଆଲମାରିରେ ଥିବା ଟଙ୍କା ଓ ସୁନା ଗହଣା ନଥିବା ଦେଖିବାକୁ ପାଇଥିଲେ। ଏନେଇ ଉଦଳା ଥାନାରେ ଅଭିଯୋଗ କରିଛନ୍ତି ଶିକ୍ଷକ। ପୁଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି।